ଘରୋଇ ହସ୍ପିଟାଲ‌ରେ ବଢ଼ୁଛି ଅବହେଳା : ବହୁ ‌ରୋଗୀଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ଫେରାଇ ଦେଉଛନ୍ତି, ଅକାଳରେ ଚାଲିଯାଉଛି ଜୀବନ

ଅଭିଯୋଗ ପରେ ବି ଡିଏମ୍‌ଇଟି, ସ୍ବାସ୍ଥ୍ୟ ବିଭାଗ, ବିଏମ୍‌ସି ଚୁପ୍‌

ଭୁବନେଶ୍ୱର : କରୋନା ଯେଉଁ ହାରରେ ବଢ଼ୁଛି, ଅଣକୋଭିଡ୍‌ ମୃତକଙ୍କ ସଂଖ୍ୟା ସେହି ଅନୁସାରେ ବଢ଼ିଚାଲିଛି। ଛାତିରେ ଯନ୍ତ୍ରଣା ହେବାରୁ ବହୁ ଲୋକ ହସ୍ପିଟାଲକୁ ଯାଉଛନ୍ତି। ହସ୍ପିଟାଲରେ ପହଞ୍ଚିଲାବେଳକୁ ମୃତ ଘୋଷଣା ହେଉଛନ୍ତି। କେତେକ କ୍ଷେତ୍ରରେ ହସ୍ପିଟାଲ କର୍ତ୍ତୃପକ୍ଷ ଚିକିତ୍ସା କରିବେ କରିବେନି ବୋଲି ଝୁଲାଇ ରଖୁଛନ୍ତି। ଘଣ୍ଟାଘଣ୍ଟା ଧରି ହସ୍ପିଟାଲ ବାରଣ୍ଡାରେ ପଡ଼ି ରହିବା ପରେ ଆଇସିୟୁ ନାହିଁ, ବେଡ୍‌ ନାହିଁ ଏମିତି ବିଭିନ୍ନ ବାହନା ଦେଖାଇ ଫେରାଇ ଦେଉଛନ୍ତି। ରୋଗୀଙ୍କୁ ଅନ୍ୟ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରିବାବେଳକୁ ସେଠାରେ ମୃତ ଘୋଷଣା ହେଉଛନ୍ତି। ଏହିପରି ଅଭିଯୋଗ ଏବେ ପ୍ରତିଦିନ ହେଉଛି।

କିଏ ବାପାଙ୍କୁ ହସ୍ପିଟାଲକୁ ନେଇଥିଲା ହସ୍ପିଟାଲରେ ଚିକିତ୍ସା ଅବହେଳା ହେବାରୁ ମୃତ୍ୟୁ ହୋଇଗଲା ଅଭିଯୋଗ କରୁଛି ତ କିଏ କହୁଛି ଦାଦାଙ୍କୁ ହସ୍ପିଟାଲ ନେଇଥିଲି ସେଠାରେ ପହଞ୍ଚିବା କ୍ଷଣି ଚିକିତ୍ସା ଆରମ୍ଭ ନକରି ଘଣ୍ଟାଧିକ କାଳ ପକାଇ ରଖିବା ପରେ ଫେରାଇଦେଲେ। ଆଉ ଏକ ହସ୍ପିଟାଲକୁ ନେବା ବେଳକୁ ତାଙ୍କର ମୃତ୍ୟୁ ହୋଇଗଲା। ରାଜ୍ୟ ସରକାର କୋଭିଡ୍‌ ପରିଚାଳନାରେ ମାତିବେ ବୋଲି କ’ଣ ଅନ୍ୟ ରୋଗୀଙ୍କର ଚିକିତ୍ସା ହେବନି? ଏ ପ୍ରଶ୍ନ ଏବେ ସମସ୍ତେ ପଚାରିଲେଣି। କାରଣ ଯେଉଁ ହୃଦ୍‌ଘାତ ରୋଗୀ, କର୍କଟ ରୋଗୀ, ମେଦବହୁଳ ରୋଗୀଙ୍କ ଭଳି ଆକ୍ରାନ୍ତ ଆଉ କିଛି ବର୍ଷ ବଞ୍ଚିଥାନ୍ତେ ସେମାନେ ଏବେ ଅକାଳ‌ରେ ଜୀବନ ହାରୁଛନ୍ତି।

