ଭୁବନେଶ୍ବର: ରାଜ୍ୟର ସବୁ ଜିଲ୍ଲାରେ କିଡ୍‌ନି ଡାଇଲିସିସ୍‌ କରାଯାଉଛି। ‌ଗୋଟିଏ ସଂସ୍ଥ‌ା ସବୁଠି ଏହି କାର୍ଯ୍ୟ ହାତକୁ ନେଇଛି। ତେବେ କ୍ୟାପିଟାଲ ହସ୍ପିଟାଲକୁ ବାହାର ଜିଲ୍ଲାରୁ କାହିଁକି ଏତେ ଡାଇଲିସିସ୍‌ ରୋଗୀ ଆସୁଛନ୍ତି ବୋଲି ଆଜି କ୍ୟାପିଟାଲ ହସ୍ପିଟାଲରେ ଅନୁଷ୍ଠିତ ରୋଗୀ କଲ୍ୟାଣ ସମିତି ବୈଠକରେ ସଦସ୍ୟମା‌ନେ ପ୍ରଶ୍ନ ଉଠାଇଥିଲେ। ତେଣୁ କ୍ୟାପିଟାଲ ହସ୍ପିଟାଲରେ ଏବେଠାରୁ କେବଳ ଖୋର୍ଦ୍ଧା ଜିଲ୍ଲାର ଲୋକଙ୍କୁ ହିଁ କିଡ୍‌ନି ଡାଇଲିସିସ୍‌ ପାଇଁ ପ୍ରାଧାନ୍ୟ ଦିଆଯିବ ବୋଲି ବୈଠକ‌ରେ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଆଜି ପୂର୍ବାହ୍ନ‌‌ରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ଆୟୋଜିତ ରୋଗୀ କଲ୍ୟାଣ ସମିତି ଗଭର୍ଣ୍ଣିଂ କମିଟି ବୈଠକରେ କୁହାଯାଇଥିଲା ଯେ ପ୍ରତିମାସରେ ହସ୍ପିଟାଲକୁ ହାରାହାରି ୧,୪୩୨ଟି ଡାଇଲିସିସ୍‌ ମାମଲା ଆସୁଛି। ସେମାନଙ୍କ ମଧ୍ୟରେ ଅନେକ ବାହାର ଜିଲ୍ଲାର। ତେଣୁ ବହୁ ଖୋର୍ଦ୍ଧା ଜିଲ୍ଲାର କିଡ୍‌ନି ରୋଗୀ ଏହି ସୁବିଧା ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାଛଡ଼ା ଏବେ ଡାଇଲିସିସ୍‌ ପାଇଁ ଯେତିକି ବେଡ୍ ରହିଛି, ସେଥିରେ ଦୈନିକ ୩ଟି ସିଟିଂରେ ଡାଇଲିସିସ କରାଯାଉଛି। ଏହାକୁ ଦୈନିକ ୪କୁ ବୃଦ୍ଧି କରାଯିବାର ଯୋଜନା ରହିଛି।  

Advertisment

୪୦କୁ ବଢ଼ିବ ଆଇସିୟୁ ସଂଖ୍ୟା
୫୫ ଡାକ୍ତର ୫୩ ଷ୍ଟାଫ୍ ନର୍ସ ଅଭାବକୁ ନେଇ ଉଦ୍‌ବେଗ
ଫେବ୍ରୁଆରି ସୁଦ୍ଧ‌ା ସବୁ ବଳକା କାମ ସା‌ରିବାକୁ ନିର୍ଦ୍ଦେଶ

ସେହିପରି ଏବେ କ୍ୟାପିଟାଲ ହସ୍‌ପିଟାଲରେ ୧୬ଟି ଆଇସିୟୁ ବେଡ୍ ରହିଛି। ଖୁବ୍‌ଶୀଘ୍ର ଆଉ ୨୪ଟି ନୂଆ ଆଇସିୟୁ ବେଡ୍ ସାମିଲ ହେବ ବୋଲି ନିଷ୍ପତ୍ତି ହୋଇଛି।  ବନ୍ଦ ରହିଥିବା ମିସନ ଶକ୍ତି କାଫେକୁ ମଧ୍ୟ ଏସ୍‌ଏଚ୍‌ଜି ମହିଳାଙ୍କୁ ହସ୍ତାନ୍ତର କରି ଚଳିତ ବର୍ଷ ଶେଷସୁଦ୍ଧା ଚାଲୁ କରିବାକୁ ନିଷ୍ପତ୍ତି ହୋଇଛି। ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପାଇଁ ଯେଉଁ କ୍ୟାଣ୍ଟିନ ରହିଛି, ତାହା କାର୍ଯ୍ୟକାରୀ ହୋଇପାରୁ ନାହିଁ। ତେଣୁ ୨୦୨୫ ମେ’ ମାସ ସୁଦ୍ଧା ଏକ ନୂଆ କ୍ୟାଣ୍ଟିନ କ୍ୟାପିଟାଲ ହସ୍ପିଟାଲ ପରିସରରେ ତିଆରି କରାଯାଇ ତାହାକୁ କାର୍ଯ୍ୟକ୍ଷମ କରାଯିବ। ଜବରଦଖଲ ଉଚ୍ଛେଦ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ହସ୍ପିଟାଲରେ ଏବେ ୫୫ ଡାକ୍ତର ଓ ୫୩  ଷ୍ଟାଫ୍ ନର୍ସ ପଦବି ଖାଲି ରହିଛି। ଏହାକୁ ଯଥ‌ାଶୀଘ୍ର ପୂରଣ କରିବାକୁ କର୍ତ୍ତୃପକ୍ଷ ପଦକ୍ଷେପ ନେବେ। ହସ୍ପିଟାଲରେ ମନ୍ଥର ଗତିରେ ଚାଲିଥିବା ୮ଟି ନିର୍ମାଣ କାର୍ଯ୍ୟକୁ ଯଥାଶୀଘ୍ର ସାରିବାକୁ ମଧ୍ୟ ଆର୍‌ଆଣ୍ଡବି ବିଭାଗକୁ କୁହାଯାଇଛି। ଫେବ୍ରୁଆରି ୨୦୨୫ ସୁଦ୍ଧା ହସ୍ପିଟାଲ ପରିସରରେ ଚାଲିଥିବା ସମସ୍ତ ବଳକା କାର୍ଯ୍ୟ ସାରିବାକୁ କଣ୍ଟ ରଖାଯାଇଛି। ଡିସେମ୍ବର ୨୫ ସୁଦ୍ଧା ଟ୍ରମା କେୟାର କାର୍ଯ୍ୟ ସଂପୂର୍ଣ୍ଣ କରାଯାଇ ହସ୍ପିଟାଲକୁ ହସ୍ତାନ୍ତର କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା,ଏକାମ୍ର ବିଧାୟକ ବାବୁସିଂ, ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ହସ୍ପିଟାଲ ଓ ପିଜିଆଇଏମ୍‌ଇଆର୍‌ର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ତେବେ ‌ରୋଗୀ କଲ୍ୟାଣ ସମିତିରେ ସଦସ୍ୟ ଥିବା ପୁରୀ ସାଂସଦ ସମ୍ବିତ ପାତ୍ର ଓ ଉତ୍ତର ବିଧାୟକ ସୁଶାନ୍ତ ରାଉତ ଉପସ୍ଥିତ ନଥିଲେ।