ଚନ୍ଦ୍ରଶେଖରପୁର: ପଟିଆଗଡ଼ ମହାବୀର ଦୁର୍ଗାପୂଜା କମିଟି ପକ୍ଷରୁ ଏଥର ସାର୍ବଜନୀନ ଦୁର୍ଗାପୂଜା ମହାସମାରୋହରେ ପାଳିତ ହେବାକୁ ଯାଉଛି। ଚଳିତବର୍ଷ ପାଇଁ ୪୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ହୋଇଛି। କମିଟି ଏଥର ରାଜସ୍ଥାନର ଅମ୍ବର ପ୍ୟାଲେସ୍ ନିର୍ମାଣ କରିଛି, ଯାହାର ଉଚ୍ଚତା ୭୨ ଫୁଟ୍ ଓ ଓସାର ୮୦ ଫୁଟ୍ ରହିଛି। ୧୪ ଫୁଟ୍ର ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ସହ ୧୬ ଫୁଟ୍ର ତାରକସୀ ମେଢ଼ କାମ କଟକର କାରିଗରମାନେ ନିର୍ମାଣ କରୁଛନ୍ତି। ଏଥର ବିଶେଷ ଆକର୍ଷଣ ସାଜିବ ବୃହତ୍କାୟ ଚାନ୍ଦି ମୁକୁଟ। ୬ କେଜି ରୂପାରେ ଅତ୍ୟନ୍ତ ସୁକ୍ଷ୍ମ କାରୁକାର୍ଯ୍ୟରେ ମୁକୁଟ ନିର୍ମିତ ହୋଇଛି। ମାନସିଂପାଟଣାର କାରିଗରମାନେ ଏହାକୁ ନିର୍ମାଣ କରିଛନ୍ତି। ମା’ଙ୍କ ଚାନ୍ଦି ମୁକୁଟ ସହିତ ଆହୁରି ଅନେକ ରୁପା ଗହଣାରେ ସୁସଜ୍ଜିତା ହେବେ। ପାର୍ଶ୍ବଦେବଦେବୀମାନେ ମଧ୍ୟ ଚାନ୍ଦି ମୁକୁଟ ଓ ରୁପା ଗହଣା ପରିଧାନ କରିବେ। ମଣ୍ଡପକୁ ସଂଯୋଗ କରୁଥିବା ୪ଟି ରାସ୍ତାରେ ଏଲ୍ଇଡି ଲାଇଟ୍ର ଗେଟ୍ ଲାଗିବା ସହ ରଙ୍ଗିନ ଆଲୋକମାଳା ଝଲସିବ।
ପଞ୍ଚମୀରେ ମହାବୀର ପୀଠରେ ହୋମଯଜ୍ଞ, ଷଷ୍ଠୀରେ ବିଲ୍ୱବରଣ, ସପ୍ତମୀରେ କଳସଯାତ୍ରା ସହ ଚକ୍ଷୁଦାନ ହେବ। ଅଷ୍ଟମୀ ଦିନ ସୂର୍ଯ୍ୟପୂଜା, ମହାଷ୍ଟମୀ ପୂଜା, ସନ୍ଧିପୂଜା, ସନ୍ଧିବଳି ଆଦି ଅନୁଷ୍ଠିତ ହେବ। ଦୁଇ ହଜାର ଭକ୍ତଙ୍କୁ ପ୍ରସାଦ ବଣ୍ଟନର ବ୍ୟବସ୍ଥା ହୋଇଛି। ନବମୀ ଦିନ କୁମାରୀ ପୂଜା, ଦହି ପଖାଳ ଭୋଗ, ଦଶମୀ ଦିନ ଅପରାଜିତା ପୂଜା, ହୋମ, ପୂର୍ଣ୍ଣାହୁତି, ଘଟ ବିସର୍ଜନ ଅନୁଷ୍ଠିତ ହେବ। ସପ୍ତମୀରେ ଭଜନ ସନ୍ଧ୍ୟା, ଅଷ୍ଟମୀ, ନବମୀ ଓ ଦଶମୀରେ ମେଲୋଡି କାର୍ଯ୍ୟକ୍ରମ ରହିଛି। ପୂଜା ପଡ଼ିଆରେ ମୀନା ବଜାର, ଚକ୍ରିଦୋଳି ଓ ରାମଦୋଳି ପଡିବ।
ପୂଜା ମଣ୍ଡପ ଓ ବାହାରେ ଭିଡ଼ ନିୟନ୍ତ୍ରଣ କରିବାକୁ ୧୦୦ ଜଣ ସ୍ୱେଚ୍ଛାସେବୀ ନିୟୋଜିତ ରହିବେ। ଏଥିସହ ୧୧ଟି ସିସିଟିଭି କ୍ୟାମେରା ଲାଗିବ। ମଣ୍ଡପରେ ୬ଟି ଅଗ୍ନିନିର୍ବାପକ ଯନ୍ତ୍ର ରଖାଯିବ। ପାରମ୍ପରିକ ବାଦ୍ୟରେ ଧୁମ୍ଧାମ୍ରେ ଭସାଣି ଉତ୍ସବ ଅନୁଷ୍ଠିତ ହୋଇ ପଟିଆ ଗ୍ରାମ ପରିକ୍ରମା କରାଯାଇ ମା’ଙ୍କୁ ମେଲାଣି ଦିଆଯିବ। ନିର୍ମାଣ କାର୍ଯ୍ୟରେ ପ୍ଲାଷ୍ଟିକ ଓ ରାସାୟନିକ ରଙ୍ଗ ବ୍ୟବହାର କରାଯାଇ ନାହିଁ। ମହିଳା ଓ ପୁରୁଷମାନଙ୍କ ପାଇଁ ଅଲଗା ଅଲଗା ଦର୍ଶନ ବ୍ୟବସ୍ଥା ହୋଇଛି। ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏବର୍ଷ ମଧ୍ୟ ପ୍ରଶାସନ ପକ୍ଷରୁ ସହଯୋଗ କରାଯିବ ବୋଲି ଆଶା ରହିଛି। ପୂଜାକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବାକୁ ଗ୍ରାମବାସୀ ଓ ଗ୍ରାମର ଯୁବକମାନେ ଲାଗିପଡିଛନ୍ତି।
-ମହେନ୍ଦ୍ର ପରିଡ଼ା, ସଭାପତି