ରାଜଧାନୀରେ ବାର୍‌ ଓ ପବ୍‌ରେ ଖରାବେଳିଆ ପାର୍ଟି

ଭୁବନେଶ୍ବର : ରାଜଧାନୀରେ ଜାରି ହୋଇଛି ନାଇଟ୍‌ କର୍ଫ୍ୟୁ। ରାତି ୯ଟା ବାଜିବା କ୍ଷଣି ସବୁ କିଛି ବନ୍ଦ ହୋଇଯାଉଛି। ଯେଉଁଥିପାଇଁ ରାତି ଅଧ ଯାଏ କ୍ଲବ୍‌, ବାର୍‌, ପବ୍‌ ଖୋଲି ବେପାର ଜମାଉଥିବା ବ୍ୟବସାୟୀ କ୍ଷତି ସହିବାର ଆଶଙ୍କା ପ୍ରକାଶ ପାଇଛି। ତାହାକୁ ନଜରରେ ରଖି ସହରରେ ଥିବା ବାର୍‌ଗୁଡ଼ିକ ଏବେ ବିକଳ୍ପ ପନ୍ଥା ଆପଣାଇଛନ୍ତି। ‌ନାଇଟ୍‌ କର୍ଫ୍ୟୁ ଲାଗୁ ପୂର୍ବରୁ ଗ୍ରାହକଙ୍କୁ ପାର୍ଟିର ମଜା ଦେବାକୁ ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି। ମଧ୍ୟାହ୍ନ ୧୨ଟାରୁ ତଥା ଖରାବେଳଠାରୁ ବାର୍‌ଗୁଡ଼ିକ ଖୋଲାଯାଉଛି, ଯାହାକି ରାତି ୯ଟା ଯାଏ ଚାଲୁଛି। ‘୯ ଘଣ୍ଟାର ପାର୍ଟି’ ସ୍ଲୋଗାନ ଦେଇ ବାର୍‌ଗୁଡ଼ିକ ଗ୍ରାହକଙ୍କୁ ଆକୃଷ୍ଟ କରୁଛନ୍ତି। ଏହି ୯ ଘଣ୍ଟାରେ ମନଭରି ମନୋରଞ୍ଜନ କରିବାକୁ ବି କୁହାଯାଉଛି। ସହରର ଅଧିକାଂଶ ବାର୍‌ ଓ ପବ୍‌ରେ ଏଭଳି ପାର୍ଟି ଚାଲୁଥିଲେ ମଧ୍ୟ ସେଠାରେ ସାମାଜିକ ଦୂରତା ରହୁ ନାହିଁ। ଅଧିକାଂଶ ଗ୍ରାହକଙ୍କ ମୁହଁରେ ବି ମାସ୍କ ନ ଥିବା ପରିଲକ୍ଷିତ ହେଉଛି। ଶତାଧିକ ଲୋକ ଘଣ୍ଟା ଘଣ୍ଟା ଧରି ଏକାଠି ବସି ୯ ଘଣ୍ଟା ପାର୍ଟି ମଜା ନେଉଥିଲେ ମଧ୍ୟ ନା ବିଏମ୍‌ସି ଚଢ଼ଉ କରୁଛି ନା କମିସନରରେଟ୍‌ ପୁଲିସ। ସମସ୍ତେ ସବୁ ଜାଣି ଚୁପ୍‌।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଛୋଟ ଜଳଖିଆ ଦୋକାନ ତଥା କେବିନ୍‌ରେ ଯଦି ଭିଡ଼ ହେଉଛି ବିଏମ୍‌ସି ଅଧିକାରୀମାନେ ଦଳବଳ ନେଇ ପହଞ୍ଚି ଯାଉଛନ୍ତି। ବ୍ୟବସାୟୀଙ୍କଠାରୁ ଜରିମାନା ଆଦାୟ କରିବା ସହ ମାସ୍କ କଟକଣା ପାଳନ କରିବାକୁ ତାଗିଦ୍‌ କରୁଛନ୍ତି। ହେଲେ ବାର୍‌, ପବ୍‌, କ୍ଲବ୍‌ରେ କୋଭିଡ୍‌ କଟକଣାର ଖୋଲାଖୋଲି ଉଲ୍ଲଂଘନ ହେଉଥିଲେ ମଧ୍ୟ କେହି ବି ଚଢ଼ଉ କରୁ ନାହାନ୍ତି। ଗତ ସପ୍ତାହରେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଦୁଇଟି ବାର୍‌ରେ କୋଭିଡ୍‌ କଟକଣା ଉଲ୍ଲଂଘନ ହୋଇଥିବାରୁ ୧୦ ହଜାର ଟଙ୍କା ଲେଖାଏ ଜରିମାନା ଅାଦାୟ ହୋଇଥିଲା। ତା’ପରଠୁ ସେଠାରେ କ’ଣ ହେଉଛି ସେନେଇ ବିଏମ୍‌ସି ଅଧିକାରୀଙ୍କ ପାଖରେ କିଛି ଖବର ନାହିଁ। ପୁଲିସ ବାବୁମାନେ ସବୁ ଜାଣି ଏକପ୍ରକାର ନିରବଦ୍ରଷ୍ଟା ସାଜିଛି। ଏ ପର୍ଯ୍ୟନ୍ତ ଆଦୌ ଚଢ଼ାଉ କରି ନାହାନ୍ତି। ‌ଯାହାକୁ ନେଇ ଆଜି ଜଣେ ବ୍ୟକ୍ତି ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍ କରି ଅଭିଯୋଗ କରିଛନ୍ତି। କେବଳ ମାର୍କେଟରେ ଥିବା ଦୋକାନରେ ଚଢ଼ଉ କରି ପୁଲିସ ଅଧିକାରୀ ବସିପଡ଼ୁଛନ୍ତି। ବାକି ସ୍ଥାନରେ କ’ଣ ହେଉଛି ସେସମ୍ପର୍କରେ ଖବର ରଖାଯାଉ ନାହିଁ। ଏ ଦିଗରେ ତୁରନ୍ତ ପଦକ୍ଷେପ ନେଇ ପବ୍‌, ବାର୍‌, କ୍ଲବ୍‌ ଆଦି ସ୍ଥାନରେ କଟକଣା ଯାଞ୍ଚ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର