ଟିକାଦାନ କେନ୍ଦ୍ରରେ ପାତରଅନ୍ତର; ଚିହ୍ନାଙ୍କୁ ଆଗ, ଅଚିହ୍ନାଙ୍କୁ ପଛ

ଭୁବନେଶ୍ବର : ଟିକାଦାନ କେନ୍ଦ୍ରରୁ କାହାକୁ ଫେରାଇ ଦିଆଯିବନାହିଁ। ସରକାରୀ ଟିକାଦାନ କେନ୍ଦ୍ରକୁ ଯାଇଥିବା ସମସ୍ତଙ୍କୁ ସେହିଦିନ ହିଁ ଟିକା ଦିଆଯିବ। କିନ୍ତୁ ରାଜଧାନୀର କିଛି ଟିକା କେନ୍ଦ୍ରରେ ପାତରଅନ୍ତର ନୀତି ଅବଲମ୍ବନ କରାଯାଉଥିବା ଅଭିଯୋଗ ହେଉଛି। ଚିହ୍ନା ମୁହଁ ଓ ବଡ଼ବଡ଼ିଆଙ୍କୁ ଦେଖି ସେମାନଙ୍କୁ ଆଗୁଆ ଟିକା ଦିଆଯାଉଛି। ଅଥଚ ଅଚିହ୍ନା ସାଧାରଣ ଲୋକଙ୍କୁ ଧାଡ଼ିବାନ୍ଧି ଅପେକ୍ଷା କରାଇବା ପରେ ବି ବିଭିନ୍ନ ବାହାନା ଦେଖାଇ ଫେରାଇ ଦିଆଯାଉଛି। କେତେବେଳେ ସମୟ ସରିଗଲାଣି ତ କେତେବେଳେ ଟିକା ସରି ଯାଇଥିବା କହି ସେମାନଙ୍କୁ ଫେରାଇ ଦିଆଯାଉଛି।

ଭୁବନେଶ୍ବରରେ ୨୭ଟି ସରକାରୀ ଟିକାଦାନ କେନ୍ଦ୍ରରେ ଟିକା ଦିଆଯାଉଛି। କ୍ୟାପିଟାଲ ହସ୍ପିଟାଲ ଭଳି ପ୍ରତିଷ୍ଠିତ ସ୍ଥାନରେ ପ୍ରାୟ ସବୁ କିଛି ଠିକ୍‌ଠାକ ଚାଲିଛି। କିନ୍ତୁ କିଛି ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳୁଛି। ୟୁନିଟ୍‌-୪ସ୍ଥିତ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏଭଳି ପାତରଅନ୍ତର ନୀତି କରାଯାଉଥିବା‌ ଅଭିଯୋଗ ହୋଇଛି। ଆଜି ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାବେଳେ ଏଠାକୁ ଟିକା ନେବାକୁ ଆସିଥିବା ୨୦ରୁ ଅଧିକରୁ ବ୍ୟକ୍ତିଙ୍କୁ ଫେରାଇ ଦିଆଯାଇଥିଲା। ଟିକା ସରିଗଲା ବୋଲି କହି ସେମାନଙ୍କୁ ଫେରାଇ ଦିଆଗଲା। ମାତ୍ର ସେମାନେ ଫେରିବାର ମାତ୍ର କିଛି ମିନିଟ୍‌ ପରେ ଏକ ଦାମୀ କାର୍‌ରେ ଆସିଥିବା ବ୍ୟକ୍ତିଙ୍କୁ ଟିକା ଦିଆଯାଇଥିଲା। ଟିକା କେନ୍ଦ୍ରରୁ ଫେରିଥିବା କିଛି ଲୋକ ଏହା ଦେଖିବା ପରେ ସେମାନଙ୍କ ମଧ୍ୟ‌ରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ସେମାନେ ଟିକା ଦାନରେ ନିୟୋଜିତ କର୍ମଚାରୀଙ୍କୁ ଏନେଇ ପଚାରିବାରୁ ସେମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ତଥାପି ସେମାନଙ୍କୁ ଟିକା ଦିଆଯାଇନଥିଲା।

ସମ୍ବନ୍ଧିତ ଖବର