ଭୁବନେଶ୍ବର: ପାର୍ଟପ୍ଲଟ୍ ପଞ୍ଜୀକରଣ କେଳେଙ୍କାରୀର ପ୍ରଥମ କାର୍ଯ୍ୟାନୁଷ୍ଠାନ ହୋଇସାରିଛି। ଖଣ୍ଡଗିରି ସବ୍ରେଜିଷ୍ଟ୍ରାର୍ ନିଲମ୍ବିତ ହେବା ପରେ ଏବେ ତାଲିକାରେ ଥିବା ୩୧ ଅଫିସର ସରକାରଙ୍କ ଟାର୍ଗେଟ୍ରେ ରହିଛନ୍ତି। ଖଣ୍ଡଗିରି ପରେ ଏବେ ଖୋର୍ଦ୍ଧା ସବ୍ରେଜିଷ୍ଟ୍ରାରଙ୍କ ପାଳି ପଡ଼ିବାକୁ ଯାଉଛି। ପାର୍ଟପ୍ଲଟ୍ କିଣାବିକାରେ କଟକଣା ଲାଗିଥିବା ବେଳେ ଖୋର୍ଦ୍ଧା ସବ୍ରେଜିଷ୍ଟ୍ରାର୍ ଏହି କଟକଣାକୁ ଖାତିର କରିନାହାନ୍ତି। କଟକଣା ବେଳେ ମନଇଚ୍ଛା କିଣାବିକା ଅନୁମତି ଦେଇଛନ୍ତି। ଅଭିଯୋଗ ହେବା ପରେ ଖୋର୍ଦ୍ଧା ଏଡିଏମ୍ ସବ୍ରେଜିଷ୍ଟ୍ରାର୍ଙ୍କୁ ରିପୋର୍ଟ ତଲବ୍ କରିଛନ୍ତି। ୨୦୨୪ ଡିସେମ୍ବରରୁ ୨୦୨୫ ଫେବ୍ରୁଆରି ପର୍ଯ୍ୟନ୍ତ କେତେ ପାର୍ଟପ୍ଲଟ୍ ପଞ୍ଜୀକରଣ ହୋଇଛି ସେ ନେଇ ୭ ଦିନ ଭିତରେ ରିପୋର୍ଟ ଦେବାକୁ କୁହାଯାଇଛି।
କଟକଣା ବେଳେ ୧୩୦୦ ପଞ୍ଜୀକୃତ
ରିପୋର୍ଟ ତଲବ କଲେ ଏଡିଏମ୍
ଅଡ଼ୁଆରେ ବାରଙ୍ଗ ସବ୍ରେଜିଷ୍ଟ୍ରାର୍
ପାର୍ଟପ୍ଲଟ୍ ବା ଆଂଶିକ ପ୍ଲଟ୍ ପଞ୍ଜୀକରଣ ଉପରେ କଟକଣା ଲାଗିଥିଲା। କିନ୍ତୁ ତଳିଆ କର୍ମଚାରୀଙ୍କ ଜରିଆରେ ହାତଗୁଞ୍ଜା ନେଇ ସବ୍ରେଜିଷ୍ଟ୍ରାର୍ମାନେ ପଞ୍ଜୀକରଣ କରାଇଦେଉଥିଲେ। ଗତ ଡିସେମ୍ବର ୯ ତାରିଖରେ ଖଣ୍ଡଗିରି ସବ୍ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ଦେବଯାନୀ କର ପାର୍ଟ ପ୍ଲଟ୍ ପଞ୍ଜୀକରଣ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଏହି ଘଟଣାରୁ ପ୍ରତ୍ୟେକ ଅଫିସ୍ରେ ଲାଞ୍ଚ କାରବାର ଚାଲିଥିବା ପ୍ରମାଣିତ ହୋଇଥିଲା। ଏହାକୁ ନେଇ ତନାଘନା ହୋଇଥିଲା। ନୂଆ ସରକାର ଏହାକୁ ଗୁରୁତ୍ବର ସହ ନେଇଥିଲେ। କଟକଣା ବେଳେ କେଉଁ ଅଫିସ୍ରେ କେତେ ପାର୍ଟପ୍ଲଟ୍ ରେଜିଷ୍ଟ୍ରେସନ ହୋଇଛି ସେ ନେଇ ରିପୋର୍ଟ ତଲବ କରିଥିଲେ। ଏହି ତାଲିକାର ଶୀର୍ଷରେ ରହିଥିଲା ଖଣ୍ଡଗିରି ସବ୍ରେଜିଷ୍ଟ୍ରାର ଅଫିସ। ଗତମାସ ୨୨ ତାରିଖରେ ଏହି ସବ୍ରେଜିଷ୍ଟ୍ରାର୍ଙ୍କୁ ସରକାର ନିଲମ୍ବନ କରିଥିଲେ। ଏବେ ଖୋର୍ଦ୍ଧା ସବ୍ରେଜିଷ୍ଟ୍ରାରଙ୍କ ପାଳି