ଆଳୁ ଦର ନିୟନ୍ତ୍ରଣ ମାମଲା : ଖୁଚୁରା ବେପାରୀ ବିଲ୍‌ ଦେଖାଇବାକୁ ବାଧ୍ୟ

ଖଣ୍ଡଗିରି: ଏଣିକି ଖାଉଟିମାନଙ୍କୁ ଖୁଚୁରା ବଜାରର ଆଳୁ ବେପାରୀମାନେ ସେମାନଙ୍କ କିଣା ବିଲ୍‌ ଦେଖାଇବାକୁ ବାଧ୍ୟ ହେବେ। ଫଳରେ ଖୁଚୁରା ବେପାରୀମାନେ କେତେ ଦରରେ କିଣୁଛନ୍ତି ଓ କେତେ ଦରରେ ବିକୁଛନ୍ତି, ତାହା ସ୍ପଷ୍ଟ ହୋଇଯିବ ଏବଂ ଖୁଚୁରା ବେପାରୀମାନେ ଆଉ ଖାଉଟିମାନଙ୍କୁ ଶୋଷଣ କରିବା ବାଟ ପାଇବେ ନାହିଁ। ବହୁ ସମୟରେ ବିଭିନ୍ନ କାରଣରୁ ପାଇକାରୀ ଦର ଓ ଖୁଚୁରା ଦର ଭିତରେ ରହୁଥିବା ଅଧିକ ପ୍ରଭେଦ ଯୋଗୁଁ ଖାଉଟିମାନେ ଶୋଷଣର ଶିକାର ହେଉଥିବାର ଯେଉଁ ପରମ୍ପରାଟି ରହି ଆସିଛି, ସେଥିରେ ପୂର୍ଣ୍ଣଛେଦ ପଡ଼ିବ। ଖୁଚୁରା ବେପାରୀମାନଙ୍କ ମନମାନିକୁ ରୋକିବା ପାଇଁ ଯୋଗାଣ ବିଭାଗର ଅଧିକାରୀମାନେ ଏଣିକି ନିୟମିତ ଖୁଚୁରା ବଜାରରେ ତନଖି କରିବେ। ଗୁରୁବାର ଖୋର୍ଧା ଜିଲ୍ଲାପାଳଙ୍କ ପକ୍ଷରୁ ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏ ନେଇ ଜିଲ୍ଲାପାଳ ଯୋଗାଣ ବିଭାଗ ଅଧିକାରୀମାନଙ୍କୁ କଡ଼ା ତାଗିଦ୍‌ କରିଛନ୍ତି।

ଆଜି ଭୁବନେଶ୍ୱର ସର୍କିଟ୍‌ ହାଉସ୍‌ରେ ଜିଲ୍ଲାପାଳ ନିର୍ମଳଚନ୍ଦ୍ର ମିଶ୍ର ଏକ ସମୀକ୍ଷା ବୈଠକ ଆୟୋଜନ କରିଥିଲେ। ଖୋର୍ଧା ଜିଲ୍ଲାର ସମସ୍ତ ଯୋଗାଣ ବିଭାଗ ଅଧିକାରୀ, ଗୁଇନ୍ଦା ବିଭାଗର ଅଧିକାରୀମାନଙ୍କ ସହ ବ୍ୟବସାୟୀ ସଂଘର ସମ୍ପାଦକ ସୁଧାକର ପଣ୍ଡା ଏହି ବୈଠକରେ ଉପସ୍ଥିତ ଥିଲେ। ଖୁଚୁରା ବଜାରରେ ଖାଉଟିମାନଙ୍କ ଶୋଷଣକୁ ନେଇ ଆଲୋଚନା କରାଯାଇଥିଲା। ପାଇକାରୀ ଦରଠାରୁ ୩/୪ ଟଙ୍କା ଲାଭ ରଖି ଖୁଚୁରା ବେପାରୀମାନେ ଖାଉଟିଙ୍କୁ ଆଳୁ ବିକିବା କଥା। ମାତ୍ର ବହୁ ସମୟରେ ଖୁଚୁରା ମାର୍କେଟ୍‌ରେ ସେମାନେ କିଲୋ ପିଛା ୬/୭ ଟଙ୍କା ଲାଭ ରଖୁଥିବା ଲକ୍ଷ୍ୟ କରାଯାଉଛି। ଏମିତିକି ନିମ୍ନମାନର ଆଳୁ କିଣି ଖୁଚୁରା ବେପାରୀମାନେ ଭଲମାନର ଆଳୁ ଦରରେ ବିକିବା ଦେଖାଯାଉଛି। ଏହାକୁ କିଭଳି ରୋକା ଯାଇପାରିବ, ସେ ନେଇ ବିସ୍ତତ ଆଲୋଚନା କରାଯାଇଥିଲା। ବହୁ ସମୟରେ ପାଇକାରୀ ବେପାରୀମାନେ ଖୁଚୁରା ବେପାରୀମାନଙ୍କୁ ବିଲ୍‌ ଦେଉ ନଥିବାବେଳେ ଅନେକ ସମୟରେ ଖୁଚୁରା ବେପାରୀମାନେ ମଧ୍ୟ ବିଲ୍‌ ଜାଣିଶୁଣି ନେଉ ନଥିବା ଆଲୋଚନାରୁ ଜଣାପଡ଼ିଥିଲା। କିନ୍ତୁ ଏଣିକି ଏହି ପରମ୍ପରା ବନ୍ଦ କରିବାକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ନିର୍ଦେଶ ଦେଇଥିଲେ। ପାଇକାରୀ ବ୍ୟବସାୟୀମାନେ ଖୁଚୁରା ବେପାରୀମାନଙ୍କୁ କିଣାବିକା ସମୟରେ ହିଁ ବିଲ୍‌ ଦେବେ ବୋଲି ସ୍ଥିର ହୋଇଥିଲା। ସେହିଭଳି ଖୁଚୁରା ବେପାରୀମାନେ ଏଣିକି ଦୋକାନରେ ଆଳୁର କିସମ ଅନୁସାରେ ଦର ତାଲିକା ଚାର୍ଟ ଲଗାଇବେ ବୋଲି ଧାର୍ଯ୍ୟ କରାଯାଇଥିଲା। ଯଦି ଦର ତାଲିକା ଲଗାଇବାକୁ ଦୋକାନରେ ସୁବିଧା ନଥାଏ, ତେବେ କ୍ରେତାମାନେ ଚାହିଁଲେ, ଖୁଚୁରା ବେପାରୀ ସେମାନଙ୍କୁ ଆଳୁ କିଣା ବିଲ୍‌ ଦେଖାଇବାକୁ ବାଧ୍ୟ ହେବେ। ପାଇକାରୀ ଦର ଓ ଖୁଚୁରା ବଜାର ଦର ଭିତରେ ଅତି ବେଶିରେ ୪ ଟଙ୍କା ପାର୍ଥକ୍ୟ ରହିବ। ତେବେ ଭୁବନେଶ୍ୱର ସହର ଭିତରେ ଏହି ପାର୍ଥକ୍ୟ ୩ ଟଙ୍କା ରହିବ ବୋଲି ନିଷ୍ପତ୍ତି ନିଆଯାଇଛି। ରାଜଧାନୀ ଉପକଣ୍ଠରେ ଏହାକୁ ୪ ଟଙ୍କା ପର୍ଯ୍ୟନ୍ତ ବଢ଼ାଇବାକୁ କୁହାଯାଇଛି।

ଜିଲ୍ଲାପାଳଙ୍କ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ଯୋଗାଣ ଅଧିକାରୀ, ସହ ଅଧିକାରୀ, ମାର୍କେଟିଂ ଇନ୍‌ସ୍ପେକ୍ଟର(ଏମ୍‌ଆଇ)ମାନେ ଏଣିକି ନିୟମିତ ଖୁଚୁରା ବଜାରରେ ଚଢ଼ଉ କରିବେ। ସେହିଭଳି ଖୁଚୁରା ବେପାରୀମାନେ ପାଇକାରୀ ବେପାରୀମାନଙ୍କଠାରୁ କିଣା ବିଲ୍‌ ନେଉଛନ୍ତି କି ନା, ତାହା ମଧ୍ୟ ସେମାନେ ନିୟମିତ ଯାଞ୍ଚ କରିବେ ବୋଲି ଆଜି ବୈଠକରେ ସ୍ଥିର କରାଯାଇଛି। ଜିଲ୍ଲା ଯୋଗାଣ ଅଧିକାରୀ ସୁଧାକର ପ୍ରଧାନଙ୍କ ନେତୃତ୍ୱରେ ବିଭିନ୍ନ ଟିମ୍‌ ଉଭୟ ପାଇକାରୀ ଓ ଖୁଚୁରା ବଜାରରେ ନିୟମିତ ଯାଞ୍ଚ କରିବେ। ଉଲ୍ଲେଖଯୋଗ୍ୟ ଯେ ଭୁବନେଶ୍ୱର ଆଇଗିଣିଆ କୁବେରପୁରୀରେ ଆଳୁର ପାଇକାରୀ ଦର ୧୩ରୁ ୧୪ ଟଙ୍କା ରହିଛି। ତେଣୁ ଖୁଚୁରା ବଜାରରେ ଆଳୁ କିଲୋ ଯେମିତି ୧୮ ଟଙ୍କାକୁ ନ ଟପେ, ସେଥିପ୍ରତି ନଜର ରଖିବାକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ଯୋଗାଣ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି। ଆଜି କ୍ୟାପିଟାଲ ହାଟରେ ଆଳୁ କିଲୋ ପିଛା କିସମ ଅନୁସାରେ ୧୬ରୁ ୧୮ ଟଙ୍କାରେ ବିକ୍ରି ହୋଇଛି।

ସମ୍ବନ୍ଧିତ ଖବର