ମନ ମୋହିଲା ଜୁମ୍ବା ଡାନ୍ସ, ସ୍ବତନ୍ତ୍ର ମଞ୍ଚରେ ଅନନ୍ୟ ପ୍ରସ୍ତୁତି

Advertisment

publive-image

ଭୁବନେଶ୍ବର: ଶୀତୁଆ ସକାଳ। ରାସ୍ତାରୁ କୁହୁଡ଼ି ଛାଡ଼ିନଥିଲା। ସୂର୍ଯ୍ୟ ବି ଉଇଁ ନଥିଲେ। ହେଲେ ଦୁଲୁକୁଥିଲା ଜନପଥ। କେଉଁଠି ସମ୍ବଲପୁରୀ ତ’ କେଉଁଠି ଆଧୁନିକ, ଆଉ କେଉଁଠି ଫ୍ୟୁଜନ୍‌ ଡାନ୍ସରେ ମସଗୁଲ୍‌ ଥିଲେ ସମସ୍ତେ। ମଞ୍ଚରେ ଯେମିତି ଠାଣି, ମଞ୍ଚ ତଳେ ବି ତା’ଠୁ ବଳି ଭାବଭଙ୍ଗୀ। ନାଚ, ଗୀତ, ମଜା ମସ୍ତିରେ ସମସ୍ତେ ଏକାକାର ହୋଇଯାଇଥିଲେ ରାସ୍ତା ଉପରେ। କେଉଁଠି ଭକ୍ତିରସରେ ବିଭୋର୍‌ ହେଉଥିଲେ ଶ୍ରୋତା, ପୁରୁଣା ଗୀତ ମନେ ପକାଇ ଦେଉଥିଲା ୯୦ ଦଶକର ରେଡିଓ କଥା। ଜନପଥରେ ଏଭଳି ଏକ ମାହୋଲ ଆଣି ଦେଇଥିଲା ପଥୋତ୍ସବ। ମାଷ୍ଟର କ୍ୟାଣ୍ଟିନ୍‌ରୁ ରାମ ମନ୍ଦିର ପର୍ଯ୍ୟନ୍ତ ହୋଇଥିବା ତିନିଟି ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ରାଜଧାନୀବାସୀଙ୍କୁ ବାନ୍ଧି ରଖିଥିଲା। ଦୀର୍ଘ ତିନି ବର୍ଷ ପରେ ଆୟୋଜିତ ହୋଇଥିବାରୁ ହଜାର ହଜାର ଲୋକ ଏହାର ମଜା ନେବାର ସୁଯୋଗ ଛାଡ଼ି ନଥିଲେ।

ନଚାଇଲା ପ୍ରିନ୍ସ ଡାନ୍ସ ଗ୍ରୁପ୍‌

publive-image

ରାମମନ୍ଦିର ସାମ୍ନା ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ‘ୟୁବା ରକ୍‌ ବ୍ୟାଣ୍ଡ’ରୁ ଆରମ୍ଭ ହୋଇଥିଲା। ଏହା ପରେ ଭିକି ଡ୍ୟାନ୍ସ ଗ୍ରୁଫର ଶିଶୁମାନେ ନୃତ୍ୟ ପ୍ରଦର୍ଶନ କରିଥିଲେ। କ୍ରିୟା ଫାଉଣ୍ଡେସନ୍‌ ପକ୍ଷରୁ କ୍ୟାନ୍‌ସରକୁ ନେଇ ସଚେତନମୂଳକ ନାଟକ ପରିବେଷିତ ହୋଇଥିଲା। ପରେ ଓଡ଼ିଶୀ ନୃତ୍ୟ ଓ ସଂଗୀତ ପରିବେଷିତ କରାଯାଇଥିଲା। ଶିଶୁ କଳାକାର ଦେବାଂଶ ନୃତ୍ୟ ପରିବେଷଣ କରିଥିଲେ। ଏହାପରେ ଜୁମ୍ବା ନୃତ୍ୟ ପରିବେଷଣ କରାଯାଇଥିଲା। ଶେଷରେ ଲଚକମଣି ଓ ରଙ୍ଗବତୀ ଗୀତରେ ଝୁମିଥିଲେ ସମସ୍ତେ। ଏହି ଅବସରରେ ହକି ଥିମ୍‌ ଗୀତ ‘ଖେଳ ହେବ ଖେଳ ହେବ’ ଲୋକାର୍ପିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଅଭିଷେକ ମହାନ୍ତି ସଂଯୋଜନା କରିଥିଲେ। ସେହିଭଳି ମୁଖ୍ୟ ମଞ୍ଚରେ ପ୍ରିନ୍ସ ଡାନ୍ସ ଗ୍ରୁପ୍‌ ବନ୍ଦେ ଉତ୍କଳ ଜନନୀ ଗୀତରେ ନୃତ୍ୟ ପରିବେଷଣ କରିଥିଲା। ଶଶାଙ୍କ ଓ ତନୁଶ୍ରୀଙ୍କ ଗୀତ ‘ହାଲ୍‌ କୈସା ହୈ ଜନାବ୍‌ କା’ ଗୀତ ସହ ନୂଆ ପୁରୁଣା ଓଡ଼ିଆ ଗୀତରେ ଦର୍ଶକ ଝୁମିଥିଲେ।

ଏହା ବ୍ୟତୀତ ରୋଟାରାକ୍ଟ ପକ୍ଷରୁ ମାନସିକ ଦୁଶ୍ଚିନ୍ତାରୁ ମୁକ୍ତି ପାଇଁ ‘ଫ୍ରି ହଗ୍‌’, ସ୍କେଟିଂ ଓ ରୋଲ୍‌ ବଲ୍‌, ମୁରୁଜ, ଲାଇଭ୍‌ ପ୍ରୋଟ୍ରେଟ୍‌ ଅଙ୍କା, ବିଶ୍ବକପ୍‌ ‘ଓଲି’ ସହ ସେଲ୍ଫି, ଭୁବନେଶ୍ବର ହେଲ୍‌ଥ କ୍ଲବ୍‌ ପକ୍ଷରୁ ନୃତ୍ୟର ତାଳେ ତାଳେ ବ୍ୟାୟାମ, ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରତିଯୋଗିତା, ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା। ପୂର୍ବାପେକ୍ଷା ଏଥର କମ୍‌ ଷ୍ଟଲ୍‌ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା।