ଭୁବନେଶ୍ବର: ବର୍ଷେ କି ଦୁଇ ବର୍ଷ ନୁହେଁ, ଦୁଇ ଦଶନ୍ଧି ହେଲା ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍ରେ ଅଣଛାତ୍ରଙ୍କ ପତିଆରା ଲଢ଼େଇ ଜାରି ରହିଛି। ଜୋର ଜବରଦସ୍ତ ହଷ୍ଟେଲ୍ ରୁମ୍ କବ୍ଜା କରି ଆଡ଼ା ଜମାଇଛନ୍ତି। ଛାତ୍ରମାନେ ହଷ୍ଟେଲ୍ ରୁମ୍ ପାଉ ନ ଥିବା ବେଳେ ଅଣଛାତ୍ରଙ୍କୁ ହଟାଇବାରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ବିଫଳ ହୋଇଛନ୍ତି। ତିନିବର୍ଷ ମଧ୍ୟରେ କାଁ ଭାଁ ଚଢ଼ଉ ହୋଇଥିଲେ ମଧ୍ୟ ଅଣଛାତ୍ରଙ୍କୁ ତଡ଼ିବା ସମ୍ଭବ ହୋଇପାରିନାହିଁ। କର୍ତ୍ତୃପକ୍ଷ କେତେବେଳେ ପିଲାଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ତ ଆଉ କେବେ ପୁଲିସ ସହଯୋଗ ଲୋଡ଼ି ଚୁପ୍ ବସି ପଡ଼ିଛନ୍ତି। କେବଳ ହଷ୍ଟେଲ୍ ନୁହେଁ, କ୍ୟାମ୍ପସ୍ ପରିସରରେ ଥିବା କ୍ବାର୍ଟର୍ସଗୁଡ଼ିକୁ ମଧ୍ୟ ନିଜ ଅକ୍ତିଆରରେ ରଖିଛନ୍ତି। ୧୫ ଦିନ ତଳେ ନିଶା କାରବାରରେ ସମ୍ପୃକ୍ତ ଥିବା ଜଣେ ଯୁବକ କ୍ୟାମ୍ପସ୍ରେ ରହୁଥିବା ଜଣାପଡ଼ିବା ପରେ ଏବେ ନିଶାମୁକ୍ତ କ୍ୟାମ୍ପସ୍ ଦାବି ଜୋର ଧରିଛି। କ୍ୟାମ୍ପସ୍ରେ ପତିଆରି ଜାହିର କରିବାକୁ ଦୁଇ ଛାତ୍ର ସଙ୍ଗଠନ ଆନ୍ଦୋଳନକୁ ଓହ୍ଲାଇବା ପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ହରଡ଼ଘଣାରେ ପଡ଼ିଛନ୍ତି।
ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଯେ ନିଶାମୁକ୍ତ କ୍ୟାମ୍ପସ୍ କଥା କହୁଥିଲେ ମଧ୍ୟ ଉଭୟ ସଙ୍ଗଠନର ଅନ୍ୟ ଉଦ୍ଦେଶ୍ୟ ରହିଛି। ଏବିଭିପି ଅଣଛାତ୍ରଙ୍କୁ କ୍ୟାମ୍ପସ୍ରୁ ହଟାଇବାକୁ ଦାବି କରୁଥିବା ବେଳେ ନିଶାମୁକ୍ତ ସହ କର୍ମଚାରୀ କ୍ବାର୍ଟର୍ସରେ ରହୁଥିବା ବ୍ୟକ୍ତି ଓ ବସ୍ତି ହଟାଇବାକୁ ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ର ସଂଘ ଦାବି କରିଛନ୍ତି। ଏହାକୁ ନେଇ ଆଜି କ୍ୟାମ୍ପସ୍ରେ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ର ସଂଘ ନେତୃତ୍ବରେ ୪୦୦ରୁ ଅଧିକ ଛାତ୍ର ଆଜି କୁଳପତିଙ୍କ କାର୍ଯ୍ୟାଳୟ ଘେରଉ କରିବା ସହ ନ୍ୟାୟ ପାଇଁ ଦାବି ଜଣାଇଥିଲେ। ସେମାନେ କୁଳପତିଙ୍କୁ ପ୍ରଦାନ କରିଥିବା ପତ୍ରରେ କ୍ୟାମ୍ପସ୍ରେ ନିଶା କାରବାର ସମ୍ପୂର୍ଣ୍ଣ ଭାବେ ବନ୍ଦ ପାଇଁ ଦାବି କରିଛନ୍ତି।। କର୍ମଚାରୀ କ୍ବାର୍ଟର୍ସରେ ଯେଉଁମାନେ ବେଆଇନ ଭାବେ ରହୁଛନ୍ତି ପ୍ରଥମେ ସେମାନଙ୍କୁ ବାହାର କରିବା, ଏକ ନମ୍ବର ଛାତ୍ରାବାସ ପଛ ପାର୍ଶ୍ବ ବସ୍ତିକୁ ଉଚ୍ଛେଦ କରିବା, ବିଶ୍ବବିଦ୍ୟାଳୟ ପାଚେରିକୁ ସମ୍ପୂର୍ଣ୍ଣ କରିବାକୁ ସେମାନେ ଦାବି କରିଛନ୍ତି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଯଦି ଏସବୁ ଦାବି ପୂରଣ ନ ହୁଏ ତାହା ହେଲେ ଧାରଣା ସହ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି।
ହରଡ଼ଘଣାରେ କର୍ତ୍ତୃପକ୍ଷ ଏବିଭିପି ଟାର୍ଗେଟ୍ରେ ଅଣଛାତ୍ର ବସ୍ତି ହଟାଅ: ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ର ସଂଘ
ଅନ୍ୟପକ୍ଷରେ ହଷ୍ଟେଲ୍ରୁ ଅଣଛାତ୍ରଙ୍କୁ ହଟାଇବା ଓ ନିଶାମୁକ୍ତ କ୍ୟାମ୍ପସ୍ ଦାବିରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଆଜିଠାରୁ ଆମରଣ ଅନଶନକୁ ଓହ୍ଲାଇଛି। ପରିଷଦ ପକ୍ଷରୁ କୁହାଯାଇଛି ଯେ ଅଣଛାତ୍ରମାନେ କ୍ୟାମ୍ପସ୍ରେ ଥିବା ଛାତ୍ରାବାସଗୁଡ଼ିକୁ ଅକ୍ତିଆର କରି ରଖିଛନ୍ତି। ସେମାନଙ୍କ ପାଇଁ କ୍ୟାମ୍ପସ୍ରେ ନିଶା କାରବାର ବୃଦ୍ଧି ପାଇବା ଦ୍ବାରା ଶୈକ୍ଷିକ ବାତାବରଣ ନଷ୍ଟ ହେଉଛି। କେତେକ ରାଜନୈତିକ ବ୍ୟକ୍ତି ନିଜର ପତିଆରା ଜାହିର କରିବାକୁ ହଷ୍ଟେଲ୍ ରୁମ୍ଗୁଡ଼ିକୁ ଜବରଦସ୍ତ ମାଡ଼ି ବସିଛନ୍ତି। ଏହାଦ୍ବାରା ଛାତ୍ରମାନେ ରୁମ୍ ପାଉନାହାନ୍ତି। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପୁଲିସ ପ୍ରଶାସନ ଏଦିଗରେ ପଦକ୍ଷେପ ନିଅନ୍ତୁ। ହଷ୍ଟେଲ୍ ସୁରକ୍ଷା ବୃଦ୍ଧି ସହ ନିଶା କାରବାର କରୁଥିବା ଅଣଛାତ୍ରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଗତକାଲି ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଓ ଅତିରିକ୍ତ ପୁଲିସ କମିସନର ନରସିଂହ ଭୋଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଇତିମଧ୍ୟରେ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ଆମରଣ ଅନଶନ ଆରମ୍ଭ ହୋଇଛି। ଯେପର୍ଯ୍ୟନ୍ତ ଦାବି ପୂରଣ ନ ହୋଇଛି ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଏବିଭିପି ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି।