ଭୁବନେଶ୍ବର: ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପିଜିଆଇଏମ୍‌ଇଆର୍‌ ଆଣ୍ଡ୍ କ୍ୟାପିଟାଲ୍ ହସ୍ପିଟାଲର ନୂତନ ନିର୍ଦ୍ଦେଶିକା ଭାବେ ପ୍ରଫେସର୍ ସୁଜାତା ମିଶ୍ରଙ୍କୁ ଦାୟିତ୍ବ ଦିଆଯାଇଛି। ଏହାସହ ପ୍ରଫେସର୍ ବିଶ୍ବଜିତ ସାହୁଙ୍କୁ ଅଧୀକ୍ଷକ ଦାୟିତ୍ବ ପ୍ରଦାନ କରାଯାଇଛି। ପ୍ରଫେସର୍ ମିଶ୍ର ପୂର୍ବରୁ ପିଜିଆଇଏମ୍‌ଇଆର୍‌ସିଏଚ୍‌ର ପ୍ରଥମ ଅଧୀକ୍ଷକ ଦାୟିତ୍ବରେ ରହିଥିଲେ।

Advertisment

ରାଜ୍ୟର ବିଭିନ୍ନ ପ୍ରମୁଖ ହସ୍ପିଟାଲରେ ସ୍ତ୍ରୀ ଓ ପ୍ରସୂତି ବିଭାଗର ଜଣେ ବିଶେଷଜ୍ଞ ଭାବେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି। ଗତକାଲି ପିଜିଆଇଏମ୍‌ଇଆର୍‌ସିଏଚ୍ ପ୍ରଥମ ନିର୍ଦ୍ଦେଶିକା ପ୍ରଫେସର୍ ନିବେଦିତା ପାଣି ଅବସରଗ୍ରହଣ କରିବା ପରେ ଆଜି ତାଙ୍କୁ ଏହି ପଦବିରେ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ନିଯୁକ୍ତ କରାଯାଇଛି। ସେହିଭଳି ଡାକ୍ତର ବିଶ୍ବଜିତ୍ ସାହୁ ରାଜ୍ୟର ଜଣେ ଜଣାଶୁଣା ଅସ୍ଥିଶଲ୍ୟ ବିଶେଷଜ୍ଞ। ପୂର୍ବରୁ ସେ ପିଜିଆଇଏମ୍‌ଇଆର୍‌ସିଏଚ୍‌ର ଅସ୍ଥିଶଲ୍ୟ ବିଭାଗ ପ୍ରମୁଖ ଭାବେ କାର୍ଯ୍ୟରତ ରହିଥିଲେ। ଗତକାଲି ଅବସର ଗ୍ରହଣ କରିଥିବା ପ୍ରଫେସର ନିବେଦିତା ପାଣି ନି‌‌ଶ୍ଚେତକ ବିଭାଗରେ ଯୋଗ ‌ଦେଇଛନ୍ତି। ନିଶ୍ଚେତକ ବିଭାଗରେ ପିଜି ଖୋଲାଯିବାକୁ ଥିବା ବେଳେ ପ୍ରଫେସର ପାଣିଙ୍କ ଯୋଗଦାନ ବିଶେଷ ସହାୟକ ହେବ। ଆସନ୍ତା ଶିକ୍ଷାବର୍ଷରୁ ପିଜିଆଇଏମ୍‌ଇଆର୍‌ସିଏଚ୍‌ରେ ଆଉ ଦୁଇଟି ନୂତନ ବିଭାଗରେ ପାଠ୍ୟକ୍ରମ ଆରମ୍ଭ ହେବ। ତେଣୁ ଚଳିତ ମାସରେ ନେସନାଲ୍ ମେଡିକାଲ କମିସନ୍(ଏନ୍‌ଏମ୍‌ସି) ର ଏକ ଟିମ୍ ପରିଦର୍ଶନରେ ଆସିବେ।

‘‘ଆସନ୍ତା ଶିକ୍ଷାବର୍ଷ ଦୁଇଟି ବିଭାଗରେ ପିଜି ଖୋଲିବ। ଏହାସହ ଭବିଷ୍ୟତରେ ଅନ୍ୟ ବିଭାଗରେ ମଧ୍ୟ ପିଜି ଖୋଲାଯିବ। ସମୁଦାୟ ୧୫ଟି ବିଭାଗରେ ପିଜି ବିଭାଗ ଖୋଲାଯିବାର ବ୍ୟବସ୍ଥା‌ କରାଯିବ। ଏହାସହ କ୍ୟାପିଟାଲ ହସ୍ପିଟାଲ ରାଜ୍ୟର ଏକ ପ୍ରମୁଖ ହସ୍ପିଟାଲ। ଏବେ ଦିନକୁ ଦିନ ‌ରୋଗୀ ସଂଖ୍ୟା ମଧ୍ୟ ବୃଦ୍ଧି ଘଟୁଛି। ତେଣୁ ରୋଗୀଙ୍କ ସୁବିଧାକୁ ପ୍ରାଧାନ୍ୟ ଦେଇ ସମସ୍ତ ଲୋକାଭିମୁଖୀ କାର୍ଯ୍ୟକ୍ରମ ହାତକୁ ନିଆଯିବ।’’

- ପ୍ରଫେସର ସୁଜାତା ମିଶ୍ର

‘‘ଏହି ଦାୟିତ୍ବକୁ ମୁଁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରୁଛି। ୨୫ ବର୍ଷ ଧରି ରାଜ୍ୟର ବିଭିନ୍ନ ପ୍ରମୁଖ ଡାକ୍ତରଖାନାମାନଙ୍କରେ ନିସ୍ବାର୍ଥପର ଭାବେ ସେବା ଯୋଗାଇ ଆସିଛି। ସରକାର ମୋ ଉପରେ ଭରସା କରି ଏହି ଦାୟିତ୍ବ ପ୍ରଦାନ କରିଛନ୍ତି। ତେଣୁ ଏହି ଦାୟିତ୍ବକୁ ସୁଚାରୁ ରୂପେ ନିର୍ବାହ କରିବି। ଭବି‌ଷ୍ୟତରେ ହସ୍ପିଟାଲର ସମସ୍ତ ବିଭାଗରେ ନୂଆ ପିଜି ଖୋଲାଯିବ। ଏଥିପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ। ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଛାତ୍ରଛାତ୍ରୀ ଏଠାକୁ ପଢ଼ିବାକୁ ଆସୁଛନ୍ତି। ସେମାନଙ୍କ ପାଠପଢ଼ାରେ ଯେପରି କୌଣସି ବ୍ୟାଘାତ ନ ହେବ ସେଥିପ୍ରତି ଯତ୍ନବାନ ହେବି।’’

-ପ୍ରଫେସର ବିଶ୍ବଜିତ୍ ସାହୁ