ପେସାଦାର ଅପରାଧୀକୁ ପାସପୋର୍ଟ ମିଳିବା ଘଟଣା, ତଦନ୍ତ ଫାଇଲରେ ବନ୍ଧା ହେବ କି ଡୋରି?

ଦୋଷ ଲୁଚାଇବାକୁ ଚାଲିଛି ପ୍ରୟାସ

ଭୁବନେଶ୍ବର: ରାଜଧାନୀରେ ପେସାଦାର ଅପରାଧୀକୁ ପାସ୍‌ପୋର୍ଟ ମିଳିବା ଘଟଣାର ତଦନ୍ତ ଶେଷ ହୋଇଛି। ଏସିପି ଘଟଣାର ତଦନ୍ତ କରି ତୁରନ୍ତ ରିପୋର୍ଟ ମଧ୍ୟ ଦାଖଲ କରିଛନ୍ତି। ରିପୋର୍ଟ ଦାଖଲ ହେବାର ୧୫ ଦିନରୁ ଅଧିକ ଦିନ ବିତି ଗଲାଣି। କିନ୍ତୁ ଏଯାଏ ଦୋଷୀ କର୍ମଚାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏହି ଘଟଣାରେ ପୁଲିସ କର୍ମଚାରୀଙ୍କ ସାଂଘାତିକ ତ୍ରୁଟି ଥିବାରୁ ତୁରନ୍ତ ପାସ୍‌ପୋର୍ଟ ରଦ୍ଦ କରିବା ପାଇଁ ସୁପାରିସ୍‌ କରାଯାଇଥିଲା। ଏହାପରେ ପାସ୍‌ପୋର୍ଟ ଯାଞ୍ଚ କରିଥିବା କର୍ମଚାରୀଙ୍କ ଦୋଷତ୍ରୁଟି ସାମ୍ନାକୁ ଆସିଥିଲା। ପାସପୋର୍ଟ ଯାଞ୍ଚ ଦାୟିତ୍ବରେ ଥିବା ସମ୍ପୃକ୍ତ କନଷ୍ଟେବଳଙ୍କୁ ରାତି ଅଧିଆ ବଦଳି କରି ଦିଆ ଯାଇଥିଲା। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏହାରି ଭିତରେ ଡିସିପି ଅନୁପ ସାହୁଙ୍କର ବଦଳି ହୋଇଯାଇଛି। ତେଣୁ ଦୋଷୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ନୂଆ ଡିସିପି ଉମାଶଙ୍କର ଦାଶ କାର୍ଯ୍ୟରେ ଯୋଗ ଦେଇଥିବା ବେଳେ କାର୍ଯ୍ୟାନୁଷ୍ଠାନ ହେବ କି ନାହିଁ, ଏବେ ରହସ୍ୟ ଭିତରେ ରହିଛି।

ସୂଚନାଯୋଗ୍ୟ, ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ଜଣେ ପେସାଦାର ଅପରାଧୀ ନାଁରେ ରାଜଧାନୀରେ ୧୨ଟି ସଂଗିନ ଅପରାଧ ମାମଲା ରହିଛି। ପ୍ରଥମେ ୨୦୧୮ ମସିହାରେ ପାସପୋର୍ଟ ଆବେଦନ କରିଥିବା ବେଳେ ଯାଞ୍ଚ ସମୟରେ ଅପରାଧ ମାମଲା ରହିଥିବାରୁ ଖାରଜ ହୋଇଥିଲା। ୨୦୧୯ ଫେବ୍ରୁଆରିରେ ଯୁବକ ଜଣକ ପୁଣିଥରେ ଆବେଦନ କରିଥିଲା। ଚନ୍ଦ୍ରଶେଖରପୁର ଥାନା ପୁଲିସ ଗୋଟିଏ ଦିନରେ ଯାଞ୍ଚ ଶେଷ କରି ଦେଇଥିଲା। କୌଣସି ଅପରାଧ ମାମଲା ନଥିବା ରିପୋର୍ଟରେ ଉଲ୍ଲେଖ କରିଥିଲା। ଆଶ୍ଚର୍ଯ୍ୟର ବିଷୟ ହେଲା, ଯାଞ୍ଚ ହେବାର ମାତ୍ର ଅଳ୍ପ ଦିନ ପୂର୍ବରୁ ଚନ୍ଦ୍ରଶେଖରପୁର ଥାନାରେ ସମ୍ପୃକ୍ତ ଯୁବକ ନାଁରେ ଗୋଟିଏ ମାମଲା ରୁଜୁ ହୋଇଥିଲା। ପାସ୍‌ପୋର୍ଟ ସେକ୍ସନ ଦାୟିତ୍ବରେ ଥିବା କନଷ୍ଟେବଳ ଯାଞ୍ଚ କରିଥିଲେ। ତତ୍କାଳୀନ ଥାନାଧିକାରୀ ଏହି ଫାଇଲରେ ଦସ୍ତଖତ କରିବା ପରେ ଡିଆଇବି କାର୍ଯ୍ୟାଳୟକୁ ଫେରି ଆସିଥିଲା। ପାସ୍‌ପୋର୍ଟ ମିଳିବା ପରେ ସମ୍ପୃକ୍ତ ଯୁବକ ବିଦେଶ ବୁଲିଥିବା ଜଣାପଡ଼ିଛି। ସମ୍ପୃକ୍ତ କନଷ୍ଟେବଳ ଓ ତତ୍କାଳୀନ ଥାନାଧିକାରୀଙ୍କ ଦୋଷକୁ ଲୁଚାଇବା ପାଇଁ ପ୍ରୟାସ ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି।

ଉଲ୍ଲେଖଯୋଗ୍ୟ, ଲକ୍‌ଡାଉନ୍‌ରେ ସର୍ବସାଧାରଣ ସ୍ଥାନରେ ମଦ୍ୟପାନ କରିବା ଘଟଣାରେ କନଷ୍ଟେବଳ ତଥା ଭୁବନେଶ୍ବର ହାବିଲଦାର ଓ କନଷ୍ଟେବଳ ସଂଘର ସମ୍ପାଦକ ପ୍ରସନ୍ନ ବେହେରାଙ୍କୁ ୨୪ ଘଣ୍ଟା ଭିତରେ ଚାକିରିରୁ ନିଲମ୍ବିତ କରାଯାଇଥିଲା। ଲାଞ୍ଚ ନେବା ଅଭିଯୋଗରେ କମିସନରେଟ ମୁଖ୍ୟାଳୟ ଆକାଉଣ୍ଟର ବିଭାଗ କନଷ୍ଟେବଳ ସୁରେଶ ଚନ୍ଦ୍ର ଦାଶଙ୍କୁ ୨ ଘଣ୍ଟା ଭିତରେ ପୁଲିସ୍‌ କମିସନର୍‌ ନିଲମ୍ବନ କରିଥିଲେ। ନନ୍ଦନକାନନ ଥାନାର ତତ୍କାଳୀନ ଥାନାଧିକାରୀ ପରମାନନ୍ଦ ନାୟକଙ୍କ ବିରୋଧରେ ମଧ୍ୟ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇଥିଲା। କିନ୍ତୁ ଏଭଳି ଏକ ସଙ୍ଗିନ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବା କମିସନରେଟ ପୁଲିସ୍‌ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆଇନଜୀବୀ ବନ ମହାନ୍ତି କହିଛନ୍ତି, ଯୌତୁକ ନିର୍ଯାତନା ମାମଲାରେ ଅଭିଯୁକ୍ତ ପାସ୍‌ପୋର୍ଟ ଆବେଦନକୁ ଯାଞ୍ଚ ସମୟରେ ପୁଲିସ ଖାରଜ କରି ଦେଉଛି। ଏଭଳି ଜଣେ ପେସାଦାର ଅପରାଧୀକୁ ପାସପୋର୍ଟ ମିଳିବା ପଛରେ ନିଶ୍ଚିତ କିଛି ଉଦ୍ଦେଶ୍ୟ ରହିଛି। ଦୋଷୀ କର୍ମଚାରୀ ଓ ଅଧିକାରୀଙ୍କୁ ତୁରନ୍ତ ନିଲମ୍ବନ ସହ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର