ଭୁବନେଶ୍ୱର, ୧୦/୨(ଇମିସ): ରୋଗୀଙ୍କୁ ବେଡ୍ସିଟ୍ ଯୋଗାଇ ପାରୁନି କ୍ୟାପିଟାଲ୍ ହସ୍ପିଟାଲ୍। ଯେଉଁ ବେଡ୍ସିଟ୍ ଯୋଗାଇଦିଆଉଛି, ସେଥିରେ ଚିରାଫଟା ଥିବା ବେଳେ ରକ୍ତ ଦାଗ ଓ ଯାବତୀୟ ଦାଗ ରହୁଥିବାରୁ ରୋଗୀମାନେ ନାକ ଟେକୁଛନ୍ତି। ତେଣୁ ରୋଗୀଙ୍କୁ ବେଡ୍ସିଟ୍ ଯୋଗାଇ ପାରୁନଥିବା ହସ୍ପିଟାଲ୍ କିଭଳି ରୋଗୀ ସେବା ଯୋଗାଉଛି, ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଘରୋଇ ସଂସ୍ଥାର ମନମାନି ପାଇଁ ହସ୍ପିଟାଲ୍ ବଦ୍ନାମ ହେଉଥିବା କହିଛନ୍ତି ହସ୍ପିଟାଲ୍ କର୍ତ୍ତୃପକ୍ଷ।
ସୂଚନାନୁସାରେ ଚିନ୍ମୟ ବିଶ୍ୱାଳଙ୍କ ଘର ଭୁବନେଶ୍ୱର ପଟିଆ। ତାଙ୍କ ବୃଦ୍ଧ ବାପାଙ୍କ ଦେହ ହାତ ଥରୁଥିବାରୁ ସେ ଆଜି ସକାଳୁ କ୍ୟାପିଟାଲ୍ ହସ୍ପିଟାଲ୍ ପୁରୁଷ ମେଡିସିନ ୱାର୍ଡରେ ଭର୍ତ୍ତି ହୋଇଛନ୍ତି। କିନ୍ତୁ ତାଙ୍କୁ ଅପରାହ୍ନ ସାଢ଼େ ୨ଟା ଯାଏ ବେଡ୍ସିଟ୍ ମିଳି ନଥିଲା। ସେ ବାରମ୍ବାର ୱାର୍ଡ ଦିଦିଙ୍କ ପାଖକୁ ଯାଇ ଅଭିଯୋଗ କରିଥିଲେ ସୁଦ୍ଧା ବେଡ୍ସିଟ୍ ନଥିବା କହି ତାଙ୍କୁ ଫେରାଇ ଦିଆଯାଇଥିଲା। ସେହିଭଳି ଭରତ ବେହେରାଙ୍କ ଭାଇ ପୁରୁଷ ମେଡିସିନ ୱାର୍ଡରେ ଗତକାଲି ରାତିରୁ ବେଡ୍ ପାଇଥିଲେ ମଧ୍ୟ ତାଙ୍କୁ ମଧ୍ୟ ଭଲ ବେଡ୍ସିଟ୍ ମିଳିନି। ଯେଉଁ ବେଡ୍ସିଟ୍ ମିଳିଛି, ସେଇଟା ପୂର୍ବରୁ ସେହି ଖଟରେ ପଡ଼ିଥିଲା। ଅର୍ଥାତ ପୁରୁଣା। ତେଣୁ ସେ ସେଇଟାକୁ ଖଟ ତଳେ ପକାଇ ଖାଲି ବେଡ୍ରେ ଶୋଇଛନ୍ତି। ହସ୍ପିଟାଲ୍ର ବିଭିନ୍ନ ୱାର୍ଡରେ ବେଡ୍ସିଟ୍ର କୃତ୍ରିମ ଅଭାବ ଦେଖାଦେଇଛି।
ଏହାସହ ବେଡ୍ସିଟ୍ ପ୍ରତିଦିନ ସକାଳୁ ବଦଳାଇବା ନିୟମ ଥିବା ବେଳେ ଦିନ ୨ ଟା ଯାଏ ବଦଳା ଯାଉନଥିବା ଅଭିଯୋଗ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ। ତେଣୁ ସକାଳ ଓପିଡି କିମ୍ବା ରାତିରେ କାଜୁଆଲିଟିରୁ ରେଫର୍ ହୋଇ ୱାର୍ଡକୁ ଆସୁଥିବା ରୋଗୀଙ୍କୁ ସେହି ପୁରୁଣା ବେଡ୍ସିଟ୍ କିମ୍ବା ବିନା ବେଡ୍ସିଟ୍ରେ ସେମିତି ଖାଲି ଖଟରେ ଶୋଇବାକୁ ପଡ଼ୁଥିବା ଦେଖାଯାଉଛି। ଏହାକୁ ନେଇ ରୋଗୀ ତଥା ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। କେବଳ ଏତିକି ନୁହେଁ, ଗତ କିଛି ମାସ ହେବ ବେଡ୍ସିଟ୍ ଯୋଗାଉଥିବା ସଂସ୍ଥା ମନମାନି କରୁଥିବା ହସ୍ପିଟାଲ କର୍ତୃପକ୍ଷ ଅଭିଯୋଗ କରିଛନ୍ତି। ୫୦ ବେଡ୍ସିଟ୍ ମାଗିଲେ ୩୦ ଦେଉଛନ୍ତି। ତା ସହିତ ଯେଉଁ ବେଡ୍ସିଟ୍ ସବୁ ଦେଉଛନ୍ତି ସେସବୁ ଭଲରେ ସଫା ହେଉନାହିଁ। ବେଡ୍ସିଟ୍ରେ ରକ୍ତ ଦାଗ କିମ୍ବା ଯାବତୀୟ ଦାଗ ରହୁଛି। କିଛି ବେଡ୍ସିଟ୍ ଚିରି ଯାଇଥିଲେ ସୁଦ୍ଧା ସେମାନେ ସେଗୁଡ଼ିକୁ ମଧ୍ୟ ବଦଳାଉନାହାନ୍ତି। ସେମିତି ଚିରା ବେଡ୍ସିଟ୍ ଖାଲି ସଫା କରି ଦେଇ ଦେଉଛନ୍ତି।
ଏ ବାବଦରେ ରୋଗୀଙ୍କୁ ବେଡ୍ସିଟ୍ ଦେବା ଦାୟିତ୍ୱରେ ଥିବା ହସ୍ପିଟାଲ କର୍ମଚାରୀଙ୍କୁ ପଚରାଯିବାରୁ ସେମାନେ କହିଛନ୍ତି ଯେ ଯେତିକି ଆସୁଛି ସେମାନେ ଦେଉଛନ୍ତି। ବେଡ୍ ହିସାବରେ ଆସିଲେ, ବେଡ୍ସିଟ୍ କମ୍ ପଡ଼ନ୍ତାନି। କିନ୍ତୁ ରୋଗୀ ହିସାବରେ ଆସୁଥିବାରୁ କମ୍ ହେଉଛି। ଦିନରେ ୫୦ ଜଣ ରୋଗୀ ଥିଲେ, ସେତିକି ଦେଇ ଦେଉଛନ୍ତି। କିନ୍ତୁ ପରେ କି ରାତିରେ ରୋଗୀ ସଂଖ୍ୟା ବୃଦ୍ଧି ଘଟିଲେ, ବେଡ୍ସିଟ୍ କମ୍ ପଡୁଛି। ଗତ ୩-୪ ମାସ ହେବ ବେଡ୍ସିଟ୍ ଆବଶ୍ୟକ ଅନୁସାରେ ମିଳୁନି କିମ୍ବା ଚିରା ଫଟା ବେଡ୍ସିଟ୍ ମିଳୁଥିବା କଥା ସେମାନେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଛନ୍ତି ବୋଲି କହିଛନ୍ତି। ଏବାବଦରେ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କ କହିବା କଥା ବହୁତ ଥର ଏପ୍ରକାର ଅଭିଯୋଗ ଆସିଲାଣି। ସଂସ୍ଥାର ଟେଣ୍ଡର ସରିବା ସମୟ ଆସିଯାଇଥିବା କାରଣରୁ ସେମାନେ ଏଭଳି ମନମାନି କରୁଛନ୍ତି। ସେମାନଙ୍କ ପାଇଁ ରୋଗୀ ହଇରାଣ ହେଉଛନ୍ତି। ତେଣୁ ଆମେ ସଂପୃକ୍ତ ସଂସ୍ଥାକୁ ବାରମ୍ବାର ତାଗିଦ୍ କରିଛୁ। ତଥାପି ସେମାନେ ଠିକ ଭାବେ ବେଡ୍ସିଟ ଯୋଗାଉନାହାନ୍ତି। ଏ ବାବଦରେ ଆମେ ଚିଠି କରି ଏନ୍ଏଚ୍ଏମ୍କୁ ଜଣାଇଦେଇଛୁ।