ନବ ପ୍ରତିଭାଙ୍କ ନିଆରା ପ୍ରଦର୍ଶନ

Advertisment

publive-image

ଆଜିର ପଥୋତ୍ସବର ଆକର୍ଷଣ ଥିଲା ‘ଭୁବନେଶ୍ବର ଗଟ୍‌ ଟାଲେଣ୍ଟ’ ମଞ୍ଚ। ଏଥିରେ ସହରର ଲୁକ୍କାୟିତ ପ୍ରତିଭା ସେମାନଙ୍କର ‌କଳା ନୈପୁଣ୍ୟତା ଦେଖାଇଥିଲେ। ନା କୌଣସି ପଞ୍ଜୀକରଣ କରିବାକୁ ଥିଲା, ନା ଧାଡ଼ି ବାନ୍ଧିବାକୁ ପଡ଼ୁଥିଲା। ଯିଏ ଆସୁଥିଲା ତା’କୁ ମଞ୍ଚ ମିଳୁଥିଲା। ମାତ୍ର ୬ ବର୍ଷ ବୟସର ଅନନ୍ୟା। ଦୁଇ ହାତ ନ ହେଲେ ମାଇକ୍ରୋଫୋନ୍‌ ଧରିପାରୁ ନାହାନ୍ତି। ହେଲେ ଉଚ୍ଚାରଣରେ ବାଟୁଳି ବାଜୁନି। ୯୦ ଶତକର ଗୀତ ‘କ୍ୟା ହୁଆ...କ୍ୟା ପତା’ ଗୀତ ଗାଇବା ବେଳେ ତାଙ୍କୁ ହଜାର ହଜାର ଶ୍ରୋତା ନିରବତାର ସହ ଛିଡ଼ା ହୋଇ ଶୁଣୁଥିଲେ।

ଗୀତ ସରିବା ପରେ ତାଳିରେ ଫାଟି ପଡ଼ିଥିଲା ଜନପଥ। କିଏ ସେଲ୍ଫି ଉଠାଉଥିଲା, ତ’ କିଏ କାଖ କରି ପକାଉଥିଲା ଏହି କୁନି କଳାକାରକୁ। କେବଳ ଅନନ୍ୟା ନୁହନ୍ତି, ‘ପତଲି କମରିଆ’ ଗୀତରେ ଶର୍ମିଷ୍ଠାଙ୍କ ନାଚ, ଅନନ୍ୟା ଦାସଙ୍କ ‘ମେରା ମୁଲ୍କ ମେରା ଦେଶ’ ଗୀତ, ଇପ୍‌ସିତା ସାହୁଙ୍କ ‘କାଲା ଚଷ୍‌ମା’ ଓ ରଙ୍ଗେଇଲୁଣ୍ଡା ଗୀତରେ ହୋଇଥିବା ନାଚ ଶୀତ ଛଡ଼ାଇ ଦେଇଥିଲା। ପ୍ରାୟ ୨୩ ଜଣ ଏହି ମଞ୍ଚରେ ପ୍ରତିଭା ପ୍ରଦର୍ଶନ କରିଥିଲେ। ଏହି ମଞ୍ଚରେ ମେନ୍‌ ଷ୍ଟ୍ରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ସହରର ପରିମଳ ବ୍ୟବସ୍ଥା ଉପରେ ପରିବେଷଣ କରିଥିବା ‘ନୁକ୍କଡ଼ ନାଟକ’ ମଧ୍ୟ ବେଶ୍‌ ଶିକ୍ଷଣୀୟ ହୋଇଥିଲା। ମାଉଥ୍‌ ଅର୍ଗାନ୍‌ରେ ଏକେ ଭବାନୀଙ୍କ ପୁରୁଣା ଗୀତର ସ୍ବର ମଧ୍ୟ ମନ ମୋହିଥିଲା। ଏହି କାର୍ଯ୍ୟକ୍ରମକୁ ସଞ୍ଜୀବ ପରିଡ଼ା ସଂଯୋଜନା କରିଥିଲେ।

