ପେସାଦାର ଅପରାଧୀକୁ ପାସପୋର୍ଟ ମିଳିବା ଘଟଣା: ବିଭାଗୀୟ ତଦନ୍ତ ପାଇଁ ପଛଘୁଞ୍ଚା କାହିଁକି?

ଭୁବନେଶ୍ବର: ଏକାଧିକ ଅପରାଧ ମାମଲାରେ ସମ୍ପୃକ୍ତ ଥାଇ ମଧ୍ୟ ଜଣେ ଯୁବକଙ୍କୁ ପାସପାର୍ଟ ମିଳିବା ଘଟଣାରେ ଆରମ୍ଭ ହୋଇଛି ତନାଘନା। ବିଭାଗୀୟ ତଦନ୍ତ ଆରମ୍ଭ ହେବା ପୂର୍ବରୁ ଚନ୍ଦ୍ରଶେଖରପୁର ଥାନାର ପାସପୋର୍ଟ ସେକ୍ସନ ଦାୟିତ୍ବରେ ଥିବା କନଷ୍ଟେବଲ୍‌ ମନୋରଞ୍ଜନ ପରିଡ଼ାଙ୍କୁ ତରବରିଆ ଭାବେ ବଦଳି କରି ଦିଆଯାଇଛି। ମନୋରଞ୍ଜନଙ୍କୁ ଥାନାରୁ ରିଲିଭ୍ କରାଯାଇଥିବା ବେଳେ ଖଣ୍ଡଗିରି ଥାନା ଏସିପି ଅଫିସରେ ତାଙ୍କୁ ଅବସ୍ଥାପିତ କରାଯାଇଥିବା ସୂଚନା ମିଳିଛି। କିନ୍ତୁ ଏତେ ବଡ଼ କେଳେଙ୍କାରି ହୋଇଥିଲେ ବି କାହିଁକି ଏ ପର୍ଯ୍ୟନ୍ତ ବିଭାଗୀୟ ତଦନ୍ତ ଆରମ୍ଭ ହୋଇ ନାହିଁ ତାକୁ ନେଇ ଉଠିଛି ପ୍ରଶ୍ନ। ପୁଲିସର କାର୍ଯ୍ୟଶୈଳୀକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ବିଗତ ଦିନରେ ଏକାଧିକ ଘଟଣା ଏହି ଭଳି ଭାବେ ଚପି ଯାଇଥିବା ଜଣାପଡ଼ିଛି। ସେପଟେ କେବଳ ପାସପୋର୍ଟ ରଦ୍ଦ କରିବା ପାଇଁ ଚିଠି ଲେଖି ହାତ ବାନ୍ଧି ବସିଛି ପୁଲିସ।

ମିଳିଥିବା ସୂଚନା ଅନୁସାରେ, ଏକାଧିକ ଅପରାଧରେ ସମ୍ପୃକ୍ତ ଥିବା ଚନ୍ଦ୍ରଶେଖରପୁର ଅଞ୍ଚଳର ଯୁବକ ଜଣଙ୍କ ୨୦୧୮ ମସିହାରେ ପାସପୋର୍ଟ ପାଇଁ ଆବେଦନ କରିଥିଲା। ଅପରାଧ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଆବେଦନକୁ ଖାରଜ କରି ଦେଇଥିଲା ପୁଲିସ। କିନ୍ତୁ ୨୦୧୯ ଫେବ୍ରୁଆରି ୧୪ ତାରିଖରେ ସମ୍ପୃକ୍ତ ଯୁବକ ପୁଣି ଥରେ ପାସପୋର୍ଟ ଆବେଦନ କରିଥିଲା। ପାସପୋର୍ଟ ଯାଞ୍ଚ ଲାଗି ୧୮ ତାରିଖରେ ଫାଇଲ ଡିଆଇବି କାର୍ଯ୍ୟାଳୟକୁ ଆସିଥିଲା। ୧୯ ତାରିଖରେ ଯାଞ୍ଚ କରିବା ଲାଗି ଚନ୍ଦ୍ରଶେଖରପୁର ଥାନାକୁ ଫାଇଲ ପଠାଇଥିଲା ଡିଆଇବି କାର୍ଯ୍ୟାଳୟ। ଗୋଟିଏ ଦିନରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଫାଇଲ ଯାଞ୍ଚ କରି ଡିଆଇବି କାର୍ଯ୍ୟାଳୟକୁ ୨୦ ତାରିଖରେ ପଠାଇ ଦେଇଥିଲା। ଏଠାରେ ପ୍ରଶ୍ନ ଉଠୁଛି ୨୦୧୮ରେ ଅପରାଧ ମାମଲା ଥିବାରୁ ସମ୍ପୃକ୍ତ ଯୁବକଙ୍କର ଆବେଦନକୁ ପୁଲିସ ଅଗ୍ରାହ୍ୟ କରି ଦେଇଥିବା ବେଳେ ୨୦୧୯ରେ କେମିତି ତରବରିଆ ଭାବେ ଯାଞ୍ଚ ସାରି ଦେଇଥିଲା ପୁଲିସ? କାହିଁକି ସମ୍ପୃକ୍ତ ଆବେଦନକାରୀଙ୍କ ପୃଷ୍ଠଭମିକୁ ଯାଞ୍ଚ କରି ନ ଥିଲା? ଗୋଟିଏ ଦିନରେ ଯାଞ୍ଚ ଶେଷ ହୋଇଥିବାରୁ ଥାନାଧିକାରୀ କେମିତି ଏହି ଫାଇଲରେ ଦସ୍ତଖତ କରିଥିଲେ? କାହିଁକି ଏହା ଉପରେ ପ୍ରଶ୍ନ ଉଠାଇ ନ ଥିଲେ? ତରବରିଆ ଭାବେ ଯାଞ୍ଚ ଶେଷ ହେବା ପଛରେ ପୁଲିସର କ’ଣ ଉଦ୍ଦେଶ୍ୟ ରହିଥିଲା? ଏଭଳି ଏକାଧିକ ପ୍ରଶ୍ନ ପୁଲିସ କାର୍ଯ୍ୟଦକ୍ଷତାକୁ ସନ୍ଦେହଘେରକୁ ଟାଣିଛି। ଏହି ଘଟଣାରେ ପୁଲିସର ସମ୍ପୂର୍ଣ୍ଣ ଦାୟିତ୍ବହୀନତା ପଦାରେ ପଡ଼ିଛି। ନିରପେକ୍ଷ ତଦନ୍ତ ହେବା ପରେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି କୁହାଯାଉଛି। ପୂର୍ବାରୁ ରାଜଧାନୀରେ ଏକାଧିକ ଜାଲ ପାସପୋର୍ଟ ଧରା ପଡ଼ିଛି। ୨୦୧୯ ଅଗଷ୍ଟ ୧୧ ତାରିଖରେ ଭୁବନେଶ୍ବର ଏୟାରପୋର୍ଟରୁ ଧରା ପଡ଼ିଥିଲା ବାଂଲାଦେଶୀ ଯୁବକ ଆୟାନ ସର୍ମାନ୍ ଓରଫ୍ ବରୁଆ। ପୁଲିସ ବାଂଲାଦେଶୀ ଯୁବକକୁ ଗିରଫ କରି କୋର୍ଟଚାଲାଣ କରିଥିଲା। କିନ୍ତୁ ଜାଲ ପାସପୋର୍ଟ ରାକେଟର ମୂଳ ପର୍ଯ୍ୟନ୍ତ ପହଞ୍ଚି ପାରି ନ ଥିଲା।

ସମ୍ବନ୍ଧିତ ଖବର