ଭୁବନେଶ୍ୱର: ସବ୍ପ୍ଲଟ୍ ବା ଆଂଶିକ ପ୍ଲଟ୍ କିଣାବିକାରେ ଲାଗିଥିବା କଟକଣାରେ କେବଳ ବିଲ୍ଡର ଲାଭବାନ୍ ହୋଇଛନ୍ତି। ବିଡିଏର ଏକ ଚିଠି ଆଧାରରେ ୨୦୨୧ ମସିହାରୁ ରାଜସ୍ବ ବିଭାଗ କରିଥିବା ଏହି କଟକଣାରେ କେବଳ ସାଧାରଣ ଲୋକ ଫସି ରହିଛନ୍ତି। ଏହାକୁ ଯେଉଁ ଉଦ୍ଦେଶ୍ୟରେ କରାଯାଇଥିବା ବିଡିଏ କହୁଛି ତାହା ସଫଳ ହେଉ ନାହିଁ, ବରଂ ଆୟକର ଛାଡ଼ ଲୋଭରେ ଫ୍ଲାଟ୍ ବିକ୍ରି ହେଉଛି ଓ ବିଲ୍ଡରମାନେ ମାଲେମାଲ୍ ହୋଇଛନ୍ତି। କେବଳ ଚଳିତ ବର୍ଷ(୨୦୨୪ ଜାନୁଆରିରୁ ଜୁନ୍)ର ଚିତ୍ରକୁ ଯଦି ହିସାବକୁ ନିଆଯାଏ ତେବେ ୯ହଜାର ସାଧାରଣ ଜମି ମାଲିକ ପାର୍ଟ ପ୍ଲଟ୍ ବିକ୍ରିରୁ ବଞ୍ଚିତ ହୋଇଥିବା ବେଳେ ୬ ହଜାରରୁ ଊର୍ଦ୍ଧ୍ବ ଫ୍ଲାଟ୍ ବିକ୍ରି ହୋଇଛି। ଜମି କିଣାବିକା ବାବଦରେ ଜମି ମୂଲ୍ୟର ୭ ପ୍ରତିଶତ ପଞ୍ଜୀକରଣ ମୂଲ୍ୟ ସରକାର ହରାଇଛନ୍ତି। ଏହାର ପରିମାଣ କୋଟି କୋଟି ଟଙ୍କା ହେବ ବୋଲି କୁହାଯାଉଛି। ପ୍ରଶ୍ନ ଉଠୁଛି, ଯଦି ଖୋଦ୍ ସରକାରଙ୍କର ଲାଭ ହେଉ ନାହିଁ ଓ ସାଧାରଣ ଜମି ମାଲିକ କଷ୍ଟ ପାଉଛନ୍ତି ତେବେ କଟକଣା କାହା ପାଇଁ?
ବିନା ଲେ-ଆଉଟ୍ ପ୍ଲାନ୍ରେ ସବ୍ପ୍ଲଟ୍ କିଣା ବିକା ନକରିବାକୁ ୨୦୨୧ ଜାନୁଆରି ୧୧ ତାରିଖରେ ବିଡିଏର ତତ୍କାଳୀନ ଉପାଧ୍ୟକ୍ଷ ପ୍ରେମଚନ୍ଦ ଚୌଧରୀ ରାଜସ୍ବ ବିଭାଗକୁ ଚିଠି ଲେଖିଥିଲେ। ବିନା ଲେଆଉଟ୍ ପ୍ଲାନ୍ରେ ପଞ୍ଜୀକରଣ ହେଲେ ସେଠାରେ ଯେତେବେଳେ ଘର ତିଆରି ହେଉଛି ସେତେବେଳେ ସମସ୍ୟା ଉପୁଜୁଛି। ରାସ୍ତା ପାଇଁ ଯେତିକି ଜାଗା ଦରକାର ଓ ଯେତିକି ଖାଲି ଜାଗା ଛାଡ଼ିବା ଦରକାର, ତାହା ହୋଇପାରୁନି। ଏଭଳି ହେଉଛି କି ଦୁଇଟି ପ୍ଲଟ ମଝିରେ ରାସ୍ତା ପାଇଁ ମଧ୍ୟ ଜାଗା ରହୁନାହିଁ। ଉଭୟ ପ୍ଳଟ୍ର ମାଲିକ ଘର କରିବା ବେଳକୁ ଧାର୍ଯ୍ୟ ଓସାରର ରାସ୍ତା ନଥିବାରୁ ସମସ୍ୟା ହେଉଛି। ଏଣୁ ଜମି ଭାଗ ଭାଗ ହେବା ପୂର୍ବରୁ ଲେଆଉଟ୍ ପ୍ଲାନ୍ ବାଧ୍ୟତାମୂଳକ କରାଯାଉ। କିସମ ଘରବାରି ଅଛି ତ’ ଭବିଷ୍ୟତରେ ନିଶ୍ଚୟ ଘର ହେବ। ସେତେବେଳକୁ ଯେଭଳି ରାସ୍ତା ସମସ୍ୟା ରହିବ ନାହିଁ ସେଥିପାଇଁ ଏବେଠୁ ଏଭଳି ବ୍ୟବସ୍ଥା କରିବାକୁ ହେବ। ଉପାଧ୍ୟକ୍ଷଙ୍କ ଏଭଳି ଚିଠି ଆଧାରରେ ରାଜସ୍ବ ବିଭାଗ ସବ୍ରେଜିଷ୍ଟ୍ରାରମାନଙ୍କୁ ଏହି କଟକଣା କରିବାକୁ ଚିଠି ଲେଖିଥିଲା। ଏହି ଚିଠି ବଳରେ ବିଡିଏ ଅଞ୍ଚଳରେ ଥିବା ଖୋର୍ଦ୍ଧା, ଜଟଣୀ, ଭୁବନେଶ୍ବର, ଖଣ୍ଡଗିରି, ପିପିଲି, ବାଲିପାଟଣା ଓ ବାଲିଅନ୍ତା ସବ୍ରେଜିଷ୍ଟ୍ରାର ଅଫିସ୍ରେ କଟକଣା ରହିଛି। ପାର୍ଟ ବା ଆଂଶିକ ପ୍ଲଟ୍ ବିନା ଲେଆଉଟ୍ ପ୍ଲାନ୍ରେ ବିକ୍ରି ହୋଇ ପାରୁନି। ପଞ୍ଜୀକରଣ ପାଇଁ ଦିନକୁ ଯେତିକି ସ୍ଲଟ୍ ବୁକିଂ ହେଉଛି ତାହାର ୯୦ ପ୍ରତିଶତ ପାର୍ଟ ପ୍ଲଟ୍ ବୋଲି ଜଣାପଡ଼ିଛି।
ଏହି କଟକଣା ହେବା ପରେ ପରେ ୨୦୨୧ ମାର୍ଚ୍ଚରେ ଆଇନଜୀବୀମାନେ ଆନ୍ଦୋଳନ କରିବା ସହ ଏହି କଟକଣା ପ୍ରତ୍ୟାହାର ଦାବିରେ ସବ୍ରେଜିଷ୍ଟ୍ରାର ଅଫିସରେ ତାଲା ପକାଇ ଦେଇଥିଲେ। କଟକଣା କରିବା ପୂର୍ବରୁ ତର୍ଜମା କରାଗଲା ନାହିଁ। ସାଧାରଣ ଜନତାଙ୍କ ମତାମତ ନିଆଗଲା ନାହିଁ। ଏହି କଟକଣା ଦ୍ବାରା ୭୦ ପ୍ରତିଶତ କିଣାବିକା ପ୍ରଭାବିତ ହୋଇଛି। ଗରିବ ଲୋକଟିଏ ଝିଅ ବାହାଘର କିମ୍ବା କୌଣସି ଚିକିତ୍ସା ପାଇଁ ଖର୍ଚ୍ଚ କରିବାକୁ ନିଜ ଜମିର କିଛି ଅଂଶ ବିକ୍ରି କରିପାରୁନଥିବା ବେଳେ ବିଲ୍ଡର ଏକ ସମୟରେ ସବୁ ଜମି କିଣିପାରୁଛି। ଏଣୁ କଟକଣା ବିଲ୍ଡରଙ୍କ ପାଇଁ ହୋଇଛି।
କଟକଣାକୁ ନେଇ ତନାଘନା ବେଳେ ଏହା ପଛରେ ଥିବା ଗୁଢ଼ ରହସ୍ୟ ପଦାରେ ପଡ଼ିଛି। ଆଇଟି ସେକ୍ଟରରେ କାମ କରୁଥିବା କିଷନ୍ ଅଗ୍ରୱାଲ୍ କହିଛନ୍ତି, ଗୃହନିର୍ମାଣ ପାଇଁ ଋଣ କଲେ ସୁଧ ଉପରେ ଆମକୁ ଆୟକର ଛାଡ଼ ମିଳିଥାଏ। ଏଣୁ ଆମେ ଜମିଟିଏ କିଣି ଘର କରିବାକୁ ଯୋଜନା କରିଥାଉ। ଭୁବନେଶ୍ବର ଟ୍ରାନ୍ସଫର ହେବା ପରେ ଏଠାରେ ଜମି କିଣି ଘର କରିବାକୁ ଯୋଜନା କରିଥିଲି। କିନ୍ତୁ ସରକାରୀ ସ୍କିମ୍ରେ ଜମି ମିଳିଲା ନାହିଁ। ଏଣେ ଛୋଟ ପ୍ଲଟ୍ ମଧ୍ୟ ମିଳିଲା ନାହିଁ। ବଡ଼ ପ୍ଲଟ୍ର ଅଂଶ କିଣିବା ପାଇଁ ଏଭଳି ପ୍ରତିବନ୍ଧକ ବାଧା ଦେଲା। ଏଣୁ ବାଧ୍ୟ ହୋଇ ଭୁବନେଶ୍ବର ଉପକଣ୍ଠରେ ଏକ ଆପାର୍ଟମେଣ୍ଟରେ ଫ୍ଲାଟ୍ କିଣିଲି। କିନ୍ତୁ ଆପାର୍ଟମେଣ୍ଟରେ ଯେଉଁ ସବୁ ଗଣ୍ଡଗୋଳିଆ ପରିସ୍ଥିତି ରହିଛି ସେଥିପାଇଁ ମୁଁ ଏହାର ସପକ୍ଷରେ ନଥିଲି, ହେଲେ ବାଧ୍ୟ ହେଲି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/9Px0e6Np8aHOovgsVD7Y.jpg)