ରାଜଧାନୀ ତଳ ଲିଙ୍କୁଡ଼ି ଗାଁର ଚିତ୍ର, ଭାରରେ ବୁହା ହେଉଛନ୍ତି ରୋଗୀ

ବାଲିଅନ୍ତା: ଶନିବାର ସକାଳେ ହଠାତ୍ ଅସୁସ୍ଥ ହୋଇପଡ଼ିଲେ ବୃଦ୍ଧା ଶଶି ବେୱା(୮୫)। ପରିବାର ଲୋକେ ଆମ୍ବୁଲାନ୍‌ସ ଡକାଇଲେ। ଆମ୍ବୁଲାନ୍‌ସ ମଧ୍ୟ ଠିକଣା ସମୟରେ ପହଞ୍ଚିଥିଲା। କିନ୍ତୁ ଗାଁଠାରୁ ପାଖାପାଖି ଏକ କିଲୋମିଟର ଦୂରରେ ଆମ୍ବୁଲାନ୍‌ସ ଅଟକିଗଲା। ରାସ୍ତା ଭଲ ନଥିବାରୁ ଆମ୍ବୁଲାନ୍‌ସ ଗାଁ ଭିତରକୁ ପଶି ପାରିଲା ନାହିଁ। ଫଳରେ ବାଧ୍ୟ ହୋଇ ଗ୍ରାମବାସୀମାନେ ଶଶିଙ୍କୁ ଭାରରେ ବସାଇ ଆମ୍ବୁଲାନ୍‌ସ ପର୍ଯ୍ୟନ୍ତ ବୋହି‌ଲେ। ଠିକ୍ ସେମିତି ଗତ ସପ୍ତାହରେ ଘଟିଥିଲା ଦୁଇଟି ଘଟଣା। ପକ୍ଷାଘାତ ରୋଗରେ ପୀଡ଼ିତା ସୀତା ଦେଇ ଓ ବୁଲେଇ ବେହେରାଙ୍କୁ ହସ୍ପିଟାଲ ନେବା ପାଇଁ ଆସିଥିବା ଆମ୍ବୁଲାନ୍‌ସ ଗାଁ ଭିତରକୁ ପଶି ପାରିଲା ନାହିଁ। ସେମାନଙ୍କୁ ଗ୍ରାମବାସୀମାନେ ଭାରରେ ଏକ କିଲୋମିଟର ବୋ‌ହି ବୋହି ଆମ୍ବୁଲାନ୍‌ସ ପାଖରେ ପହଞ୍ଚାଇଥିଲେ। ଏହା କୌଣସି ବଣ ଜଙ୍ଗଲ, ପାହାଡ଼ ପର୍ବତ‌ ଘେରା ଅପହଞ୍ଚ ଆଦିବାସୀ ଅଞ୍ଚଳର ଅବସ୍ଥା ନୁହେଁ, ରାଜଧାନୀଠାରୁ ମାତ୍ର ୩କିଲୋମିଟର ଦୂରରେ ଥିବା ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ସରକଣା ପଞ୍ଚାୟତ ଅଧୀନସ୍ଥ ଲିଙ୍କୁଡ଼ି ଗ‌ାଁର କଥା।