ରାଜ୍ୟ ସରକାର ଘରୋଇ ହସ୍ପିଟାଲ ପାଇଁ ମାଳମାଳ ଗାଇଡଲାଇନ୍ ଜାରି କଲେଣି। କିନ୍ତୁ କେହି ମାନୁନାହାନ୍ତି। ଆଉ ଅକାଳରେ ବହୁ ଲୋକଙ୍କ ଜୀବନ ଚାଲିଯାଉଛି। ସମସ୍ତ ଘରୋଇ ହସ୍ପିଟାଲରେ ରୋଗୀଙ୍କ ଚିକିତ୍ସାରେ ଅବହେଳା କରାଯାଉଥିବା ନେଇ ଅଭିଯୋଗ ହେଉଛି। କିଏ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌ କରି ଅଭିଯୋଗ କରୁଛି ତ କିଏ ବିଏମ୍‌ସିକୁ ତ କିଏ ସ୍ବାସ୍ଥ୍ୟ ବିଭାଗକୁ। କିନ୍ତୁ କିଛି ଫରକ୍‌ ପଡ଼ୁନି। କିଏ ମଲେ, ଚିକିତ୍ସା ପାଇଲେ କି ନାହିଁ ସେନେଇ କାହାର ଦରଦ ନାହିଁ। ଯାହାର ସମ୍ପର୍କୀୟ ମରୁଛନ୍ତି ତାଙ୍କୁ ସିନା ବାଧୁଛି। ବିଏମ୍‌ସିର କ’ଣ ଯାଉଛି ନା ସ୍ବାସ୍ଥ୍ୟ ବିଭାଗର କ’ଣ ଯାଉଛି। ଘରୋଇ ହସ୍ପିଟାଲଙ୍କ ଭଳି ସରକାରୀ ଅଧିକାରୀମାନେ ମାନିବିକତା ହରାଇଦେ‌ଲେଣି। ତେଣୁ ଆଜି ପର୍ଯ୍ୟନ୍ତ ଘରୋଇ ହସ୍ପିଟାଲକୁ ତାଗିଦ୍‌ କରିବାକୁ ଏମାନଙ୍କର ପାଟି ଫିଟୁନି। କିପରି ସମସ୍ତଙ୍କୁ ଗୁଣାତ୍ମକ ଚିକିତ୍ସା ମିଳିବ, କିପରି ଜଣେ ରୋଗୀ ହସ୍ପିଟାଲରେ ପହଞ୍ଚିଲେ ତୁରନ୍ତ ତାଙ୍କର ଚିକିତ୍ସା ଆରମ୍ଭ ହେବ ସେନେଇ କିଛି ପଦକ୍ଷେପ ନିଆଯାଉନି। ଯାହା ବି ପଦକ୍ଷେପ ନିଆଯାଇଛି ତାକୁ ପାଳନ କରାଯାଉଛି କି ନାହିଁ ତାକୁ କେହି ଯାଞ୍ଚ କରୁନାହାନ୍ତି।

ସବୁଠୁ ଆଶ୍ଚର୍ଯ୍ୟର ବିଷୟ ଡିଏମ୍‌ଇଟି ସମସ୍ତ ଘରୋଇ ହସ୍ପିଟାଲକୁ ନିୟନ୍ତ୍ରଣ କରୁଛନ୍ତି। ‌ପ୍ରତି ଘରୋଇ ହସ୍ପିଟାଲରେ ୧୦% ଶଯ୍ୟା କୋଭିଡ୍‌ ଆକ୍ରାନ୍ତଙ୍କ ପାଇଁ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ କେତେ ରୋଗୀଙ୍କୁ କେଉଁଥିରେ ରଖିଲେ, କେତେ ଜଣଙ୍କୁ ଚିକିତ୍ସା କଲେ ସେ ଖବର କାହା ପାଖ‌ରେ ରହୁନି। ହସ୍ପିଟାଲ କର୍ତ୍ତୃପକ୍ଷ ଯେତିକି ସଂଖ୍ୟା କହିଲେ ତାହାକୁ ଟିପି ରଖୁଛନ୍ତି। ଏନେଇ ଡିଏମ୍‌ଇଟି ପ୍ରଫେସର ସିବିକେ ମହାନ୍ତିଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ବହୁ ଅଣକୋଭିଡ୍‌ ଘରୋଇ ହସ୍ପିଟାଲ ସେମାନଙ୍କ କ୍ଷମତା ଠାରୁ ଅଧିକ ଲୋକଙ୍କୁ ଚିକିତ୍ସିତ କରୁଛନ୍ତି। କୌଣସି କୋଭିଡ୍‌ ଆକ୍ରାନ୍ତଙ୍କୁ ଚିକିତ୍ସା ମିଳୁନି ବୋଲି ଅଭିଯୋଗ ଆସିନି। କିନ୍ତୁ ଅଣକୋଭିଡ୍‌ ରୋଗୀଙ୍କୁ ବି ଚିକିତ୍ସାରେ ଅବହେଳା ନେଇ ଅଭିଯୋଗ ଆସୁନି। ଯଦି କେହି ଅଭିଯୋଗ କରିବେ ତେବେ ଆମେ ଯାଞ୍ଚ କରିବୁ। କିଛି ମାସ ତଳେ ଜଣେ ହୃଦ୍‌ରୋଗୀଙ୍କର ଚିକିତ୍ସାରେ ଅବହେଳା ନେଇ ଅଭିଯୋଗ ଆସିଥିଲା। ଆମେ ଯାଞ୍ଚ କରିଥିଲୁ। ଘରୋଇ ହସ୍ପିଟାଲଗୁଡ଼ିକ ଯଦି ବେଡ୍‌ ଥାଇ ନାହିଁ ବୋଲି କହିବେ, ଆଇସିୟୁ ଥାଇ ନାହିଁ ବୋଲି କହିବେ ତେବେ ଆମେ କ’ଣ କରିପାରିବୁ? ତାକୁ ବି କେମିତି ଯାଞ୍ଚ କରିବୁ। ସେମାନେ ଯଦି ମାନବିକତା ହରାଇ କାର୍ଯ୍ୟ କରିବେ ତେବେ ଆଉ କ’ଣ କରିହେବ। ଯେଉଁଠି ଡିଏମ୍‌ଇଟି ଅଭିଯୋଗ ନହେଲେ ଯାଞ୍ଚ କରିହେବନି ବୋଲି କହୁଛନ୍ତି ସେଠାରେ ରୋଗୀ ଯାଇ ହସ୍ପିଟାଲରେ ବେଡ୍‌ ଅଛି କି ନାହିଁ ଯାଞ୍ଚ କରିବ ନା ତାଙ୍କ ସମ୍ପର୍କୀୟ କରି‌ବେ? କେବଳ ଡିଏମ୍‌ଇଟି ନୁ‌ହେଁ। ବିଏମ୍‌ସି କର୍ତ୍ତୃପକ୍ଷଙ୍କ ପାଖରେ ବି ଏନେଇ ମାଳମାଳ ଅଭିଯୋଗ ପହଞ୍ଚିଛି। କିନ୍ତୁ ସମସ୍ତେ ନିରବ।

ଏନେଇ ଏଡିୟୁ ପିଏଚ୍‌ଓ କହିଛନ୍ତି ଯେ, ବିଏମ୍‌ସିକୁ ଏନେଇ କିଛି ଅଭିଯୋଗ ଆସିଛି। କମିସନର ବି ବାରମ୍ବାର ଘରୋଇ ହସ୍ପିଟାଲଗୁଡ଼ିକୁ ଚିଠି ଲେଖୁଛନ୍ତି। କିନ୍ତୁ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା କାମ ଡିଏମ୍‌ଇଟିଙ୍କର। ସେମାନେ ଯାହା କରିବେ। ବିଏମ୍‌ସି କି ଡିଏମ୍‌ଇଟି କେହି ଘରୋଇ ହସ୍ପିଟାଲଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଆଗ୍ରହୀ ନଥିବା ସେମାନଙ୍କ ବକ୍ତବ୍ୟରୁ ଜଣାପଡ଼ୁଛି। ଯଦି ସମସ୍ତେ ସ୍ଥାଣୁ ପାଲଟିଯିବେ କ’ଣ ଲୋକ ଏମିତି ହସ୍ପିଟାଲ ଦୁଆର ମୁହଁରେ ମରିବେ?

