ଷ୍ଟାଡିୟମ୍‌ ପାଇଁ ‘ପେସେଣ୍ଟ ଟ୍ରାନ୍ସପୋର୍ଟେସନ୍ କରିଡର’

ଆପୋଲରେ ୫ ଓ କ୍ୟାପିଟାଲ ହସ୍ପିଟାଲରେ ୧୦ ମିନିଟ୍‌ରେ ପହଞ୍ଚିବ ଆମ୍ବୁଲାନ୍‌ସ

ଭୁବନେଶ୍ବର : ମଙ୍ଗଳବାର ଉଦ୍‌ଘାଟିତ ହେବ ବିଶ୍ବକପ୍ ହକି। ହକି ମହାସମର ଦେଖିବା ପାଇଁ ହଜାର ହଜାର ଦର୍ଶକ ଆସୁଥିବା ବେଳେ କୌଣସି ପ୍ରକାର ଅଘଟଣ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତୁତି ହୋଇଛି। ଷ୍ଟାଡିୟମ୍‌ର ୩ଟି ଷ୍ଟାଣ୍ଡରେ ସ୍ବାସ୍ଥ୍ୟ ବିଭାଗ ଫାଷ୍ଟାଏଡ୍ କିଓସ୍କ ଖୋଲିବ। ଖେଳାଳି ଓ ଭିଭିଆଇପିମାନଙ୍କ ପାଇଁ ଆପୋଲୋ ହସ୍ପିଟାଲ ପକ୍ଷରୁ ବ୍ୟବସ୍ଥା କରାଯିବ। ତେବେ କୌଣସି ପ୍ରକାର ଅଘଟଣ ଘଟିଲେ ଷ୍ଟାଡିୟମରୁ ‌ଆହତମାନେ କିଭଳି ବହୁଶୀଘ୍ର ଡାକ୍ତରଖାନାରେ ପହଞ୍ଚିବ ସେଥିପାଇଁ ଏକ ‘ପେସେ‌ଣ୍ଟ ଟ୍ରାନ୍ସପୋର୍ଟେସନ୍ କରିଡର’ ପ୍ରସ୍ତୁତ କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କମିସନରେଟ ପୁଲିସକୁ କୁହାଯାଇଛି। ଖେଳାଳି ଓ ଦର୍ଶକଙ୍କ ପାଇଁ ପ୍ରସ୍ତୁତ ଥିବା କ୍ୟାପିଟାଲ ହସ୍ପିଟାଲ ଓ ‌ଆପୋଲୋ ହସ୍ପିଟାଲରେ କେତେ ସମୟ ମଧ୍ୟରେ ଆମ୍ବୁଲାନ୍‌ସ ପହଞ୍ଚିବ ସେଥିପାଇଁ ଏକ ମକଡ୍ରିଲ୍ ହୋଇଥିଲା। ଆପୋଲୋ ହସ୍ପିଟାଲରେ ୫ ମିନିଟ୍ ଓ କ୍ୟାପିଟାଲ ହସ୍ପିଟାଲରେ ୧୦ମିନିଟ୍ ସର୍ବନିମ୍ନ ସମୟ ମଧ୍ୟରେ ଆମ୍ବୁଲାନ୍‌ସ ପହଞ୍ଚିଥିଲା। ତେବେ ବାହାରେ ଟ୍ରାଫିକ୍‌କୁ ନଜରରେ ରଖି ଏହି ସମୟରେ ସାମାନ୍ୟ ପରିବର୍ତନ ହୋଇପାରେ ବୋଲି କୁହାଯାଇଛି।

ଆସନ୍ତାକାଲି ଉଦ୍‌ଘାଟନୀ ଉତ୍ସବରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଷ୍ଟାଡିୟମର ୩ଟି ଷ୍ଟାଣ୍ଡରେ ଫାଷ୍ଟଏଡ୍ କିଓସ୍କ ଖୋଲିବ। ପ୍ରତ୍ୟେକ ଷ୍ଟାଣ୍ଡରେ ଦୁଇଟି ଲେଖାଏଁ ଆମ୍ବୁଲାନ୍‌ସ ରହିବ। ସେଣ୍ଟ ଜନ୍ ଆମ୍ବୁଲାନ୍‌ସ ପକ୍ଷରୁ ଆମ୍ବୁଲାନ୍‌ସ ଯୋଗାଇ ଦିଆଯାଇଛି। ଏହାସହ ଷ୍ଟାମ୍ପେଡ୍ ବା ଦଳାଚକଟା ପାଇଁ ଏକ ଗାଇଡଲାଇନ୍ ମଧ୍ୟ ପ୍ରସ୍ତୁତ ହୋଇଛି। ସେଣ୍ଟ ଜନ୍ ଆମ୍ବୁଲାନ୍‌ସର ପୁରୁଷୋତ୍ତମ ବଳଙ୍କ କହିବାନୁଯାୟୀ, ସେଣ୍ଟ ଜନ୍ ପକ୍ଷରୁ ୪ଟି ଆମ୍ବୁଲାନ୍‌ସ ରହିବ। ଏହାସହ ୧୬ଜଣ ସ୍ବତନ୍ତ୍ରଭାବେ ତାଲିମପ୍ରାପ୍ତ ସ୍ବେଚ୍ଛାସେବୀ ଏଥିରେ ନିୟୋଜିତ ହେବେ। କୌଣସି ପ୍ରକାର ଅଘଟଣ ହେଲେ ସେଠାରେ ଥିବା ମ୍ୟାନେଜର ଟିମ୍ ସଦସ୍ୟଙ୍କୁ ଡାକି ଆହତମାନଙ୍କୁ କିଭଳି ଡାକ୍ତରଖାନାକୁ ନିଆଯିବ ତାହାର ବ୍ୟବସ୍ଥା କରିବେ। ଅଘଟଣକୁ ରେଡ୍, ୟୋଲୋ, ବ୍ଲୁ ଓ ବ୍ଲାକ୍‌ରେ ପର୍ଯ୍ୟାୟଭୁକ୍ତ କରାଯାଇଛି। ରେଡ୍ କ୍ୟାଟେଗରିରେ ଆହତ ହୋଇଥିବା ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବା ପାଇଁ ଉଦ୍ୟମ କରାଯିବ। ୟୋଲୋ କ୍ୟାଟେଗୋରିରେ ଗୁରୁତର ଆହତ ରହିଥିବା ବେଳେ ବ୍ଲୁରେ ସାଧାରଣଭାବେ ଆହତ ବ୍ୟକ୍ତି ରହିବେ। ବ୍ଲାକ୍‌ କ୍ୟାଟୋଗୋରିରେ ମୃତ ବ୍ୟକ୍ତିଙ୍କୁ ରଖାଯିବ। ବ୍ଲାକ କ୍ୟାଟେଗୋରି ପାଇଁ ସ୍ବେଚ୍ଛାସେବୀମାନଙ୍କ କୌଣସି ଦାୟିତ୍ବ ରହିବ ନାହିଁ ବୋଲି ଶ୍ରୀ ବଳ କହିଛନ୍ତି।

ସ୍ବାସ୍ଥ୍ୟ ସଚିବ ଡା.ବି.କେ ବ୍ରହ୍ମାଙ୍କ ସୂଚନା ଅନୁଯାୟୀ, କ୍ୟାପିଟାଲ ହସ୍ପିଟାଲରେ ୫୦ ଶଯ୍ୟା ସଂରକ୍ଷିତ ରଖାଯାଇଛି। ଏହାସହ ୨୪ଘଣ୍ଟିଆ କଂଟ୍ରୋଲ୍‌ରୁମ୍‌ ମଧ୍ୟ କାର୍ଯ୍ୟ କରିବ। ଇଏସ୍‌ଆଇ ଓ ରାଜଧାନୀରେ ଥିବା ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବା ସିଏଚ୍‌ସିକୁ ଷ୍ଟାଣ୍ଡବାଏରେ ରଖାଯାଇଛି। ବିଶ୍ବକପ୍ ହକି ପାଇଁ ସ୍ବତନ୍ତ୍ରଭାବେ ଅନ୍ୟ ଜିଲ୍ଲାରୁ ଆସୁଥିବା ଡାକ୍ତର ଆସନ୍ତାକାଲି କାର୍ଯ୍ୟରେ ଯୋଗ ଦେବେ। ଆପୋଲୋ ହସ୍ପିଟାଲରେ ଖେଳାଳି ଓ ଭିଭିଆଇପିଙ୍କ ଚିକିତ୍ସା କରାଯିବ ବୋଲି ଡା.ବ୍ରହ୍ମା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର