ଭୁବନେଶ୍ବର: ଜନପଥ ଦିଶୁଥିଲା ରଙ୍ଗିନ୍। ଯେମିତି ବଡ଼ଦିନର ଶୁଭେଚ୍ଛା ନେଇ ଧରାପୃଷ୍ଠକୁ ଅବତରିଥିଲେ ସାନ୍ତାକ୍ଲଜ୍। ୭ରୁ ୭୦ ପର୍ଯ୍ୟନ୍ତ ବୟସ ବର୍ଗରେ ଥିଲେ ଏହି ସାନ୍ତା। ମାତିଥିଲେ ଭିନ୍ନଭିନ୍ନ କାର୍ଯ୍ୟରେ। କିଏ ସାଇକେଲ ଚଳାଉଥିଲା ତ’ କିଏ ଯୋଗ କରୁଥିଲା। ଆଉ କିଏ ସ୍ଥିର ନିଶ୍ଚଳ ହୋଇ ଦିଶୁଥିଲା ମୂର୍ତ୍ତି ସଦୃଶ। ମୁଖ୍ୟ ମଞ୍ଚରେ ମନେ ପଡ଼ିଥିଲେ ଦିବଂଗତ ଗାୟକ ମହମ୍ମଦ ଅଜିଜ୍। ପ୍ରେମ ଆଉ ମସ୍ତି ଭରା ଗୀତକୁ ନେଇ ଜମିଥିଲା ଆସର। ଗୀତର ତାଳେ ତାଳେ ସାନ୍ତା ବେଶରେ ନାଚୁଥିଲେ କୁନିକୁନି ପିଲା। ଏଭଳି ଏକ ଭିନ୍ନ ପରିବେଶ ନେଇ ଆସିଥିଲା ଆଜିର ପଥୋତ୍ସବ।
ଦିନରେ ସୂରୁଜ ତୁ ରାତିରେ ତାରା.., ମୁଁ ପରଦେଶୀ ଚଢ଼େଇ, ସ୍ମୃତି ଏକ ରୂପା ଜହ୍ନ, ମଥାରେ ଦେଇ ପାଟ ଓଢ଼ଣି, ଆପ୍ କେ ଆଜାନେ ସେ..ପ୍ରଭୃତି ଲୋକପ୍ରିୟ ଗୀତର ଆସର ଜମିଥିଲା ମୁଖ୍ୟ ମଞ୍ଚରେ। ନିକଟ ଅତୀତରେ ଆମ ପାଖରୁ ବିଦାୟ ନେଇଥିବା ଏହି ଚର୍ଚ୍ଚିତ ଗାୟକଙ୍କୁ ମନେ ପକାଇଥିଲେ ଆମ କଳାକାର ପରିବାର। ଅଂଶୁମାନ, ଦେବାଶିଷ, ଆଲୋକ କୁମାର, କୁମାର ବିଷ୍ଣୁ ଓ ମାନସୀ ସଂଗୀତ ପରିବେଷଣ କରିଥିଲେ। କିଛି ରୋମାଣ୍ଟିକ୍ ଗୀତକୁ ଦର୍ଶକ ବେଶ୍ ଉପଭୋଗ କରିଥିଲେ। ଶିଶୁ ମନସ୍କ ପଥୋତ୍ସବ: ସହରର ଅନ୍ୟତମ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ପିପୁଲସ୍ କଲ୍ଚାରାଲ୍ ସେଣ୍ଟର (ପିକକ୍) ପିଲାମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଖେଳ ସାମଗ୍ରୀ ଯୋଗାଇ ଦେଇଥିଲା। ପିଲାମାନଙ୍କର ବୌଦ୍ଧିକ ବିକାଶ ପାଇଁ ଖେଳ ଜରୁରୀ ଥିବାରୁ ‘ଖେଳିବା ପିଲାମାନଙ୍କର ଅଧିକାର’ ବାର୍ତ୍ତା ନେଇ ଅନୁଷ୍ଠାନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିଲା। ପିଲାମାନେ ବିଭିନ୍ନ ପ୍ରକାରର ଖେଳର ମଜା ନେଇଥିଲେ । ପିଲାମାନେ ସାନ୍ତା ସହିତ ମଜ୍ଜା କରିବାକୁ ପସନ୍ଦ କରିଥିଲେ। ସେନା ବ୍ୟାଣ୍ଡରେ ମହମ୍ମଦ ରଫି: ବିଏସ୍ଏଫ୍ ପକ୍ଷରୁ ଏକ ସ୍ବତନ୍ତ୍ର ବ୍ୟାଣ୍ଡ ଗତ ପଥୋତ୍ସବ ଠାରୁ ଏଠାରେ ସାମିଲ ହୋଇଛି। ଗତ ଥର ଦେଶପ୍ରେମର ବାତାବରଣ ସୃଷ୍ଟି କରିଥିବା ବେଳେ ଆଜି ଏହି ବ୍ୟାଣ୍ଡରେ ମହମ୍ମଦ ରଫି, କିଶୋର କୁମାର ଭଳି ପୁରୁଣା ଗାୟକଙ୍କର ଚର୍ଚ୍ଚିତ ଗୀତ ବଜାଇଥିଲେ। ଭରପୂର ଦର୍ଶକ: ସକାଳ ସାଢ଼େ ୬ଟାରୁ ଆଜି ପଥୋତ୍ସବରେ ଗହଳି ଆରମ୍ଭ ହୋଇ ଯାଇଥିଲା। ପ୍ରଥମ ଥର ପାଇଁ ଏଠାରେ ୩୦ ହଜାରରୁ ଅଧିକ ଦର୍ଶକ ସାମିଲ୍ ହୋଇଥିଲେ। ଯୋଗ, ରଙ୍ଗୋଲି ସହ ସାନ୍ତାକ୍ଲଜ୍ଙ୍କ ସହ ସମସ୍ତେ ମଜା କରୁଥିବା ଦେଖାଯାଇଥିଲା। ରାସ୍ତାର ଗୋଟିଏ ପାର୍ଶ୍ବ ସାଇକେଲ୍ ଓ ଆଉଟ ଡୋର ଖେଳ ପାଇଁ ସମର୍ପିତ କରାଯାଇଥିଲେ ମଧ୍ୟ ଭିଡ଼ରେ ଲୋକମାନେ ଏହି ରାସ୍ତାରେ ମଧ୍ୟ ଜମା ହୋଇଥିଲେ।
ପଥୋତ୍ସବ: ମନେ ପଡ଼ିଲେ ମହମ୍ମଦ ଅଜିଜ୍
/sambad/media/post_attachments/wp-content/uploads/2018/12/Untitled-23-13.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)