ପଥୋତ୍ସବରେ ସହିଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ସହିଦ୍‌ ଯବାନଙ୍କ ସ୍ମୃତିରେ ଭିଜିଛି ଜନପଥ। ସବୁଠି ଦେଶପ୍ରେମ ଚିତ୍ର, ଆଉ ପୁଲ୍‌ୱାମାରେ ସହିଦ୍‌ଙ୍କ ପାଇଁ ଶ୍ରଦ୍ଦାଞ୍ଜଳି। ଦୁଇଜଣ ସାହସୀ ଓଡ଼ିଆ ସହିଦ୍‌ଙ୍କ ସମେତ ଅନ୍ୟ ସମସ୍ତ ସହିଦଙ୍କ ପାଇଁ ଯେମିତି କାନ୍ଦୁଥିଲା ସମଗ୍ର ଜନପଥ। କୁଇଜ୍‌ ହେଉ କି ଚିତ୍ରକଳା, ରଙ୍ଗୋଲି ହେଉ କି ମଞ୍ଚ ଉପରର ସଙ୍ଗୀତ, ସବୁ ସେଇ ସହିଦ୍‌ମାନଙ୍କୁ ଉତ୍ସର୍ଗ ଥିଲା। ଆଜି ୭୯ତମ ପଥୋତ୍ସବରେ ଏଭଳି ଏକ ଦେଶପ୍ରେମର ଚିତ୍ର ଦେଖିବାକୁ ମିଳିଥିଲା।
ଷ୍ଟୋରି ଟେଲର୍‌
ଷ୍ଟୋରି ଟେଲର୍‌ ପ୍ରାଚୀ ତାରା ବୀରଙ୍କର କାହାଣୀ କହିଥିଲେ। ସେ କହିଥିବା ବିଭିନ୍ନ କାହାଣୀଠାରୁ ବାଜି ରାଉତଙ୍କ କାହାଣୀ ବେଶ୍‌ ହୃଦୟସ୍ପର୍ଶୀ ହୋଇଥିଲା। ଉପସ୍ଥିତ ପ୍ରତ୍ୟେକ ଦର୍ଶକଙ୍କ ଛାତିରେ ‌ଯେମିତି ଦେଶପ୍ରେମର ବହ୍ନି ଜଳାଇଥିଲା।
ମହମବତିରେ ଶ୍ରଦ୍ଧାଞ୍ଜଳି
ପିପୁଲସ କଲଚରାଲ ସେଣ୍ଟର ପକ୍ଷରୁ କୁନି କୁନି ପିଲାମାନେ ମହମବତି ଜଳାଇ ସହିଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ତା ସହିତ ‘ଏ ମେରେ ୱତନକି ଲୋଗୋଁ, ସନ୍ଦେଶେ ଆତେ ହେଁ’ ପ୍ରଭୃତି ଦେଶଭକ୍ତି ଗୀତ ଗାନ କରିଥିଲେ।
ରଙ୍ଗୋଲିରେ ଶ୍ରଦ୍ଧାଞ୍ଜଳି
ଇତିଶ୍ରୀ ଦୀକ୍ଷିତ ଓ ଅନ୍ୟମାନେ ରଙ୍ଗୋଲିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଦର୍ଶକଙ୍କ ମେସେଜ୍‌ ସହ ଅମର ଯବାନ ଜ୍ୟୋତି ଓ ଅନ୍ୟାନ୍ୟ ଦେଶପ୍ରେମର ଚିହ୍ନ କାନ୍‌ଭାସ୍‌ରେ ଚିତ୍ରିତ କରାଯାଇଥିଲା। ସେହିଭଳି ବକୁଳ ଲାଇବ୍ରେରି ପକ୍ଷରୁ ଦେଶପ୍ରେମର ବିଭିନ୍ନ ପୁସ୍ତକ ପରିଦର୍ଶକଙ୍କୁ ଭେଟି ଦେଇଥିଲା। ଓସାମା ବିନ୍‌ ଲାଦେନ୍‌ଠାରୁ ଆରମ୍ଭ କରି ପ୍ରତ୍ୟେକ ଯୁଦ୍ଧ ଓ ଆକ୍ରମଣ ଉପରେ ପୁସ୍ତକ ରହିଥିଲା।

ସମ୍ବନ୍ଧିତ ଖବର