ଭୁବନେଶ୍ବର: ପୁରୁଣା ଭୁବନେଶ୍ବରରେ ଥିବା ବିଏମ୍ସି ହସ୍ପିଟାଲ୍କୁ ପ୍ରତିଦିନ ଏକ ହଜାରରୁ ଅଧିକ ରୋଗୀ ଆସୁଛନ୍ତି। ହେଲେ ସମସ୍ତେ ଭୀଷଣ ହଟହଟା ହେଉଛନ୍ତି। ରୋଗୀଙ୍କୁ ନାମ ପଞ୍ଜୀକରଣ କରିବାକୁ ଖରା ବର୍ଷାରେ ଘଣ୍ଟା ଘଣ୍ଟା ଧାଡ଼ିରେ ଛିଡ଼ା ହେବାକୁ ପଡ଼ୁଛି। ରାଜଧାନୀରେ, ପୁଣି ବିଏମ୍ସି ଅଧୀନରେ ହସ୍ପିଟାଲ୍ ଥାଇ ମଧ୍ୟ ଏଯାଏ ମାନୁଆଲ୍ରେ ଚାଲିଛି ପଞ୍ଜୀକରଣ। ଏଯାଏ କମ୍ପ୍ୟୁଟରରେ ତାହା କରାଯାଉନାହିଁ। ଏହାକୁ ନେଇ ରୋଗୀଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇବା ସହ ଏହା ପଛରେ ବଡ଼ ଚକ୍ରାନ୍ତ ଥିବା ଅଭିଯୋଗ ହେଉଛି।
ପୁରୁଣା ଭୁବନେଶ୍ବର ସମେତ ଭୁବନେଶ୍ବର ଉପକଣ୍ଠର ଲକ୍ଷାଧିକ ଲୋକ ଏହି ହସ୍ପିଟାଲ୍ ଉପରେ ନିର୍ଭରଶୀଳ। ହେଲେ ଏଠି ଆବଶ୍ୟକୀୟ ଭିତ୍ତିଭୂମି ନାହିଁ। ତଥ୍ୟ ଅନୁସାରେ, ହସ୍ପିଟାଲ୍ରେ ୪୧ଟି ଡାକ୍ତର ପଦବି ରହିଛି। କିନ୍ତୁ ଏବେ ମାତ୍ର ୧୩ ଜଣ ସ୍ଥାୟୀ ଡାକ୍ତର ଓ ଅନ୍ୟ ୭ ଜଣ ସପ୍ତାହକୁ ଥରେ ଦୁଇଥର ରୋଗୀ ଦେଖିବାକୁ ଆସୁଛନ୍ତି। ଆବଶ୍ୟକ ଅନ୍ୟ କର୍ମଚାରୀ ମଧ୍ୟ ନାହାନ୍ତି। ପୂର୍ବରୁ ଏହି ହସ୍ପିଟାଲ୍ରେ ରୋଗୀଙ୍କ ପାଇଁ ୧୦୮ଟି ଶଯ୍ୟା ଥିଲା। ବିପଦସଙ୍କୁଳ ଅବସ୍ଥାରେ ଥିବା ପୁରୁଣା କୋଠା ୨୦୧୯ ମସିହାରେ ଭଙ୍ଗାଯିବା ପରେ ଏବେ ମାତ୍ର ୫୮ଟି ଶଯ୍ୟା ରହିଛି। ନାନା ସମସ୍ୟା ଥିବା ସତ୍ତ୍ବେ ପ୍ରତିଦିନ ବିଏମ୍ସି ହସ୍ପିଟାଲକୁ ୧,୦୦୦ରୁ ୧,୨୦୦ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। ତେବେ ଡାକ୍ତରଙ୍କୁ ଦେଖାଇବା ପୂର୍ବରୁ ହସ୍ପିଟାଲ ପ୍ରବେଶର ଡାହାଣ ପାଖରେ ପଞ୍ଜୀକରଣ କେନ୍ଦ୍ର ରହିଛି। ରାଜ୍ୟର ଗ୍ରାମାଞ୍ଚଳର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ମାନଙ୍କରେ କମ୍ପ୍ୟୁଟର ଜରିଆରେ ନାମ ପଞ୍ଜୀକରଣ କରାଯାଉଥିବା ବେଳେ ଆଶ୍ଚର୍ଯ୍ୟର କଥା ଯେ ଏଠି ଆଜି ବି ରେଜିଷ୍ଟରରେ ରୋଗୀଙ୍କ ନାମ ଓ ଠିକଣା ଲେଖା ହେଉଛି।
ପଞ୍ଜୀକରଣ କରିବା ପାଇଁ ପଞ୍ଜୀକରଣକେନ୍ଦ୍ରରେ ସକାଳ ୮ଟାରୁ ଦିନ ୨ଟା, ଦିନ ୨ଟାରୁ ରାତି ୧୦ଟା ଏବଂ ରାତି ୧୦ଟାରୁ ସକାଳ ପର୍ଯ୍ୟନ୍ତ ୩ ଜଣ ହିସାବରେ ୯ ଜଣ କର୍ମଚାରୀ କାମ କରୁଛନ୍ତି। କମ୍ପ୍ୟୁଟରରେ ପଞ୍ଜୀକରଣ ହୋଇଥିଲେ ଏହି କର୍ମଚାରୀଙ୍କ ସଂଖ୍ୟାକୁ ଅଧା କରାଯାଇପାରିବ। ଅନ୍ୟପଟେ ଗୋଟିଏ ଟିକେଟ୍ ପାଇଁ ରୋଗୀଙ୍କୁ ଅତିକମ୍ରେ ୫ରୁ ୧୦ ମିନିଟ୍ ସମୟ ଲାଗୁଛି। ଓପିଡି ସମୟରେ ରୋଗୀଙ୍କ ଭିଡ଼ ରହୁଥିବାରୁ ଖରା ଓ ବର୍ଷାରେ ଲମ୍ବାଧାଡ଼ି ଲାଗୁଛି। ଅନ୍ୟ ଏକ ସମସ୍ୟା ହେଉଛି ଯେ, ଜଣେ ରୋଗୀ ଥରେ ପଞ୍ଜୀକରଣ କଲେ କେବଳ ଥରେ ଡାକ୍ତରଙ୍କୁ ଦେଖାଇ ପାରୁଛନ୍ତି। ସେହି ସମାନ ରୋଗ ପାଇଁ ଦ୍ବିତୀୟ ଦିନ ଆସିଲେ ମଧ୍ୟ ଆଉ ଏକ ଟିକେଟ୍ କରିବାକୁ ପଡ଼ୁଛି। ଏଥିରେ ରୋଗୀ ଅଯଥା ହଇରାଣ ହେଉଥିବାବେଳେ ଉଭୟପକ୍ଷଙ୍କ ସମୟ ମଧ୍ୟ ନଷ୍ଟ ହେଉଛି। ଏହାବାଦ୍ ପଞ୍ଜୀକରଣକୁ କମ୍ପ୍ୟୁଟରାଇଜ୍ କରାନଯିବା ଏକ ଚକ୍ରାନ୍ତ ବୋଲି କିଛି ରୋଗୀ ଅଭିଯୋଗ କରିଛନ୍ତି। ଏହାଦ୍ବାରା ଜନ୍ମ ଓ ମୃତ୍ୟୁ ତାରିଖକୁ କିଛି କର୍ମଚାରୀ ଆଗପଛ କରିବାର ସୁଯୋଗ ପାଉଛନ୍ତି ବୋଲି ସେମାନେ ଅଭିଯୋଗ କରନ୍ତି।
ଏନେଇ ହସ୍ପିଟାଲର ମୁଖ୍ୟ ଚିକିତ୍ସା ଅଧିକାରୀ ସିଦ୍ଧାର୍ଥ ଶଙ୍କର ରାୟ କହିଛନ୍ତି, ପଞ୍ଜୀକରଣ ବ୍ୟବସ୍ଥାକୁ କମ୍ପ୍ୟୁଟରାଇଜ୍ କରିବା ସହ କିଓସ୍କ ବସାଇବାକୁ ଉପରିସ୍ଥ ଅଧିକାରୀଙ୍କୁ ଜଣାଯାଇଛି। ଏହା ସମ୍ଭବ ହେଲେ ପଞ୍ଜୀକରଣ କେନ୍ଦ୍ରରୁ ମାନବ ସମ୍ବଳକୁ ଅନ୍ୟକାର୍ଯ୍ୟରେ ନିୟୋଜିତ କରାଯାଇ ପାରିବ। କିଓସ୍କ ବସିଲେ ପଞ୍ଜୀକରଣ କେନ୍ଦ୍ରରୁ ଭିଡ଼ ମଧ୍ୟ କମିବ। ଯଥାଶିଘ୍ର ଏହି ବ୍ୟବସ୍ଥା ପାଇଁ ଉଦ୍ୟମ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/bmc-hospital.jpg)