ଧଉଳି: ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଧଉଳି ଶାନ୍ତିସ୍ତୂପ ପାଦଦେଶରେ ନିର୍ମିତ ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପାର୍ବତୀ ପୁଷ୍କରିଣୀର ପୁନରୁଦ୍ଧାର ଓ ଉନ୍ନତୀକରଣ ନେଇ ଭୁବନେଶ୍ବର ସର୍କିଟ ହାଉସ୍‌ ଓ ଜିଲ୍ଲା ସଂସ୍କୃତିଭବନରେ ବାରମ୍ବାର ଧଉଳି ଉନ୍ନୟନ ସମିତି, ଜିଲ୍ଲା ପ୍ରଶାସନ, ପର୍ଯ୍ୟଟନ ବିଭାଗ ଓ ପଞ୍ଚାୟତ ଜନ ପ୍ରତିନିଧିଙ୍କୁ ନେଇ ବୈଠକରେ ଆଲୋଚନା ହେଉଛି। ଚିଠା ପ୍ରସ୍ତାବ ମଧ୍ୟ ପ୍ରସ୍ତୁତ ହେଉଛି। ହେଲେ ପ୍ରସ୍ତାବ ସେହି ପ୍ରସ୍ତାବରେ ରହିଯାଉଛି। ଅପରପକ୍ଷରେ ପୋଖରୀଟି କଲିକତି ଦଳ ଓ ଅନାବନା ଗଛଲତାରେ ଭର୍ତ୍ତି ହୋଇ ଶିରି ହରାଇଛି।  ୩ ଏକରରେ ଥିବା ପାର୍ବତୀ ପୁଷ୍କରିଣୀ ଏବେ ପରିତ୍ୟକ୍ତ ହୋଇପଡ଼ିଛି। ଏ ନେଇ ପର୍ଯ୍ୟଟକମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ପୋଖରୀରୁ ଦଳ ଓ ଘାସ ସଫା କରି ନୌକାବିହାର ପାଇଁ ଏହାକୁ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖାଯାଇଥିଲା।

Advertisment

ଏଥିପାଇଁ ଧଉଳି ପଞ୍ଚାୟତ ପକ୍ଷରୁ ୫ ଟି ପେଡାଲ୍‌ ଚାଳିତ ବୋଟ କିରାଯାଇଛି। ୧୦ ଲକ୍ଷ ଟଙ୍କା ଖର୍ଚ୍ଚରେ ପେଡାଲ୍‌ଚାଳିତ ୫ଟି ବୋଟ କିଣାଯାଇଛି। ବୋଟ୍‌ କିଣା ହେବାର ମାସାଧିକ ସମୟ ବିତିଗଲାଣି। କିନ୍ତୁ ବୋଟ୍‌ ହୁଡ଼ାରେ ପଡ଼ି ଖତଖାଉଛି। ହେଲେ ପର୍ଯ୍ୟଟକମାନଙ୍କ ମନୋରଞ୍ଜନ ନେଇ କାର୍ଯ୍ୟକ୍ଷମ ହୋଇପାରିନି। ଅନ୍ୟପକ୍ଷରେ ସରପଞ୍ଚ ଚନ୍ଦନ କୁମାର ମଲ୍ଲିକଙ୍କ କହିବାନୁସାରେ ପଞ୍ଚାୟତ ପକ୍ଷରୁ ୨୦୨୫-୨୬ ଆର୍ଥିକ ବର୍ଷରୁ ୨୦୩୦ ପର୍ଯ୍ୟନ୍ତ  ଆଉ ୫ଟି ବୋଟ୍‌, ଆଲୋକୀକରଣ ପାଇଁ ହାଇମାଷ୍ଟ ଲାଇଟ୍‌, ପିଲାଙ୍କ ପାର୍କ, ଓପନ ଜିମ୍‌ ଓ ଫୁଡ଼ପାର୍କ ପାଇଁ ଖୋର୍ଦ୍ଧା ଡିଆର୍‌ଡିଏକୁ ୧ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି। ହେଲେ ପ୍ରକଳ୍ପ କାର୍ଯ୍ୟ ନେଇ ଏଯାଏ ଅର୍ଥ ବ୍ୟବସ୍ଥା କରାଯାଇ ନାହିଁ। ସେହିପରି ପର୍ଯ୍ୟଟନ ବିଭାଗ ୨୦ ଫୁଟ୍‌ ଉଚ୍ଚତାର ଫାଇଭର୍‌ ପ୍ରତିମୂର୍ତ୍ତି ପୋଖରୀ ମଝିରେ ସ୍ଥାପନ ନେଇ ସର୍କିଟ ହାଇସ୍‌ରେ ଅନୁଷ୍ଠିତ ବୈଠକରେ ପ୍ରସ୍ତାବ ରହିଥିଲା। ହେଲେ ଏଯାଏ ମୂର୍ତ୍ତି ସ୍ଥାପନ ହୋଇପାରିଲା ନାହିଁ। ଶାନ୍ତିସ୍ତୂପ ପର୍ଯ୍ୟନ୍ତ ଅନେକ ଷ୍ଟ୍ରିଟ୍‌ଲାଇଟ ଖରାପ ହୋଇଯାଇଛି। ଏନେଇ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ ଲାଇଟ ଲଗାଯାଉ ନାହିଁ।