ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ : ପୁଣି ଜାମିନ ପାଇଁ ହାଇକୋର୍ଟରେ ପୁଞ୍ଜିଲାଲ

କଟକ : ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ସୂତ୍ରଧର ଅଧ୍ୟାପକ ପୁଞ୍ଜିଲାଲ ମେହେର ଜାମିନ ଲୋଡ଼ି ପୁଣି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଗତ ସପ୍ତାହରେ ପୁଞ୍ଜିଲାଲଙ୍କ ମା’ ଇନ୍ଦୁମତୀ ମେହେରଙ୍କ ପରଲୋକ ହୋଇଥିବା ବେଳେ ସେ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଗତ ଶୁକ୍ରବା‌ର ପୁଞ୍ଜିଲାଲଙ୍କ ମା’ଙ୍କ ପରଲୋକ ହୋଇଥିଲା। ପୁଞ୍ଜିଲାଲ ଏକମାତ୍ର ପୁଅ ହୋଇଥିବାରୁ ମା’ଙ୍କ ମୁଖାଗ୍ନି ପାଇଁ ଜାମିନରେ ଯିବାକୁ ଆବେଦନ କରିଥିଲେ। ପାଟଣାଗଡ଼ ଏଡିଜେ ଅଦାଲତ ଆବେଦନକୁ ଗ୍ରହଣ କରି ଗୋଟିଏ ଦିନ ପାଇଁ ଜାମିନ୍‌ରେ ଯାଇ ପୁଲିସ ସୁରକ୍ଷାରେ ମଧ୍ୟରେ ମୁଖାଗ୍ନି ଦେବା ଲାଗି ପୁଞ୍ଜିଲାଲଙ୍କୁ ଅନୁମତି ଦେଇଥିଲେ। ଅନ୍ତିମ ସଂସ୍କାର ପରେ ପୁଞ୍ଜିଲାଲ ଏବେ ବଲାଙ୍ଗୀର ଜେଲରେ ଅଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୧୯ ମାର୍ଚ୍ଚ ୨୫ରେ ହାଇକୋର୍ଟ ପୁଞ୍ଜିଲାଲଙ୍କ ନିୟମିତ ଜାମିନ ଆବେଦନ ଖାରଜ କରିଥିଲେ। ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୮ ଫେବ୍ରୁଆରି ୨୩ରେ ନବବିବାହିତ ସୌମ୍ୟଶେଖର ଓ ପତ୍ନୀ ରୀମା ପାର୍ସଲ ଖୋଲୁଥିବା ବେଳେ ବିସ୍ଫୋରଣ ଘଟିଥିଲା। ଘଟଣାସ୍ଥଳରେ ସୌମ୍ୟଶେଖରଙ୍କ ଜେଜେମାଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ସୌମ୍ୟଶେଖର ଓ ରୀମାଙ୍କୁ ବଲାଙ୍ଗୀର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସୌମ୍ୟଶେଖରଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ରୀମାଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣାକୁ ନେଇ ପ୍ରଥମେ ପାଟଣାଗଡ଼ ଥାନା ପୁଲିସ ୨୩ ତାରିଖରେ ଦଫା ୩୦୨, ୩୦୭ ଏବ˚ ଏକ୍ସପ୍ଲୋସିଭ୍‌ ସବ୍‌ଷ୍ଟାନ୍ସ ଆକ୍ଟର ଧାରା ୩ ଓ ୪ରେ ମାମଲା ରୁଜୁ କରିଥିଲା। ମାମଲାକୁ ମାର୍ଚ୍ଚ ୨୩ ତାରିଖରେ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଆଇଟିକୁ ହସ୍ତାନ୍ତର କରାଯାଇଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଭଇଁଷା କଲେଜର ଇ˚ରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ୨୦୧୮ ଏପ୍ରିଲ ୨୫ରେ କ୍ରଇମବ୍ରାଞ୍ଚ ଗିରଫ କରିଥିଲା।

ସମ୍ବନ୍ଧିତ ଖବର