କ୍ୟାପିଟାଲ ହସ୍ପିଟାଲରେ ଅଲଟ୍ରାସାଉଣ୍ଡ ପାଇଁ ରୋଗୀ ହନ୍ତସନ୍ତ

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ ରୋଗୀମାନଙ୍କୁ ଅଲଟ୍ରାସାଉଣ୍ଡ ପରୀକ୍ଷା ପାଇଁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। କେତେବେଳେ କରୋନା ପାଇଁ ୟୁନିଟ୍‌ ବନ୍ଦ ତ ଆଉ କେତେବେଳେ ମେସିନ୍ ଖରାପ ଅଭିଯୋଗ। ଏସବୁ କାରଣ ଯୋଗୁଁ ରୋଗୀମାନଙ୍କୁ ଦିନ ଦିନ ଅପେକ୍ଷା କରିବାକୁ ପଡ଼ୁଛି।

କରୋନା ପାଇଁ କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟାରେ ହ୍ରା‌ସ ଘଟିଥିଲା। ମାତ୍ର ଏବେ ରାଜଧାନୀରେ କରୋନା ସଂକ୍ରମଣ ହ୍ରାସ ପାଇବା ଓ ଅନଲକ୍‌ ପାଇଁ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ଦେଖିବାକୁ ମିଳିଛି। ଏଭଳି ପରିସ୍ଥିତିରେ ଅଲଟ୍ରାସାଉଣ୍ଡ କରିବାକୁ ଚାହୁଁଥିବା ରୋଗୀମାନଙ୍କୁ ହନ୍ତସନ୍ତ ହେବାକୁ ପଡ଼ୁଛି। କିଛିଦିନ ପୂର୍ବରୁ ଅଲଟ୍ରାସାଉଣ୍ଡ ୟୁନିଟ୍‌ରେ କାର୍ଯ୍ୟରତ କର୍ମଚାରୀ କରୋନା ସଂକ୍ରମିତ ହେବା ଫଳରେ ୟୁନିଟ୍‌କୁ ସଂପୂର୍ଣ୍ଣ ବନ୍ଦ କରି ଦିଆଯାଇଥିଲା। ମାତ୍ର ଏବେ ତାହା ପୁଣିଥରେ କାର୍ଯ୍ୟ କରିବାକୁ ଆରମ୍ଭ କରିଛି। ତେବେ କର୍ମଚାରୀଙ୍କୁ କରୋନା ଭୟ ଛାଡ଼ୁନି। ଅନେକ ରୋଗୀଙ୍କୁ ରାପିଡ୍‌ ଆଣ୍ଟିଜେନ୍‌ କିଟ୍‌ରେ ପରୀକ୍ଷା କରିବା ଲାଗି କୁହାଯାଉଛି। ଫଳରେ ଅନେକ ରୋଗୀ ପରୀକ୍ଷା କରିବା ପୂର୍ବରୁ ଅନ୍ୟତ୍ର ପଳାଉଛନ୍ତି। ତେବେ ୟୁନିଟ୍‌ର କର୍ମଚାରୀ କରୋନା ସଂକ୍ରମିତ ହେବା ଫଳରେ ଅନେକ ରୋଗୀଙ୍କ ପରୀକ୍ଷା ହୋଇପାରି ନ ଥିଲା। ତେଣୁ ଏବେ ରୋଗୀଙ୍କ ସଂଖ୍ୟା ବଢ଼ୁଛି। ଫଳରେ ନୂଆ ରୋଗୀଙ୍କୁ ଦୀର୍ଘଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଛି।

କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଡା.ଲକ୍ଷ୍ମୀଧର ସାହୁ କହିଛନ୍ତି, ଅଲଟ୍ରାସାଉଣ୍ଡ ୟୁନିଟ୍‌ କାର୍ଯ୍ୟ କରୁଛି।‌ କିଛିଦିନ ପୂର୍ବରୁ କର୍ମଚାରୀ କରୋନାରେ ସଂକ୍ରମିତ ହେବା ଫଳରେ ଅନେକ ରୋଗୀଙ୍କ ପରୀକ୍ଷା ହୋଇପାରି ନ ଥିଲା। ଏବେ ସେମାନଙ୍କ ପରୀକ୍ଷା କରାଯାଉଛି। ତେଣୁ ନୂଆ ରୋଗୀଙ୍କୁ ଅପେକ୍ଷା କରିବାକୁ ପଡ଼ୁଛି।

ସମ୍ବନ୍ଧିତ ଖବର