ଇନ୍‌ସ୍ୟୁରାନ୍ସ ନଥିଲେ ଚିକିତ୍ସା କରୁନାହାନ୍ତି
ଘରୋଇ ହସ୍ପିଟାଲଗୁଡ଼ିକ ଆକ୍ରାନ୍ତଙ୍କୁ ବିଭିନ୍ନ ପ୍ରକାରର ମିଛ କହି ଫେରାଇ ଦେବାର ପଛରେ କାରଣ ହେଲା ବହୁ ଆକ୍ରାନ୍ତଙ୍କର ଘରୋଇ କମ୍ପାନିର ସ୍ବାସ୍ଥ୍ୟ ବୀମା ନାହିଁ। ହସ୍ପିଟାଲ ଦୁଆର ମୁହଁରେ ପହଞ୍ଚୁ ପହଞ୍ଚୁ ହସ୍ପିଟାଲ କର୍ତ୍ତୃପକ୍ଷ ରୋଗୀଙ୍କୁ ଆଶୁ ଚିକିତ୍ସା ଯୋଗାଇ ବଞ୍ଚାଇବା ପାଇଁ ତୁରନ୍ତ ପଦକ୍ଷେପ ନେବା ବଦଳରେ ସ୍ବାସ୍ଥ୍ୟ ବୀମା ଅଛି କି ନାହିଁ ପଚାରୁଛନ୍ତି। ଯଦି ନା କହିଦେଲ ତେବେ ୫୦% ନା ସେଠାରେ। ଏହାପରେ ସେମାନେ ଆକ୍ରାନ୍ତ ଓ ତାଙ୍କ ସମ୍ପର୍କୀୟଙ୍କ ଷ୍ଟାଟସ୍‌ ଦେଖୁଛନ୍ତି। ଟଙ୍କା ଦେଇ ପାରିବେ କି ନାହିଁ। କରୋନା ପାଇଁ ଲୋକ କାମଧନ୍ଦା ହରାଇଥିବାରୁ ଅନେକଙ୍କ ପାଖରେ ଟଙ୍କା ନାହିଁ। ତେଣୁ ଚିକିତ୍ସା କଲେ କାଳେ ଟଙ୍କା ନାହିଁ ବୋଲି କହି ରୋଗୀଙ୍କ ସମ୍ପର୍କୀୟ ହୋ ହଲ୍ଲା କରିବେ ସେଥିପାଇଁ ପ୍ରଥମରୁ ଫେରାଇ ଦେବାକୁ ହସ୍ପିଟାଲ କର୍ତ୍ତୃପକ୍ଷ ଉଚିତ ମଣୁଛନ୍ତି। ଏହି କ୍ଷେତ୍ରରେ ୨୫% ନା। ବାକି ୨୫% ନା ଆକ୍ରାନ୍ତଙ୍କର କୋଭିଡ୍‌ ପରୀକ୍ଷା ହୋଇଛି କି ନାହିଁ। ଯଦି ଆକ୍ରାନ୍ତଙ୍କର କୋଭିଡ୍‌ ପରୀକ୍ଷା ହୋଇନି ତେବେ ହସ୍ପିଟାଲରେ ଭର୍ତ୍ତି କରୁନାହାନ୍ତି। ଆଗ କୋଭିଡ୍‌ ପରୀକ୍ଷା ତା’ପରେ ଚିକିତ୍ସା। ହେଲେ ଏହା ପୂର୍ବରୁ ପ୍ରଥମ ୭୫% କ୍ୟାଟେଗୋରିରେ ରୋଗୀ ଉତ୍ତୀର୍ଣ୍ଣ ହୋଇଥିବା ଦରକାର। ଘରୋଇ ହସ୍ପିଟାଲଗୁଡ଼ିକ‌ର ଏହି ମନୋବୃତ୍ତି ଏବେ ବହୁ ଆକ୍ରାନ୍ତଙ୍କର ଜୀବନ ନେବାରେ ଲାଗିଛି। କିଛି ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷ ଏନେଇ ସଫେଇ ଦେଇ କହିଛନ୍ତି ଯେ, ଆମର ବହୁ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଯାଇଛନ୍ତି। ତେଣୁ ଯେତିକି ରୋଗୀଙ୍କୁ ଉଚିତ ଚିକିତ୍ସା ଯୋଗାଇପାରିବୁ ସେତିକି ରୋଗୀଙ୍କୁ ହସ୍ପିଟାଲରେ ରଖୁଛୁ।