‘ପଥୋତ୍ସବ ସହରର ନୂତନ ପରିଚୟ ହେଉ’

publive-image

ଭୁବନେଶ୍ବର: ଆଜିକୁ ୪ ବର୍ଷ ତଳେ ‘ରାହାଗିରି’ ଆରମ୍ଭ ହୋଇଥିଲା। ସେତେବେଳେ ପ୍ର‌ାୟୋଜକ ମଧ୍ୟ ନଥିଲା‌। ପର୍ଯ୍ୟଟନ ବିଭାଗ ଆର୍ଥିକ ସହାୟତାରେ ଏହି ନିଆରା କାର୍ଯ୍ୟକ୍ରମର ଆରମ୍ଭ କରାଯାଇଥିଲା। ୨୦୧୮ରେ ହକି ବିଶ୍ବକପ୍‌ ସହ ଯୋଡ଼ି ହୋଇ ‘ପଥୋତ୍ସବ’ ନାମରେ ନୂଆ ରୂପରେ ଆସିଲା। ହେଲେ କୋଭିଡ୍‌ ସବୁ ବିଗାଡ଼ି ଦେଇଥିଲା। ପୁଣି ଥରେ ହକି ଆସିଛି, ଆଉ ସେଇ ପଥ ଉତ୍ସବରେ ଆମକୁ ଏକାଠି ହେବାର ସୁଯୋଗ ଦେଇଛି।

ମେକ୍‌ ଇନ୍‌ ଓଡ଼ିଶା ଓ ବିଶ୍ବକପ୍‌ ହକିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ଏକ ନୂଆ ପରିଚୟ ସୃଷ୍ଟି କରିଛନ୍ତି। ଓଡ଼ିଆ ସଂସ୍କୃତିକୁ ରୁଦ୍ଧିମନ୍ତ କରୁଥିବା ଏହି ପଥୋତ୍ସବ ଭୁବନେଶ୍ବରର ପରିଚୟ ହେଉ। ଆଜି ସକାଳେ ଜନପଥରେ ଚଳିତବର୍ଷର ପ୍ରଥମ ପଥୋତ୍ସବକୁ ଉଦ୍‌ଘାଟନ କରିବା ଅବସରରେ ଏଭଳି କହିଛନ୍ତି ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର, କ୍ରୀଡ଼ା ମନ୍ତ୍ରୀ ତୁଷା‌ରକାନ୍ତି ବେହେରା, ବିଧ‌ାୟକ(ମଧ୍ୟ) ଅନନ୍ତ ନାରାୟଣ ଜେନା, ବିଧାୟକ(ଉତ୍ତର) ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, କମିସନର ବିଜୟ ଅମୃତା କୁଲାଙ୍ଗେ, ଷ୍ଟାଣ୍ଡି କମିଟି(ସାଂସ୍କୃତିକ) ଅଧ୍ୟକ୍ଷ ମିହିର କୁମାର ରାଉତ ପ୍ରମୁଖ ପତାକା ଓ ବେଲୁନ୍‌ ଉଡ଼ାଇ ଉଦ୍‌ଘାଟନ କରିଥିଲେ। ଦୀର୍ଘ ୩ବର୍ଷ ବନ୍ଦ ରହିବା ପରେ ଆୟୋଜିତ ହୋଇଥିବାରୁ ଆଜି ପ୍ରବଳ ଭିଡ଼ ହୋଇଥିଲା।
ସକାଳୁ ଉଭୟ ମେୟର ଓ କିମସନରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଜନପଥ ବୁଲି ସ୍ଥିତି ପରଖିଥିଲେ। ଉଦ୍‌ଘାଟନ ବିଳମ୍ବ ହୋଇଥିଲେ ମଧ୍ୟ ସକାଳ ସାଢ଼େ ୬ଟାରୁ ସାଢ଼େ ୯ଟା ପର୍ଯ୍ୟନ୍ତ ଜନପଥ ଉତ୍ସବ ମୁଖର ହୋଇଥିଲା।

ସୂଚନାଯୋଗ୍ୟ, ୮ ତାରିଖରେ କିଟ୍‌ ଛକ, ୧୫ରେ ଏକାମ୍ର ଅଞ୍ଚଳରେ ପଥୋତ୍ସବ ହେବ। ଗତ ଫେବ୍ରୁଆରି ୧୦ ତାରିଖରେ ଶେଷ ଥର ପାଇଁ ପଥୋତ୍ସବ(୭୮ ତମ) ଆୟୋଜିତ ହୋଇଥିଲା।