କ୍ୟାପିଟାଲ ହସ୍ପିଟାଲରେ ଜେନେରାଲ ଓଟି ବନ୍ଦ; ରୋଗୀ ହନ୍ତସନ୍ତ

ରାପିଡ୍‌ କିଟ୍‌ରେ ପରୀକ୍ଷା କରି ଅସ୍ତ୍ରୋପଚାର ପାଇଁ ଦାବି

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ି ଚାଲିଥିବାରୁ ହସ୍ପିଟାଲ କର୍ତୃପକ୍ଷ ଜେନେରାଲ ଓଟିକୁ ବନ୍ଦ ରଖିଛନ୍ତି। ଯଦିଓ ଜରୁରୀ ପରିସ୍ଥିତିରେ ଓଟି କାର୍ଯ୍ୟକ୍ଷମ ହେଉଛି ମାତ୍ର ଅନ୍ୟ ସାଧାରଣ ରୋଗୀମାନଙ୍କୁ ଏଥିପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। କ୍ୟାପିଟାଲ ହସ୍ପିଟାଲରେ ବହୁ ସଂଖ୍ୟାରେ ରୋଗୀ, କର୍ମଚାରୀ, ଷ୍ଟାଫ ନର୍ସ ଓ ଡାକ୍ତର କରୋନା ସଂକ୍ରମିତ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ହସ୍ପିଟାଲରେ ଦୁଇ ବେଳା ବହିର୍ବିଭାଗ (ଓପିଡି) ସେବାକୁ ଗୋଟିଏ ବେଳାକୁ କମାଇ ଦିଆଯାଇଛି। ଏହାସହ ଜେନେରାଲ ଓଟି ମଧ୍ୟ କାର୍ଯ୍ୟକ୍ଷମ ହେଉନାହିଁ। ବିଶେଷକରି ସାଧାରଣ ସର୍ଜରି ବା ଅସ୍ତ୍ରୋପଚାର କରିବାକୁ ଚାହୁଁଥିବା ରୋଗୀଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ସେମାନେ ବାଧ୍ୟ ହୋଇ ଘରୋଇ ହସ୍ପିଟାଲ ଉପରେ ନିର୍ଭର କରୁଛନ୍ତି।

ହସ୍ପିଟାଲରେ ଆରଟି-ପିସିଆର ପାଇଁ ସ୍ବାବ୍ ସଂଗ୍ରହ ହେଉଥିବା ବେ‌ଳେ ଟ୍ରୁନାଟ୍‌ ଓ ରାପିଡ୍‌ ଆଣ୍ଟିଜେନ୍ କିଟ୍‌ ପରୀକ୍ଷା କରାଯାଉଛି। ତେଣୁ ରାପିଡ୍ କିଟ୍‌ ଜରିଆରେ ପରୀକ୍ଷା କରି ରୋଗୀଙ୍କ ଅସ୍ତ୍ରୋପଚାର କରାଯାଉ ବୋଲି ଅନେକ ଦାବି କରିଛନ୍ତି। ସ୍ତ୍ରୀ ଓ ପ୍ରସୂତି ୱାର୍ଡରେ ମଧ୍ୟ ସମାନ ଢଙ୍ଗରେ ପରୀକ୍ଷା କରାଯାଇ ଅସ୍ତ୍ରୋପଚାର କରାଯାଉଛି। ସର୍ଜରି ବିଭାଗରେ ଅନେକ ଡାକ୍ତର ରହିଥିଲେ ହେଁ, ଅସ୍ତ୍ରୋପଚାର କରାଯାଉନାହିଁ। ରୋଗୀଙ୍କୁ ଅନ୍ୟତ୍ର ରେଫର କରାଯାଉଛି। ଯଦି ଘରୋଇ ନର୍ସିଂ ହୋମ୍‌ରେ ଏହି ଅସ୍ତ୍ରୋପଚାର ହୋଇପାରୁଛି ତେବେ କ୍ୟାପିଟାଲ ହସ୍ପିଟାଲରେ କାହିଁକି ନୁହେଁ ବୋଲି ରୋଗୀ ଅଭିଯୋଗ କରିଛନ୍ତି। କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଡା.ଲକ୍ଷ୍ମୀଧର ସାହୁ କହିଛନ୍ତି, ସଂକ୍ରମଣ ପାଇଁ ଜେନେରାଲ ଓଟିକୁ ବନ୍ଦ ରଖାଯାଇଛି। ଯେଉଁମାନଙ୍କର ଅସ୍ତ୍ରୋପଚାରକୁ କିଛିଦିନ ପର୍ଯ୍ୟନ୍ତ ଘୁଞ୍ଚାଇ ହେବ ତାହାକୁ ଏବେ ବନ୍ଦ ରଖାଯାଇଛି। ତେବେ ଜରୁରୀ ପରିସ୍ଥିତିରେ ଆସୁଥିବା ରୋଗୀମାନଙ୍କୁ ଅସ୍ତ୍ରୋପଚାର ହେଉଛି। ଏପରିକି ସ୍ତ୍ରୀ ଓ ପ୍ରସୂତି ୱାର୍ଡରେ ଅସ୍ତ୍ରୋପଚାର ଜାରି ରହିଛି ବୋଲି ଡା.ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର