ଭୁବନେଶ୍ୱର: ବିଳମ୍ବରେ ହେଲେ ପଛେ ବିଏମ୍ସି ଡେଙ୍ଗୁକୁ ନେଇ ସଚେତନତା ସୃଷ୍ଟି କରିବା ଆରମ୍ଭ କରିଛି। ଦୁଇ ଦିନ ତଳେ ବିଏମ୍ସି ୮ଶହ କ୍ଷେତ୍ର କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେଇଥିବା ବେଳେ ଆଜି ନିଧି ରଥ ସହର ପରିକ୍ରମା କରିଛି। ହେଲେ ଡେଙ୍ଗୁ କିନ୍ତୁ ଡରାଇବା ଆରମ୍ଭ କରିଛି। ଗତ ବର୍ଷ ଡେଙ୍ଗୁର ଭୟାବହତାକୁ ନେଇ ସହରବାସୀ ଭୟଭୀତ ହୋଇଛନ୍ତି। ଜୁନ୍ ମାସର ୧୩ ଦିନ ଭିତରେ ଭୁବନେଶ୍ବରରେ ୨୪ ଆକ୍ରାନ୍ତ ଚିହ୍ନଟ ହେଲେଣି। ପଟିଆ ଓ ବୁଦ୍ଧବିହାରରେ ୪ଟି ଲେଖାଏ ଚିହ୍ନଟ ହୋଇଥିବାରୁ ଏହି ଜାଗାରେ ବିଏମ୍ସି ଅଧିକ ନମୂନା ସଂଗ୍ରହ କରିବା ସହ ସଚେତନତା ସୃ୍ଷ୍ଟି କରିଛି। ଏହି ଅଞ୍ଚଳ ଉପରେ କଡ଼ା ନଜର ରଖାଯାଇଛି। ତା’ ସହ ଯେଉଁଠି ଜ୍ବର କିମ୍ବା ଅନ୍ୟାନ୍ୟ ଲକ୍ଷଣ ଦେଖାଯାଉଛି ସେଠାରେ ଅଧିକରୁ ଅଧିକ ନମୂନା ସଂଗ୍ରହ କରାଯାଉଛି। ତେବେ ଗତ ୧୧ ତାରିଖ ଦିନ ସଂଗୃହୀତ ୩୩ ନମୂନା ନେଗେଟିଭ୍ ରହିଥିବା ବିଏମ୍ସି ପକ୍ଷରୁ କୁହାଯାଇଛି। ଆଜି ରାତିରେ ବର୍ଷା ହୋଇଥିବାରୁ ବିଭିନ୍ନ ଜାଗାରେ ପାଣି ଜମି ରହିବା ସମ୍ଭାବନା ରହିଛି। ଜମି ରହିଥିବା ସ୍ବଚ୍ଛ ତଥା ସ୍ଥିର ପାଣିରେ ଡେଙ୍ଗୁ ମଶା ଲାର୍ଭା ଛାଡ଼ିବା ଆଶଙ୍କା ଥିବାରୁ ଛାତ ଉପରେ ଥିବା ଫୁଲକୁଣ୍ଡ, ଟାୟାର କିମ୍ବା କୌଣସି ପାତ୍ରରୁ ପାଣି ଢାଳି ଦେବାକୁ ପରାମର୍ଶ ଦିଆଯାଇଛି।
ଅନ୍ୟପଟେ ସିଟି ହେଲ୍ଥ ସୋସାଇଟି(ସିଏଚ୍ଏସ୍) ବିଭିନ୍ନ ନଳା କିମ୍ବା ସ୍ଥିର ପାଣି ଜମି ରହିବା ଆଶଙ୍କା ଥିବା ସ୍ଥାନରେ ଗମ୍ବୁସିଆ ମାଛ ଛାଡ଼ିବା ପ୍ରକ୍ରିୟାକୁ ତ୍ବରାନ୍ବୀତ କରିଛି। କିନ୍ତୁ ଏହି ପ୍ରକ୍ରିୟାରେ ଡେଙ୍ଗୁ ମଶା ମରିବେ ନାହିଁ। କାରଣ ସିଏଚ୍ଏସ୍ ପକ୍ଷରୁ ନଳାରେ ଏହି ମାଛ ଛଡ଼ା ଯାଉଛି ଯେଉଁଠି ଡେଙ୍ଗୁ ମଶା ଜନ୍ମ ନିଅନ୍ତି ନାହିଁ। ଫଳରେ ଏଥିରେ ହେଉଥିବା ଅର୍ଥ ଖର୍ଚ୍ଚ ଅଯଥା ବୋଲି ବିଶେଷଜ୍ଞମାାନେ ମତ ଦେଲେଣି। ଏଭଳି ମାଛ ଗତ ବର୍ଷ ୪ଟି ଜାଗାରେ ଛଡ଼ା ଯାଇଥିବା ବେଳେ ଗୋଟିଏ ହେଲେ ମାଛ ବଞ୍ଚିନଥିଲେ। ଏବେ ୩ଟି ଜାଗାରେ ଏହି ମାଛ ଛଡ଼ା ଯାଇଛି।
ବୁଲିଲା ନିଧି ରଥ
ଆଜି ତିନି ଜୋନ୍ ପାଇଁ ତିନିଟି ନିଧି ରଥ ସହର ପରିକ୍ରମା ଆରମ୍ଭ କରିଛି। ଷ୍ଟାଣ୍ଡି କମିଟି ଅଧ୍ୟକ୍ଷ ଓ କର୍ପୋରେଟରମାନଙ୍କ ଉପସ୍ଥିତିରେ ମେୟର ସୁଲୋଚନା ଦାସ ଓ କମିସନର ରାଜେଶ ପ୍ରଭାକର ପାଟିଲ୍ ଏହି ରଥକୁ ସବୁଜ ପତାକା ହଲାଇ ଲୋକାର୍ପଣ କରିଛନ୍ତି। ସିଟି ହେଲ୍ଥ ସୋସାଇଟି ଓ ବିଏମ୍ସି ମିଳିତ ଭାବେ ଏହି ରଥକୁ ପ୍ରସ୍ତୁତ କରିଛନ୍ତି। ରଥ ଉଦ୍ଘାଟିତ ହେବା ପୂର୍ବରୁ ସମସ୍ତ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଓ କର୍ପୋରେଟରଙ୍କ ଉପସ୍ଥିତିରେ ଡେଙ୍ଗୁ ଦମନ ନେଇ ମାନସମନ୍ଥନ ହୋଇଛି। ଅନ୍ୟପଟେ ଡେଙ୍ଗୁ ଦମନ ରଣନୀତିକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଚାଲିଥିବା ପ୍ରଶିକ୍ଷଣ ଶେଷ ହୋଇଛି। ଏରେ ବିଏମ୍ସି ଦକ୍ଷିଣ ପୂର୍ବ ଜୋନ୍ର ପ୍ରାୟ ୨୭୦ ଜଣ ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ଓ ସ୍ୱଚ୍ଛସାଥୀ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡେପୁଟି କମିସନର ଡ. ମନୋରଞ୍ଜନ ସାହୁ ଓ ସହରାଞ୍ଚଳ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ନୀଳମଣି ସେନାପତି ପ୍ରମୁଖ ଉପସ୍ଥିତ ଥିଲେ।