ସାମାଜିକ ଦୂରତା ମାନୁନାହାନ୍ତି ରୋଗୀ, ଅଭିଭାବକ; ଏଣିକି ମନଇଚ୍ଛା ଆସି ପାରିବେନି ସ୍ବାସ୍ଥ୍ୟକେନ୍ଦ୍ର

‌‌ଡାକ୍ତରଙ୍କୁ ପୁଲିସ ସୁରକ୍ଷା ଦିଆଯାଉ, ପ୍ରଶାସନ ବି ଗୁରୁତ୍ବ ଦେଉ

ବାଲିପାଟଣା: ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ରୋଗୀ ଓ ସେମାନଙ୍କ ଅଭିଭାବକମାନେ ସାମାଜିକ ଦୂରତ୍ବ ରକ୍ଷା କରୁନଥିବାରୁ ସ୍ବାସ୍ଥ୍ୟକେନ୍ଦ୍ର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମନୋରଂଜନ ହାତୀ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ରୋଗୀଙ୍କ ପାଇଁ ସେ ଏକ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ କରିଛନ୍ତି। ନୂଆ ନିୟମ ଅନୁଯାୟୀ, ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଏହା ଅଧୀନରେ ଥିବା ଉପସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକୁ ୩ଟି ସେକ୍ଟର୍‌ରେ ବିଭକ୍ତ କରାଯାଇଛି। ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଛାଡ଼ି ରାଜସକୁ ଗୋଟିଏ ସେକ୍ଟର ଏବଂ ବନମାଳିପୁର ଓ ଅଭୟମୁଖୀକୁ ମିଶାଇ ଆଉ ଗୋଟିଏ ସେକ୍ଟର୍‌ରେ ବିଭକ୍ତ କରାଯାଇଛି। ଏଥରକ ରୋଗୀମାନେ ଥଣ୍ଡା, କାଶ, ଛିଙ୍କ, ଜ୍ବର ଭଳି ଛୋଟମୋଟ ଦେହ ଖରାପ ହେଲେ ଲୋକେ ଅଯଥାରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନ ଦୌଡ଼ି ନିକଟସ୍ଥ ଉପସ୍ବାସ୍ଥ୍ୟକେନ୍ଦ୍ରକୁ ଯିବେ।

ତେବେ ଗୁରୁତର ରୋଗୀମାନଙ୍କ ପାଇଁ ଏହି ନିୟମ ଲାଗୁ ନୁହେଁ ବୋଲି ଡା. ହାତୀ ସ୍ପଷ୍ଟ କରିଛନ୍ତି। କିଛି ନିର୍ଦ୍ଦିଷ୍ଟ ବିଭାଗର ଡାକ୍ତର ଉପସ୍ବାସ୍ଥ୍ୟକେନ୍ଦ୍ରରେ ଉପଲବ୍ଧ ନ ଥିବାରୁ ରୋଗୀମାନେ ବାର ଅନୁଯାୟୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇପାରିବେ। କେଉଁ ବାରରେ କେଉଁ ଅଞ୍ଚଳର ରୋଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯିବେ, ସେ ସଂପର୍କ‌ରେ ଆଶାକର୍ମୀମାନେ ଗ୍ରାମବାସୀମାନଙ୍କୁ ଜଣାଇଦେବେ ବୋଲି ଡାକ୍ତର ହାତୀ କହିଛନ୍ତି। ଅପରପକ୍ଷେ ବାଲିପାଟଣା ଓ ବାଲିଅନ୍ତା ବ୍ଲକର ହଜାର ହଜାର ଜନସାଧାରଣ ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିବା ବେଳେ ଏଠାରେ କିନ୍ତୁ ସୁରକ୍ଷା ବ୍ୟବସ୍ଥା ପୂରାପୂରି ଢିଲା। ଫଳରେ ଅନେକ ସମୟରେ ମେଡିକାଲରେ କାର୍ଯ୍ୟରତ ଡାକ୍ତର, କର୍ମଚାରୀମାନେ ରୋଗୀ ଓ ସେମାନଙ୍କ ସଂପର୍କୀୟଙ୍କ ରୋଷର ଶିକାର ହେବାର ପୂର୍ବରୁ ନଜିର ରହିଛି। ଦୁଇଦିନ ତଳେ ସନ୍ଧ୍ୟା ସମୟରେ ଆହତ ଅବସ୍ଥାରେ ଜଣେ ମହିଳା ଆସିଥିଲେ। ସେ ସମୟରେ କାର୍ଯ୍ୟରତ ଡାକ୍ତର ରତିରଂଜନ ସ୍ବାଇଁ ରୋଗୀଙ୍କ ନାମ, ଗ୍ରାମ ଓ ବୟସ ପଚାରିବାରୁ ମହିଳାଙ୍କ ସଂପର୍କୀୟ ଡାକ୍ତରଙ୍କୁ ନାଲି ଆଖି ଦେଖାଇବା ସହ ଅବାନ୍ତର ଯୁକ୍ତି କରିଥିଲେ।

ଶୃଙ୍ଖଳା ଓ ସୁରକ୍ଷା ଉପରେ ଗୁରୁତ୍ବ ଆବଶ୍ୟକ
ବିଭିନ୍ନ ସମୟରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସମସ୍ୟା ଲାଗି ରହୁଛି। ଡାକ୍ତର ଅଭାବ ତ ଆଉ କେତେବେଳେ ଲୋକ ଅଶାନ୍ତି ସୃଷ୍ଟି ଚିନ୍ତାଜନକ ବୋଲି ବିଜେପି ନେତା ବସନ୍ତ ନାୟକ କହିଛନ୍ତି। ଦେଶରେ ମହାମାରୀ ପରିସ୍ଥିତି ଉପୁଜିଛି। ବର୍ତ୍ତମାନ ପରିସ୍ଥିତିରେ ସାମାଜିକ ଦୂରତା ରକ୍ଷା ଓ ସଚେତନତା ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ମେଡିକାଲରେ ସେବା ଯୋଗାଉଥିବା ଡାକ୍ତର, କର୍ମଚାରୀଙ୍କ ପ୍ରତି ଉତ୍ତମ ବ୍ୟବହାର ରହିବା ଆବଶ୍ୟକ। ସାମାଜିକ ଦୂରତା ରକ୍ଷା କଲେ ନିଜେ ସୁରକ୍ଷିତ ରହିବା ସହ ପରିବାର ଓ ସମାଜକୁ ସୁରକ୍ଷିତ ରଖି ହେବ। ସରକାରଙ୍କ ଏହି ନିୟମ ମାନିବାକୁ ଶ୍ରୀ ନାୟକ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

ପ୍ରଶାସନ ବି ଗୁରୁତ୍ବ ଦେଉ
ବେଙ୍ଗବତୀ ଗଡ଼ଗ୍ରାମର ରଂଜିତ ଜେନା କୁହନ୍ତି, ସେ ଗତକାଲି ନିଜ ଝିଅକୁ ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। କିନ୍ତୁ ସେଠାରେ ହଜାରେରୁ ଊର୍ଧ୍ବ ଲୋକ ଆସିଥିଲେ। ଲୋକମାନେ ସାମାଜିକ ଦୂରତା ରକ୍ଷା କରୁ ନଥିବା ଦେଖି ସେ ଭୟଭୀତ ହୋଇଯାଇଥିଲେ। ସରକାରଙ୍କ କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ ମାନିବା ଆମ୍ଭମାନଙ୍କ ଦାୟିତ୍ବ। ପୁଲିସ ଓ ସୁରକ୍ଷାକର୍ମୀଙ୍କୁ ଲୋକ ମାନୁ ନାହାନ୍ତି। ତେଣୁ ପୁଲିସ୍‌ ତରଫରୁ ସ୍ଥାୟୀ ସୁରକ୍ଷା ବନ୍ଦୋବସ୍ତ ହେବା ଆବଶ୍ୟକ ବୋଲି ରଂଜିତ କହିଛନ୍ତି। ପୁଲିସ ଉପସ୍ଥିତ ରହିଲେ ଲୋକେ ନିୟମ ମାନିବେ ବୋଲି ଯୁବ ସମାଜସେବୀ ରାନୁ ଦାବି କରିଛନ୍ତି।

ଚବିଶ ଘଣ୍ଟା ପୁଲିସ ସୁରକ୍ଷା ଯୋଗାଇ ଦିଆଯାଉ
ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତରମାନେ ବିଭିନ୍ନ ସମୟରେ ଲୋକଙ୍କ ଆକ୍ରୋଶର ଶିକାର ହେଉଛନ୍ତି। କିଛି ଲୋକ ଡାକ୍ତରଙ୍କୁ ଦୁର୍ବବ୍ୟବହାର କରୁଛନ୍ତି। ବର୍ତ୍ତମାନ କରୋନା ମହାମାରୀ ସମୟରେ ଏଥିପ୍ରତି ପ୍ରଶାସନ ଦୃଷ୍ଟି ନ ଦେଲେ ଡାକ୍ତରମାନେ କାମ କରିବାକୁ ଅମଙ୍ଗ ହେବେ ବୋଲି ଡାକ୍ତର ରତିରଂଜନ ସ୍ବାଇଁ କହିଛନ୍ତି। କାର୍ଯ୍ୟରତ ଡାକ୍ତର ଏବଂ କର୍ମଚାରୀଙ୍କ ସୁରକ୍ଷା ପାଇଁ ପୁଲିସ ସୁରକ୍ଷା ଯୋଗାଇ ଦିଆଯାଉ ବୋଲି ସେ କହିଛନ୍ତି।

 

ସମ୍ବନ୍ଧିତ ଖବର