ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟରେ ଚାଲିଥିବା ରାଜ୍ୟର ଦୁଇ ଛାତ୍ରସଂଗଠନ ମଧ୍ୟରେ ପତିଆରା ଲଢ଼େଇରେ ସାମୟିକଭାବେ ବିରାମ ଲାଗିଛି। ବହୁ ବୁଝାସୁଝା ପରେ ଉଚ୍ଚଶିକ୍ଷା ବିଭାଗ ଅଧିକାରୀ ଓ କୁଳପତିଙ୍କ ପ୍ରତିଶ୍ରୁତି ପାଇ ଆଜି ଦୁଇ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଓ ବିଜୁ ଛାତ୍ର ଜନତା ଦଳ(ବିସିଜେଡ଼ି) ଅନଶନରୁ ଓହରିଛନ୍ତି।
ସୂଚନା ଅନୁସାରେ ହଷ୍ଟେଲ୍ରୁ ଅଣଛାତ୍ରଙ୍କୁ ହଟାଇବା ଓ ନିଶାମୁକ୍ତ କ୍ୟାମ୍ପସ୍ ଦାବିରେ ଏବିଭିପି ପକ୍ଷରୁ ଗତ ୪ ଦିନ ଧରି କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। କୁଳପତି, କୁଳସଚିବ ଓ ଉଚ୍ଚଶିକ୍ଷା ବିଭାଗର ଅଧିକାରୀମାନେ ଆଜି ଅନଶନସ୍ଥଳରେ ପହଞ୍ଚି ଛାତ୍ରମାନଙ୍କ ସହ ଆଲୋଚନା କରିଥିଲେ। ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ବିଭିନ୍ନ ବିଭାଗରେ ଚାଲିଥିବା ପରୀକ୍ଷା ସରିଯିବ। ଏହାପରେ ଛାତ୍ରଙ୍କ ଦାବି ଉପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅଧିକାରୀମାନେ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ବିଶ୍ବବିଦ୍ୟାଳୟର ଅଧିକାରୀମାନେ ଅନଶନରେ ବସିଥିବା ଛାତ୍ରମାନଙ୍କୁ ପଇଡ଼ପାଣି ପିଆଇ ଅନଶନ ଭାଙ୍ଗିଥିଲେ। ଏନେଇ ପରିଷଦ ପକ୍ଷରୁ କୁହାଯାଇଛି ଯେ ଅଣଛାତ୍ରମାନେ କ୍ୟାମ୍ପସ୍ରେ ଥିବା ଛାତ୍ରାବାସଗୁଡ଼ିକୁ ଅକ୍ତିଆର କରି ରଖିଛନ୍ତି। ସେମାନଙ୍କ ପାଇଁ କ୍ୟାମ୍ପସ୍ରେ ନିଶା କାରବାର ବୃଦ୍ଧି ପାଇବା ଦ୍ବାରା ଶୈକ୍ଷିକ ବାତାବରଣ ନଷ୍ଟ ହେଉଛି। କେତେକ ରାଜନୈତିକ ବ୍ୟକ୍ତି ନିଜର ପତିଆରା ଜାହିର କରିବାକୁ ହଷ୍ଟେଲ୍ ରୁମ୍ଗୁଡ଼ିକୁ ଜବରଦସ୍ତ ମାଡ଼ି ବସିଛନ୍ତି। ଏହାଦ୍ବାରା ଛାତ୍ରମାନେ ରୁମ୍ ପାଉନାହାନ୍ତି। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପୁଲିସ ପ୍ରଶାସନ ଏଦିଗରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେବାପରେ ସେମାନେ ଅନଶନରୁ ଓହରିଛନ୍ତି।
ଏବିଭିପିକୁ ଲିଖିତ ପ୍ରତିଶ୍ରୁତି ଦେଲେ କର୍ତ୍ତୃପକ୍ଷ
ଏକମାସର ମହଲତ ଦେଲା ବିସିଜେଡି
ଅନ୍ୟପକ୍ଷରେ ୧୦ ଦଫା ଦାବି ନେଇ ୩ଦିନ ଧରି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଚାଲିଥିବା ଅନଶନ ମଧ୍ୟ ସରିଛି। ଉଚ୍ଚଶିକ୍ଷା ବିଭାଗର ଅଧିକାରୀ ଓ କୁଳପତି ସେମାନଙ୍କ ନିକଟକୁ ଆସି ଦାବିଗୁଡ଼ିକୁ ଯଥାଶୀଘ୍ର ପୂରଣ କରିବାକୁ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନରତ ଛାତ୍ରମାନେ ଅନଶନରୁ ହଟିଥିଲେl ବିସିଜେଡ଼ି ପକ୍ଷରୁ କୁହାଯାଇଛି ଯେ ବିଶ୍ବବିଦ୍ୟାଳୟ ପରିସରରେ ଥିବା ବସ୍ତିବାସିନ୍ଦାଙ୍କ ଦ୍ବାରା ବିଭିନ୍ନ ସମୟରେ କ୍ୟାମ୍ପସ୍ରୁ ଲୁଟ୍, ନିଶା କାରବାର, ଛାତ୍ରୀଙ୍କୁ ଅସଦାଚରଣ ଭଳି ଆପରାଧିକ କାର୍ଯ୍ୟକଳାପ ଘଟୁଛି। କର୍ମଚାରୀ କ୍ବାର୍ଟର୍ସରେ ବାହାର ଲୋକଙ୍କୁ ଭଡ଼ା ଦିଆଯିବାରୁ ନିଶା କାରବାର ବଢ଼ୁଛି। ତେଣୁ ସେଠାରେ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଉ। ବିଶ୍ବବିଦ୍ୟାଳୟ ପରିସରକୁ ସମ୍ପୂର୍ଣ୍ଣ ପାଚେରି ନିର୍ମାଣ ସହ ବାହାର ଲୋକଙ୍କ ଅବାଧ ପ୍ରବେଶ ଉପରେ କଟକଣା ଲଗାଯାଉ। ଦାବି ପୂରଣ ପାଇଁ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେବା ପରେ ବିସିଜେଡ଼ି ଅନଶନରୁ ଓହରୁଛି। ଯଦି ଏକ ମାସ ମଧ୍ୟରେ ଦାବି ପୂରଣ ନ ହେବ, ଆଗକୁ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ବିସିଜେଡ଼ି ପକ୍ଷରୁ କୁହାଯାଇଛି।