‘ଦୀପତଳ ଅନ୍ଧାର’ ଭଳି ସ୍ବାଧୀନତାର ୭୩ବର୍ଷ ପରେ ମଧ୍ୟ ରାଜଧାନୀ ନିକଟରେ ଥିବା ଲିଙ୍କୁଡ଼ି ଗ୍ରାମବାସୀ ଏଭଳି ଦୁର୍ବିସହ ଜୀବନ ଜିଉଁଛନ୍ତି। ଗାଁକୁ ପକ୍କା ସଡ଼କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାଳ ମାଳ ଯୋଜନା ଥିବା ସତ୍ତ୍ବେ ଗ୍ରାମବାସୀମାନେ ରାସ୍ତା ଅଭାବରୁ ଦହଗଞ୍ଜ ହେଉଛନ୍ତି। ଦୀର୍ଘ ବର୍ଷ ହେଲା ଲୋକେ ପୋଖରୀ ହୁଡ଼ାକୁ ରାସ୍ତା ଭାବେ ବ୍ୟବହାର କରୁଛନ୍ତି। ତେଣୁ ବର୍ଷା ଦିନ ହେଲେ ଗାଁ ଭିତରକୁ ଗାଡ଼ିମଟର ପଶିବା ବନ୍ଦ ହୋଇଯାଏ। ରାସ୍ତା ନଥିବାରୁ ଗାଁ ଭିତରକୁ ଜନନୀ ସୁରକ୍ଷା ଗାଡ଼ି ପଶିପାରେନି। ଆସନ୍ନ ପ୍ରସବ ମହିଳାଙ୍କୁ ଭାରରେ ବୋହି ଆମ୍ବୁଲାନ୍‌ସ ପର୍ଯ୍ୟନ୍ତ ନେବାକୁ ପଡ଼େ। ତେଣୁ ବହୁ ସମୟରେ ଲୋ‌କେ ପୁରୁଣା ପଦ୍ଧତିରେ ଘରେ ପ୍ରସବ କରାଇବାକୁ ବାଧ୍ୟ ହୁଅନ୍ତି ଓ ଏଥିପାଇଁ ପ୍ରସୂତିମାନେ ବିପଦ‌ରେ ପଡ଼ୁଥିବା ନଜିର ରହିଛି। ସେହିଭଳି ଅଗ୍ନିକାଣ୍ଡ ବେଳେ ନିଆଁ ଲିଭାଇବା ପାଇଁ ଦମକଳ ଗାଡ଼ି ଗାଁରେ ପହଞ୍ଚି ପାରେନାହିଁ। ଏତେ ସମସ୍ୟା ସତ୍ତ୍ବେ ଏହି ଗାଁକୁ ରାସ୍ତାଟିଏ ହୋଇ ପାରିଲା ନାହିଁ। ଗ୍ରାମବାସୀମାନେ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଲିଖିତ ଅଭିଯୋଗ କରିବା ପରେ ମଧ୍ୟ ଏହି ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିନାହିଁ।

ସୂଚନାନୁସାରେ, ଲିଙ୍କୁଡ଼ି ଗାଁଟି ସରକଣା ପଞ୍ଚାୟତର ୨ ନମ୍ବର ୱାର୍ଡର ଅଂଶବିଶେଷ। ଗାଁ ଚାରିପଟରେ ପୋଖରୀ ଓ ଚାଷ ଜମି ଭଳି ଘରୋଇ ସମ୍ପତ୍ତି ଥିବାରୁ ଗାଁକୁ କଂ‌କ୍ରିଟ ରାସ୍ତା ନିର୍ମାଣ ହୋଇ ପାରୁନାହିଁ। ଗାଁକୁ ସରକାରୀ ରାସ୍ତା ନଥିବାରୁ ଢଳେଇ ରାସ୍ତା ନିର୍ମାଣ ହୋଇପାରୁନାହିଁ ବୋଲି ସରପଞ୍ଚ ସୂର୍ଯ୍ୟ ନାରାୟଣ ଦାସ କହିଛନ୍ତି। ରାସ୍ତା ପାଇଁ କିଛି ଘରୋଇ ଜମି ଅଧିଗ୍ରହଣ କରିବାକୁ ପଡ଼ିବ। ତେଣୁ ସେ ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କରିଛନ୍ତି। କିନ୍ତୁ ସରକାରୀସ୍ତରରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ ବୋଲି ସେ କହିଛନ୍ତି। ସେହିପରି ଗୋତଳବିନ୍ଧା ‌ଶାଖା କେନାଲ ପାର୍ଶ୍ବରେ ଗ୍ରାମକୁ ଲାଗି ରହିଥିବା ସ୍ଥିତିବାନ ଜମି ମଧ୍ୟ ବିକଳ୍ପ ରାସ୍ତା ନିର୍ମାଣରେ ଆଉ ଗୋଟିଏ ମୁଖ୍ୟ ପ୍ରତିବନ୍ଧକ ବୋଲି ଜଣାପଡ଼ିଛି। ତେବେ ସରକାରୀ ଯୋଜନାରେ ଜମି ଅଧିଗ୍ରହଣ କିଛି ବଡ଼ କଥା ନୁହେଁ, ମାତ୍ର ପ୍ରାଶାସନିକ ଉଦାସୀନତା ଓ ନିର୍ବାଚିତ ଜନ ପ୍ରତିନିଧିମାନଙ୍କ ଅବହେଳା ପାଇଁ ଆଜି ପର୍ଯ୍ୟନ୍ତ ଗାଁକୁ ରାସ୍ତା ହୋଇପାରୁନାହିଁ ବୋଲି ଗ୍ରାମବାସୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର