ଡାକ୍ତରଖାନାରୁ ରୋଗୀ ଫେରାଇବା ପ୍ରସଂଗକୁ ନେଇ ଜନସ୍ବାର୍ଥ ମାମଲା : କୌଣସି ରୋଗୀ ଉପଯୁକ୍ତ ଚିକିତ୍ସାରୁ ବଞ୍ଚିତ ହେବେନି

କଟକ : କୌଣସି ରୋଗୀ ଯେପରି ଉପଯୁକ୍ତ ଚିକିତ୍ସା ପାଇବାରୁ ବଞ୍ଚିତ ନ ହୁଏ, ତାହା ସରକାର ସୁନିଶ୍ଚିତ କରିବେ। ରାଜ୍ୟର ସମସ୍ତ ସରକାରୀ ଓ ଘରେଇ ଡାକ୍ତରଖାନା‌କୁ ଆସୁଥିବା ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସାସେବା ଯୋଗାଇ ଦିଆଯିବ। କୌଣସି ଡାକ୍ତରଖାନା ଚିକିତ୍ସା କରିବା ପରିବର୍ତ୍ତେ ରୋଗୀକୁ ଯେପରି ନ ଫେରାନ୍ତି, ସେଥିପାଇଁ ସରକାର ପଦକ୍ଷେପ ଗ୍ରହଣ କରିବେ। ସରକାର ‌ଏ ନେଇ ନିୟମାବଳୀ କରି ବିଜ୍ଞପ୍ତି ପ୍ରକାଶ କରିବେ। ଜଷ୍ଟିସ ଶତ୍ରୁଘନ ପୂଜାହାରୀ ଓ ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ, କଟକର ଏକ ଘରୋଇ ଡାକ୍ତରଖାନା କର୍ତ୍ତୃପକ୍ଷ ଜଣେ ରୋଗୀଙ୍କ ଚିକିତ୍ସା ନ କରି ଫେରାଇଦେବା ଅଭିଯୋଗର ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ, ରାଜ୍ୟର କେତେକ ଡାକ୍ତରଖାନାରେ ରୋଗୀଙ୍କୁ ଚିକିତ୍ସା ନ କରି ଫେରାଇ ଦେଉଥିବା ସଂପର୍କରେ ଅଭିଯୋଗ ହୋଇଥିଲା। କେତେକ ରୋଗୀ ଏଭଳି ଅବସ୍ଥାରେ ଗୋଟିଏ ଡାକ୍ତରଖାନାରୁ ଆଉ ‌ଏକ ଡାକ୍ତରଖାନାକୁ ଦୌଡି ହଇରାଣ ହେବା ସହତ ପ୍ରାଣ ହରାଇଥିଲେ। ଏଭଳି ଘଟଣା ନେଇ ଖବରକଗଜରେ ଖବର ପ୍ରକାଶ ପାଇଥିଲା। ସ୍ବାସ୍ଥ୍ୟସେବା ବ୍ୟକ୍ତିର ମୌଳିକ ଅଧିକାର ହୋଇଥିବାବେଳେ କରୋନା ଭୂତାଣୁ ସଂକ୍ରମଣ ନେଇ ଦେଖା ଦେଇଥିବା ପରିସ୍ଥିତିରେ କିନ୍ତୁ କେତେକ ଡାକ୍ତରଖାନା ରୋଗୀଙ୍କୁ ଚିକିତ୍ସାସେବା ପ୍ରଦାନ କରିବାକୁ ମନା କରୁଛନ୍ତି। ଏହା ରୋଗୀଙ୍କ ମୌଳିକ ଅଧିକାର ଉଲ୍ଲଂଘନ କରୁଛି। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ରୋଗୀଙ୍କୁ ଚିକିତ୍ସା ସେବା ପ୍ରଦାନ ବଦଳରେ କେତେକ ବ୍ୟକ୍ତି ଏଭଳି ଅମାନବିକ କାର୍ଯ୍ୟ କରୁଛନ୍ତି। ସମସ୍ତଙ୍କୁ ଘରୋଇ ଓ ସରକାରୀ ଡାକ୍ତରଖାନାରେ ଚିକିତ୍ସା ଯେଗାଇ ଦେବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ। ସବୁ ପ୍ରକାର ଔଷଧ ଯେପରି ରାଜ୍ୟର ବିଭିନ୍ନ ଔଷଧ ଦୋକାନରେ ଉପଲବ୍ଧ ହେବ ତାହା ସୁନିଶ୍ଚିତ କରାଯିବା ଉଚିତ। ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ଡାକ୍ତରଖାନା ଲକ୍‌ଡାଉନ ସମୟରେ ଖୋଲା ରହି ରୋଗୀଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦେବା ଉଚିତ। ଥାଲା‌ସେମିଆ ଓ ଏଚଆଇଭି ରୋଗୀଙ୍କ ଉପଯୁକ୍ତ ଚିକିତ୍ସା ସହିତ ସେମାନଙ୍କୁ ଆବଶ୍ୟକ ଔଷଧ ପ୍ରଦାନ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଥିଲେ। ଆବେଦନକାରୀ ଅଜ୍‌ରା ଜମାଲଙ୍କ ପକ୍ଷରୁ ଆଇନଜୀବୀ କ୍ଷୀରୋଦ କୁମାର ରାଉତ ମାମଲା ପରିଚାଳନା କରୁଥିବାବେଳେ ରାଜେନ୍ଦ୍ର ଦାସ, ଜୟନ୍ତୀ ନାୟକ, ସ‌ୁରେନ୍ଦ୍ର ରାଉତ, ସରୋଜ ଭୂୟାଁ ସହାୟତା କରୁଥିଲେ।

ସମ୍ବନ୍ଧିତ ଖବର