ପଡ଼ିଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ମୁତାବକ ଏଡିଏମ୍ ଯେଉଁ ଅବଧିର ତଥ୍ୟ ତଲବ କରିଛନ୍ତି ସେହି ଦୁଇମାସରେ ଏଠାରେ ୫୫ ପାର୍ଟପ୍ଲଟ୍ ପଞ୍ଜୀକୃତ ହୋଇଛି। ଖଣ୍ଡଗିରିରେ ଧରାପଡ଼ିଥିବା କେଳେଙ୍କାରୀ ମୁତାବକ ଯଦି ଅତିକମ୍ରେ ଗୋଟିଏ ପଞ୍ଜୀକରଣ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନିଆଯାଉଥାଏ ତେବେ ଏହି କାରବାରରେ ୧୧ ଲକ୍ଷ ଟଙ୍କା ହାତଗୁଞ୍ଜା କାରବାର ହୋଇଛି। ୨୦୨୨ରେ ଏହି ପଞ୍ଜୀକରଣ କଟକଣା ଲାଗିଥିଲା। ଯଦି ପୂରା କଟକଣା ଅବଧିକୁ ଦେଖାଯାଏ ତେବେ ୩ ବର୍ଷରେ ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଲାଞ୍ଚ ଅଧିକାରୀ ନେଇଯାଇଛନ୍ତି। ତେବେ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ କହିବା କଥା, କେବଳ ଅଭିଯୋଗ ହୋଇଛି।
ତନାଘନା ବେଳେ ଜଣାପଡ଼ିଛି କି ୨୦୨୨ରେ କଟକଣା ଲାଗିବା ପରଠାରୁ ଓଡ଼ିଶାରେ ୨୨ହଜାର ୧୫୦ ସବ୍ ବା ପାର୍ଟ ପ୍ଲଟ୍ ରେଜିଷ୍ଟ୍ରେସନ୍ ହୋଇଥିଲା। ଜଟଣୀରେ ସର୍ବାଧିକ ୭ହଜାର ୩ଶହ ପଞ୍ଜୀକୃତ ହୋଇଥିବା ବେଳେ ଭୁବନେଶ୍ବରରେ ୭ହଜାର ୨ଶହ, ଖଣ୍ଡଗିରିରେ ୪ହଜାର ୫ଶହ, ଖୋର୍ଦ୍ଧାରେ ୧୩୦୦, ବାଲିପାଟଣାରେ ୮୮୬ ଏବଂ ବାଲିଅନ୍ତାରେ ୪୫୩ଟି ପଞ୍ଜୀକୃତ ହୋଇଥିଲା। ଯେଉଁ ସବୁ ଅଧିକାରୀଙ୍କ ସମୟରେ ଏହି କାରବାର ହୋଇଥିଲା ସେମାନଙ୍କର ତାଲିକା କରାଯାଇଥିଲା। ଏହି ତାଲିକାରେ ୩୧ ଜଣ ଅଧିକାରୀ ରହିଥିଲେ। ଅନ୍ୟପଟେ ବାରଙ୍ଗ ସବ୍ରେଜିଷ୍ଟ୍ରାର ମଧ୍ୟ ସରକାରଙ୍କ ଟାର୍ଗେଟ୍କୁ ଆସିଛନ୍ତି। ବାରଙ୍ଗରେ ପ୍ଲଟ୍ ପଞ୍ଜୀକରଣକୁ ନେଇ ବେଆଇନ କାରବାର ହୋଇଥିବା ନେଇ ଅଭିଯୋଗ ହେବା ପରେ ଗତ ବର୍ଷ ସେପ୍ଟେମ୍ବର ମାସରେ ରାଜସ୍ବ ପର୍ଷଦ ରିପୋର୍ଟ ତଲବ କରିଥିଲେ। ବେଆଇନ କାରବାର ଅଭିଯୋଗର ପକ୍ଷ ରଖିବାକୁ କହିଥିଲେ। ୬ ମାସ ବିତିଯାଇଥିଲେ ମଧ୍ୟ ସମ୍ପୃକ୍ତ ଅଧିକାରୀ କୌଣସି ଉତ୍ତର ରଖି ନଥିଲେ। ଏଣୁ ପୁଣି ଥରେ ରାଜସ୍ବ ପର୍ଷଦର ଆଇଜିଆର୍ ତାଗିଦ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/03/07/6FsonVkC2euR1RBE2R04.jpg)