ଭୁବନେଶ୍ବରକୁ ଦେଖାଗଲା ଆଂଶିକ ରକ୍ତବର୍ଣ୍ଣ ଚନ୍ଦ୍ର

ଭୁବନେଶ୍ବର: ଚଳିତବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଆଜି ଦୃଶ୍ୟମାନ ହୋଇଛି। ଦିଗ୍‌ବଳୟରେ ମେଘ ରହିଥିବା କାରଣରୁ ମହାଜାଗତିକ ଦୃଶ୍ୟ ଭୁବନେଶ୍ବର ସମେତ ଅନ୍ୟ ସହରରେ ଆଂଶିକ ଦୃଶ୍ୟମାନ ହୋଇଛି। ତେବେ ଆସନ୍ତା ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ୨୦୨୫ ମସିହା ସେପ୍ଟେମ୍ବର ୭ତାରିଖରେ ଦୃଶ୍ୟମାନ ହେବ। ଏହାସହ ପରବର୍ତୀ ଆଂଶିକ ସୂର୍ଯ୍ୟୋପରାଗ ୨୦୨୭ ମସିହା ଅଗଷ୍ଟ ୨ ତାରିଖରେ ଦେଖାଯିବ ବୋଲି ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ପକ୍ଷରୁ ସୂଚନା ଦିଆଯାଇଛି।

୨୦୨୫ ସେପ୍ଟେମ୍ବର ୭ରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ
୨୦୨୭ ଅଗଷ୍ଟ ୨ରେ ଆଂଶିକ ସୂର୍ଯ୍ୟୋପରାଗ

ଗ୍ରହଣ ଓ ପରାଗ ହେଉଛି ଏକ ଛାଇ ଆଲୁଆର ଖେଳ। ଚନ୍ଦ୍ରଗ୍ରହଣ ସମୟରେ ଚନ୍ଦ୍ର ଓ ସୂର୍ଯ୍ୟ ମଝିରେ ପୃଥିବୀ ଏକ ସରଳରେଖାରେ ରହିଥାଏ। ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡ଼ିଥାଏ। ବିଜ୍ଞାନ ଅନୁସାରେ ଚନ୍ଦ୍ର ଉପଛାୟାରେ ପ୍ରବେଶ କରିବା ସହ ଗ୍ରହଣ ଆରମ୍ଭ ହୁଏ ଓ ତହିଁରୁ ସଂପୂର୍ଣ୍ଣ ବାହାରିଯିବା ପରେ ଗ୍ରହଣ ଶେଷ ହୋଇଥାଏ। ଆଜି ଅପରାହ୍‌ଣ ୪ଟା ୩୯ ମିନିଟ୍‌ରେ ଏହା ଆରମ୍ଭ ହୋଇଥିବା ବେଳେ ୫ଟା ୧୯ରେ ଶେଷ ହୋଇଥିଲା। ଭୁବନେଶ୍ବରରେ ଏହି ପୂର୍ଣ୍ଣ ରକ୍ତବର୍ଣ୍ଣ ଚନ୍ଦ୍ରଗ୍ରହଣ ସଂଧ୍ୟା ୫ଟା ୫ ମିନିଟ୍‌ରୁ ୫ଟା ୧୧ ମିନିଟ୍‌ ପର୍ଯ୍ୟନ୍ତ ଦେଖାଯିବାର ଥିଲା। ମାତ୍ର ପୂର୍ବ ଦିଗ୍‌ବଳୟ ମେଘାଚ୍ଛନ୍ନ ପାଇଁ ଏହା ୫ଟା ୨୭ ମିନିଟ୍‌ରୁ ୬ଟା ୧୯ ଯାଏ ଆଂଶିକ ଦୃଶ୍ୟମାନ ହୋଇଥିଲା। ଅନ୍ୟ ସହରରେ ଭିନ୍ନ ଭିନ୍ନ ସମୟରେ ଏହା ଦୃଶ୍ୟମାନ ହୋଇଥିବା ପ୍ଲାନେଟାରିୟମ୍‌ ପକ୍ଷରୁ କୁହାଯାଇଛି।

ପଠାଣି ସାମନ୍ତ ପ୍ଲାନେଟୋରିୟମ୍‌ରେ ଗ୍ରହଣକୁ ଦେଖିବା ଲାଗି ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ୩ଟି ଦୂରବୀକ୍ଷଣ ଯନ୍ତ୍ର ସହିତ ୨ଟି ବାଇନାକୁଲର ଓ ଏଲ୍‌ସିଡି ଲଗାଯାଇଥିଲା। ବହୁ ସଂଖ୍ୟାରେ ଲୋକମାନେ ସେଠାକୁ ଗ୍ରହଣକୁ ଦେଖିବାକୁ ସହିତ ପ୍ଲାନେଟୋରିୟମ୍‌ର କର୍ମଚାରୀଙ୍କ ସହିତ ଗ୍ରହଣ ସଂପର୍କରେ ପଚାରି ବୁଝିଥିଲେ। ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ର ଉପ-ନିର୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି, ଏହି ମହାଜାଗତିକ ଦୃଶ୍ୟକୁ ଖାଲି ଆଖିରେ ଦେଖିବାରେ କୌଣସି ଅସୁବିଧା ନାହିଁ। ଏହାର ପ୍ରଭାବ ପୃଥିବୀ କିମ୍ବା ମଣିଷ ଉପରେ ପଡ଼େ ନାହିଁ। ତେବେ ଆଜି ଭୁବନେଶ୍ବର ଆକାଶରେ ମେଘ ରହିଥିବା କାରଣରୁ ଏହା ଆଂଶିକ ଦୃଶ୍ୟମାନ ହୋଇଛି। ଓଡ଼ିଶାର ଅନ୍ୟ ସହରରେ ଏହା ଦୃଶ୍ୟମାନ ହୋଇଥିବା ଶ୍ରୀ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର