ଭୁବନେଶ୍ୱର: ୨୦୧୬ ମସିହାରେ ଭୁବନେଶ୍ବରରେ ଆରମ୍ଭ ହୋଇଥିବା ପଥୋତ୍ସବ ଆଜି ଏକାମ୍ର କ୍ଷେତ୍ରରେ ଶତକ ପୂରଣ କରିଛି। ସକାଳୁଆ ଶୀତ ସାଙ୍ଗକୁ ଧୂଆଁଳିଆ କୁହୁଡ଼ି ରାଜଧାନୀ ଖଣ୍ଡମଣ୍ଡଳକୁ ଆଚ୍ଛାଦିତ କରିଥିଲେ ହେଁ ସେଥିପ୍ରତି ଏକାମ୍ରବାସୀଙ୍କ ଆଦୌ ପରବାୟ ନଥିଲା। ଘଣ୍ଟାରେ ୬ଟା ନ ବାଜୁଣୁ ରଥରୋଡ୍‌ରେ ଲୋକଙ୍କ ଗହଳି ଜମି ଆସିଥିଲା। ପୂର୍ବ ନିର୍ଦ୍ଧାରିତ ସମୟ ଠିକ୍ ସାଢ଼େ ୬ଟା ବେଳକୁ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ। ନାଚ, ଗୀତରେ ଝୁମିବା ସହ ଲୋକେ ବିଭିନ୍ନ ଖାଦ୍ୟର ମଜା ନେଇଥିଲେ।

Advertisment

ଏଠି ବି ସାଇକେଲ ଷ୍ଟଣ୍ଟ, ସ୍କେଟିଂ ଓ ଜୁମ୍ବା ଡ୍ୟାନ୍ସ ଭଳି କାର୍ଯ୍ୟକ୍ରମ ଆକର୍ଷଣରେ ରହିଥିଲା। ଆବାଳ ବୃଦ୍ଧବନିତା ଏଥିରେ ଯୋଗ‌ଦେଇ ଦିନ ୧୦ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ। ଭୁବନେଶ୍ୱର ଗଟ୍‌ ଟ୍ୟାଲେଣ୍ଟ ପାଇଁ ପ୍ରସ୍ତୁତ ଷ୍ଟେଜ୍‌ରେ ସ୍କୁଲ, କଲେଜ ଛାତ୍ରଛାତ୍ରୀ ତଥା ସ୍ଥାନୀୟ ଯୁବପିଢ଼ି ନୃତ୍ୟ, ଅଭିନୟ ଓ ସଙ୍ଗୀତ ପରିବେଷଣ କରି ଲୋକଙ୍କ ମନୋରଂଜନ କରିଥିଲେ। ସେହିପରି ଗୋସାଗରେଶ୍ୱର ଛକ ନିକଟରେ ଥିବା ଏକ ଷ୍ଟେଜ୍‌ରେ ରକ୍‌-ବ୍ୟାଣ୍ଡ୍‌ ଦ୍ୱାରା ମନମତାଣିଆ ସଙ୍ଗୀତ ପରିବେଷିତ ହୋଇଥିଲା। ମାଉସୀ ମା’ ଛକ ନିକଟରେ ଥିବା ଅନ୍ୟ ଏକ ଷ୍ଟେଜ୍‌ରେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍‌ଙ୍କ ସହ ଓଲିଉଡ୍‌ର ପ୍ରଚ୍ଛଦପଟ୍ଟ ସଙ୍ଗୀତଜ୍ଞ ଓ ବିଭିନ୍ନ ନାମୀ ଗ୍ରୁପ୍‌ ଦ୍ବାରା ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା। ସେହିପରି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ କୁନି କୁନି ପିଲାଙ୍କୁ ନେଇ ଚିତ୍ରାଙ୍କନ, ଇଂରାଜୀ‌ରେ କଥାବାର୍ତ୍ତା ଓ କୁଇଜ୍ ଆଦି ପ୍ରତିଯୋଗିତା ଆୟୋଜିତ ହୋଇଥିଲା।

ଅପରପକ୍ଷେ ପାରମ୍ପରିକ ଫୁଡ୍ ଷ୍ଟଲ୍‌ରେ ଲୋକଙ୍କ ଗହଳି ଜମିଥିଲା। ମିଲେଟ୍‌ରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସହ ପିଠା, ବରା, ଦହିବରା, ଛେନାଗଜା, ରସଗୋଲା ଆଦି ଖାଇବାକୁ ଲୋକଙ୍କ ଭିତରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିଲା। ପ୍ରବଳ ଗହଳି ଓ ଠେଲାପେଲା ଯୋଗୁଁ ବହୁ ଲୋକେ ଖାଲି ହାତରେ ଫେରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ସୁର ରାଉତରାୟ, ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, ଅଲିମ୍ପିଆନ୍‌ ଅନୁରାଧା ବିଶ୍ବାଳ, କମିସନର ବିଜୟ ଅମୃତା କୁଲାଙ୍ଗେ, ଡେପୁଟି ମେୟର୍‌ ମଂଜୁଲତା କଅଁରଙ୍କ ସମେତ ସ୍ଥାନୀୟ ସମସ୍ତ କର୍ପୋରେଟର୍‌ ଉପସ୍ଥିତ ରହି ଲୋକମାନଙ୍କୁ ଉତ୍ସାହିତ କରିଥିଲେ।

ପ୍ରିନ୍ସ ଡାନ୍ସ ଗ୍ରୁପର ଦଶାବତାର ଓ ପ୍ରଜ୍ଞାଙ୍କ ଓ ବେବୀ ଓ ବେବୀ...

publive-image

କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା, ପ୍ରିନ୍ସ ଡାନ୍ସ ଗ୍ରୁପ୍‌ର ନୃତ୍ୟ ଦଶାବତାର। ଭଗବାନ ବିଷ୍ଣୁଙ୍କ ‘ଦଶାବତାର’ ବର୍ଣ୍ଣନା କରିବା ସହ ଶିବ ତାଣ୍ଡବ ନୃତ୍ୟ ଦର୍ଶକମାନଙ୍କୁ ବିମୋହିତ କରିଥିଲା। ସେହିଭଳି ଓଲିଉଡ୍‌ ପ୍ରଚ୍ଛଦପଟ୍ଟ ଗାୟିକା ପ୍ରଜ୍ଞା ହୋତାଙ୍କ ‘ଓ ବେବି ଓ ବେବୀ...’ ସଂଗୀତ ଲୋକଙ୍କୁ ମତୁଆଲା କରିଥିଲା।

‌ପ୍ରେମ କବିତା ବୋଲିଲେ ଥାନା ଅଧିକାରୀ

ଲିଙ୍ଗରାଜ ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର ଆଜି ପଥୋତ୍ସବରେ ପ୍ରେମ କବିତା ବୋଲି ଲୋକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥିଲେ। ଉତ୍ସବରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ସହ ଶ୍ରୀ ପାତ୍ର ନିଜସ୍ବ ଲିଖିତ ପ୍ରେମ କବିତା ‘ସଂଜ ବତି ଜାଳୁଥିଲ, ଚଉରା ପାଖରୁ ଲାଜେଇ ଲାଜେଇ, ହସି ଦେଇ ଚାଲିଗଲ...’ ବୋଲିଥିଲେ। ସେହିପରି ଭିଡ଼ ମଧ୍ୟରେ ଛୋଟଛୋଟ ପିଲା ରାମ, ଲକ୍ଷ୍ମଣ, ସୀତା ଓ ମା’ ଦୁର୍ଗାଙ୍କ ବେଶରେ ହାତରେ ହକି ଷ୍ଟିକ୍‌ ଧରି ବୁଲୁଥିଲେ।

ସୁର କହିଲେ, ‘ଆପଣ ମାନେ ଖୁସି ତ?’

ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ଭାଷଣ କାର୍ଯ୍ୟକ୍ରମରେ ଉତ୍ସାହ ଭରିଥିଲା। ସେ କହିଥିଲେ ଯେ ଆରେ କଅଁଳିଆ ଶୀତ, କୁନିକୁନି ପିଲା, ଭଉଣୀମାନେ, ଭାଇମାନେ, ମଉସାମାନେ ଆରେ ରେଡ୍ଡୀ ତ? ପରେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଅନୁରୋଧରେ ସେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟ କଥା ‘ଆପଣମାନେ ଖୁସି ତ?’ କହି ହାସ୍ୟରୋଳ ସୃଷ୍ଟି କରିଥିଲେ। ଏଭଳି ଉତ୍ସବ ଆୟୋଜନ ଦ୍ବାରା ଭୁବନେଶ୍ୱରବାସୀଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି କରିବାରେ ସହାୟକ ବୋଲି ଅନ୍ୟ ଅତିଥିମାନେ ଭାଷଣରେ କହିଥିଲେ।

ରକ୍ତ ଦେଲେ, ସଚେତନ କରାଇଲେ

publive-image

ଆଜିର ଏହି କାର୍ଯ୍ୟକ୍ରମରେ ରେଡକ୍ରସ୍‌ ତରଫରୁ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ସେହିଭଳି ହେଲମେଟ୍‌ ପିନ୍ଧି ଗାଡ଼ି ଚଳାଇବା ପାଇଁ ଲୋକଙ୍କୁ ସଚେତନ କରାଯାଇଥିଲା। ଏହାବ୍ୟତୀତ, ସାରା ଓଡ଼ିଶା ୧୨୫ତମ ନେତାଜୀ ସୁଭାଷ ଜୟନ୍ତୀ କମିଟି, ଭୁବନେଶ୍ବର ଶାଖା ପକ୍ଷରୁ ନେତାଜୀଙ୍କ ବିଭିନ୍ନ ଦୁର୍ଲଭ ଫଟୋ ପ୍ରଦର୍ଶନ କରାଯାଇଥିଲା।