ଚିକିତ୍ସା ଅଧାରେ କୋଭିଡ୍‌ ସଂକ୍ରମଣ ହେଲେ ମଲ
ଏବେ ବିଭିନ୍ନ ଘରୋଇ ହସ୍ପିଟାଲ ହେଉ କି ସରକାରୀ ହସ୍ପିଟାଲ, ସେଠାରେ ଯେଉଁମାନେ ଅନ୍ୟ ରୋଗରେ ଚିକିତ୍ସିତ ହେଉଛନ୍ତି ସେମାନେ ଯଦି ଅଧା ଚିକିତ୍ସାରୁ କୋଭିଡ୍‌ ସଂକ୍ରମଣ ହେଉଛନ୍ତି ତେବେ ବଞ୍ଚିବା ସମ୍ଭାବନା କମ୍‌ ହୋଇଯାଉଛି। କାରଣ ଯେତେ ଜଟିଳ ରୋଗ ହେଲେ ବି ଚିକିତ୍ସା ଅଧାରୁ ଯଦି କୋଭିଡ୍‌ ବାହାରିଲା ତେବେ ତୁରନ୍ତ ତାଙ୍କୁ ହସ୍ପିଟାଲର କୋଭିଡ୍‌ ୱାର୍ଡ କିମ୍ବା କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରିଦିଆଯାଉଛି। ହେଲେ ସେଠାରେ ପୂର୍ବରୁ ଯେଉଁ ରୋଗ ହୋଇଛି ତା’ର ଚିକିତ୍ସା କରାଯାଉନି। ଫଳରେ ବହୁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଯାଉଛି। ଏପଟେ ରାଜ୍ୟ ସରକାର ଅଡିଟ୍‌ କରି କହିଦେଉଛନ୍ତି ଅମୁକ ରୋଗ ଥିଲା, ସମୁକ ରୋଗ ଥିଲା ତେଣୁ ମୃତ୍ୟୁ ହୋଇଗଲା। ହେଲେ ଚିକିତ୍ସା କରିଥି‌ଲେ ଯେ ଭଲ ହୋଇଯାଇଥାନ୍ତେ ତାହା କେହି କହୁନାହାନ୍ତି। ନିକଟରେ ବିଏମ୍‌ସିର ଜଣେ ସିଓଙ୍କର ଦୁର୍ଘଟଣା ହେବା ପରେ ଏମ୍‌ସରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ଦୁଇଟି ଗୋଡ଼ ଓ ଗୋଟିଏ ହାତ କଟାଯାଇଥିଲା। ଚିକିତ୍ସା ଚାଲିଥିଲା। କିନ୍ତୁ ହଠାତ୍‌ ଜଣାପଡ଼ିଲା ସେ କରୋନା ଆକ୍ରାନ୍ତ। ଏହାପରେ କୋଭିଡ୍‌ ୱାର୍ଡକୁ ସ୍ଥାନାନ୍ତର କରିଦିଆଗଲା। ସେଠାରେ ଚିକିତ୍ସା ହେଲା, କିନ୍ତୁ ପୂର୍ବରୁ ଯେମିତି ଚିକିତ୍ସା ହେଉଥିଲା ତାହା କୋଭିଡ୍‌ ୱାର୍ଡରେ ହେଲାନି। ଦିନକରେ ଜୀବନ ଚାଲିଗଲା। ଏହା ଗୋଟିଏ ଉଦାହାରଣ ନୁହେଁ। ଏମ୍‌ସରେ ଏମିତି ବହୁ ଆକ୍ରାନ୍ତଙ୍କର ମୃତ୍ୟୁ ହେଲାଣି। ଘରୋଇ ହସ୍ପିଟାଲରେ ଏମିତି ବହୁ ରୋଗୀଙ୍କର ମୃତ୍ୟୁ ହେଉଥିଲେ ବି ବିଏମ୍‌ସି କି ସ୍ବାସ୍ଥ୍ୟ ବିଭାଗର ଏହାର ତନାଘନା କରୁନଥିବାରୁ ମୃତକଙ୍କ ସମ୍ପର୍କୀୟଙ୍କ ଅଭିଯୋଗ କେବଳ ଅଭିଯୋଗରେ ରହିଯାଉଛି।

ସମ୍ବନ୍ଧିତ ଖବର