ଡାକ୍ତର ବଳରାମଙ୍କ ‘ପଥେ ପାଠଶାଳା’

୧୦ବର୍ଷରେ ରାଜ୍ୟରେ କଲେଣି ୫୮୮ଟି କ୍ଲାସ୍‌

ପଦ୍ୟରେ ଲୋକଙ୍କୁ କରିଥାନ୍ତି ସଚେତନ
ସାମିଲ ହେଲେଣି ୭ହଜାରରୁ ଅଧିକ ମହିଳା

ଭୁବନେଶ୍ୱର : ପେସାରେ ଡାକ୍ତର, କିନ୍ତୁ ନିଶା ହେଉଛି ଲୋକଙ୍କ ଗୃହପାଳିତ ପଶୁଙ୍କ ସୁରକ୍ଷା ବିଷୟରେ ସଚେତନ କରାଇବା। ସହର ହେଉ କି ଗାଁ। ସାରା ଓଡ଼ିଶା ବୁଲି ଲୋକଙ୍କୁ ଏଭଳି ଜ୍ଞାନ ବାଣ୍ଟିୁଛନ୍ତି ଓଡ଼ିଶା ଭେଟେନାରି କାଉନସିଲ ରେଜିଷ୍ଟ୍ରାର ତଥା ନନ୍ଦନକାନନ ପ୍ରାଣୀବିଜ୍ଞାନ ଅଧିକାରୀ ଡାକ୍ତର ବଳରାମ ସାହୁ।

ପଦ୍ୟ ମାଧ୍ୟମରେ ଲୋକଙ୍କୁ ସଚେତନତା ସଂପର୍କରେ ବୁଝାଇଛନ୍ତି। ତାଙ୍କର ଏହି ସଚେତନତା କାର୍ଯ୍ୟକ୍ରମର ନାଁ ରହିଛି ‘ପଥେ ପାଠଶାଳା’। ଗତ ୧୦ବର୍ଷ ଧରି ନିଜସ୍ୱ ଉଦ୍ୟମରେ ଏଭଳି ଚଳନ୍ତା ବିଶ୍ୱବିଦ୍ୟାଳୟ ଖୋଲିଛନ୍ତି ଡାକ୍ତର ସାହୁ। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ, ଗତ ୧୦ବର୍ଷ ମଧ୍ୟରେ ରାଜ୍ୟର ୭ହଜାର ମହିଳାଙ୍କୁ ସେ ନିଜର ଏହି କାର୍ଯ୍ୟକ୍ରମରେ ଯୋଡ଼ିବାରେ ସକ୍ଷମ ହୋଇପାରିଛନ୍ତି।

ସରକାରୀ ଛୁଟିଦିନରେ ନିଜର ବ୍ୟସ୍ତବହୁଳ ଜୀବନ ଭିତରୁ କିଛି ସମୟ କାଢ଼ି ଡାକ୍ତର ସାହୁ ଲୋକଙ୍କୁ ସଚେତନ କରାଇବା ପାଇଁ ଘରୁ ବାହାରି ଯାଇଥାନ୍ତି। ବିଶେଷକରି ଗ୍ରାମାଞ୍ଚଳରେ ବସବାସ କରୁଥିବା ଚାଷୀ ଓ ମତ୍ସ୍ୟଜୀବୀଙ୍କୁ ସେମାନଙ୍କ ଭାଷାରେ ବିଜ୍ଞାନ ଓ ଜ୍ଞାନକୌଶଳ ଯୋଗାଇଦେବାକୁ ଏଭଳି ଉଦ୍ୟମ ଜାରି ରଖିଛନ୍ତି।

ଡାକ୍ତର ସାହୁଙ୍କ କହିବାନୁଯାୟୀ, କମ୍‌ ଖର୍ଚରେ ଲୋକମାନେ କିଭଳି ପ୍ରାକୃତିକ ଔଷଧ ଜରିଆରେ ନିଜର ଗୃହପାଳିତ ପଶୁଙ୍କ ସମସ୍ୟାର ସମାଧାନ କରିପାରିବେ ତାହାକୁ ‘ପଥେ ପାଠଶାଳା’ ଜରିଆରେ ଗୁରୁତ୍ୱ ଦେଇଥାନ୍ତି। ଯେପରି ଗାଈର ପେଟ ଫାମ୍ପିଲେ, ‘ଭାତ କ୍ଷୀରି ଖାଇ ଫାମ୍ପିଲେ ପେଟ, ପାନ ପତ୍ର ଅଦା ଦେଖାଏ ବାଟ।’ ସେହିପରି କୁକୁଡ଼ାକୁ ଘୁମା ରୋଗ ଓ ଧଳା ଝାଡ଼ା ହୋଉଥିଲେ, ପିଆଜ ରସ ସହ ଘି କୁଆଁରି ରସକୁ ୫ରୁ ୧୦ ଡ୍ରପ୍‌ ଦିନକୁ ଦେଲେ ଏହି ରୋଗ ଭଲ ହୋଇଥାଏ। ଏଥିପାଇଁ ତାଙ୍କର ପଦ୍ୟ ହେଉଛି, ‘ବଦହଜମିକୁ ପତଳା ଝାଡ଼ା, ଜିରା ଓ ପିଆଜ ହେଉଛି ଲୋଡ଼ା।’ ମାଛମାନଙ୍କର ଘା’ ହୋଇଯାଇଥିଲେ ସେଥିରେ ଚୂନ ଓ ଘି କୁଆଁରି ରସକୁ ଲଗାଇ କିଭଳି ଚିକିତ୍ସା କରିହେବ ତାହାକୁ ମଧ୍ୟ ପଦ୍ୟ ଜରିଆରେ ବୁଝାଇଥାନ୍ତି ଡାକ୍ତର ସାହୁ।

ଗ୍ରାମାଞ୍ଚଳରେ ପୁରୁଷଙ୍କ ଅପେକ୍ଷା ମହିଳାମାନେ ହିଁ ପଶୁପାଳନ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥାନ୍ତି। ମାତ୍ର ନିଜ ପରିବାର ଛାଡ଼ି ସହରରକୁ ତାଲିମ ନେବା ପାଇଁ ମହିଳାଙ୍କ ନିକଟରେ ସମ୍ଭବ ନ ଥିବାରୁ ଗାଁର ମହିଳାଙ୍କ ନିକଟରେ କିଭଳି ଏହି ସଚେତନତା ପହଞ୍ଚିପାରିବ ସେଥିପାଇଁ ଏଭଳି ଉଦ୍ୟମ ଆରମ୍ଭ କରିଛନ୍ତି। ଗତ ୧୦ବର୍ଷରେ ନିଜ ଖର୍ଚରେ ରାଜ୍ୟରେ ୫୮୮ଟି କ୍ଲାସ୍‌ କରିଛନ୍ତି। କେବଳ ଓଡ଼ିଶା ନୁହେଁ ରାଜସ୍ଥାନ, ଗୁଜୁରାଟ ଓ ତାମିଲନାଡୁ ଭଳି ରାଜ୍ୟରେ ମଧ୍ୟ ଏହି ପଥେ ପାଠଶାଳା କାର୍ଯ୍ୟକ୍ରମ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଆଜି ପର୍ଯ୍ୟନ୍ତ ୭୦୦୦ରୁ ଅଧିକ ମହିଳାଙ୍କୁ ଯୋଡ଼ିବାରେ ସକ୍ଷମ ହୋଇଛନ୍ତି।

ସିଏସ୍‌ଆଇଆର୍‌, ଆଇଭିଆର୍‌ଆଇ ସଂସ୍ଥାମାନଙ୍କ ଦ୍ୱାରା ବୈଜ୍ଞାନିକ ଉପାୟରେ ପ୍ରତିପାଦିତ ହୋଇଥିବା ଜ୍ଞାନକୌଶଳକୁ ସେ ନିଜେ ପରୀକ୍ଷା କରି ଲୋକମାନଙ୍କୁ ଏହି ବିଷୟରେ ସଚେତନ କରାଇଥାନ୍ତି। କମ୍‌ ଖର୍ଚରେ ସହଜରେ ନିଜ ବାଡ଼ିରୁ ଓ ପ୍ରାକୃତିକ ଉପାୟରେ ପ୍ରସ୍ତୁତ ଔଷଧର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନ ଥିବାରୁ ଗାଁ ମହିଳାମାନେ ଏହାକୁ ସହଜରେ ଆପଣେଥାନ୍ତି। ମହିଳାଙ୍କ ରୋଜଗାର ବଢ଼ିଲେ ସମାଜର ରୋଜଗାର ବଢ଼ିବ ବୋଲି ଡାକ୍ତର ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର