ଖଣ୍ଡଗିରି: ଛାତ୍ରଛାତ୍ରୀଙ୍କ ଶୋଷ ମେଣ୍ଟାଇବାକୁ ବିଦ୍ୟାଳୟ ପରିସରରେ ପାଣି ଟାଙ୍କି ବସିଛି। ଟ୍ୟାପ୍‌ ମଧ୍ୟ ଲାଗିଛି। ମାତ୍ର ସେଥିରେ ପାଣି ଆସୁନାହିଁ। ବିଦ୍ୟାଳୟ ପିଲାମାନେ ପାଣି ପାଇଁ ଆଉଟୁପାଉଟୁ ହେଉଛନ୍ତି। ମଧ୍ୟାହ୍ନଭୋଜନ ଖାଇ ସାରିବା ପରେ ହାତ ଧୋଇବାକୁ ଗୋଟିଏ ଟ୍ୟାପ୍‌ ନିକଟରେ ୭୦୦ରୁ ଅଧିକ ଛାତ୍ରଛାତ୍ରୀ ଏକାଠି ହେଉଛନ୍ତି। ଏହା କୌଣସି ଉପାନ୍ତ ଜିଲ୍ଲାର ଚିତ୍ର ନୁହେଁ, ବରଂ ଖୋଦ୍‌ ରାଜଧାନୀର ୬୫ ନମ୍ବର ୱାର୍ଡରେ ଥିବା ପାତ୍ରପଡ଼ା-ଭଗବାନପୁର ସରକାରୀ ଉଚ୍ଚବିଦ୍ୟାଳୟରେ ଏଭଳି ସ୍ଥିତି ଦେଖିବାକୁ ମିଳୁଛି। ତିନି ବର୍ଷ ତଳେ ‘୫-ଟି’ କାର୍ଯ୍ୟକ୍ରମ ଅଧୀନରେ ଏହି ଉଚ୍ଚବିଦ୍ୟାଳୟରେ ପାଣି ଟାଙ୍କି ପ୍ରତିଷ୍ଠା ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଏହାର ଉପଯୋଗ କରାଯାଉ ନ ଥିବାରୁ ଏବେ ଟ୍ୟାପ୍‌ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ଗଲାଣି। ପ୍ଲାଷ୍ଟର ବି ଖସୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ରାଜ୍ୟ ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Advertisment

ଏଠାରେ ଯେ କେବଳ ପାନୀୟ ଜଳ ସମସ୍ୟା ରହିଛି ତାହା ନୁହେଁ, ବିଦ୍ୟାଳୟର ଭିତ୍ତିଭୂମିକୁ ଦେଖିଲେ ଉଜୁଡ଼ା ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ସାମ୍ନାକୁ ଆସୁଛି। ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୫ଟି ଶ୍ରେଣୀର ୭୫୦ରୁ ଅଧିକ ପିଲା ଏଠାରେ ଶିକ୍ଷା ଗ୍ରହଣ କରୁଥିବା ବେଳେ ସେମାନଙ୍କ ଲାଗି ମାତ୍ର ୧୦ଟି ଶ୍ରେଣୀଗୃହ ରହିଛି। ଉକ୍ତ ବିଦ୍ୟାଳୟରେ ପୂର୍ବରୁ କେବଳ ୯ମ ‌ଓ ଦଶମ ଶ୍ରେଣୀ ପିଲା ପାଠ ପଢ଼ୁଥିବାରୁ ଶ୍ରେଣୀ ଗୃହର କୌଣସି ସମସ୍ୟ‌ା ନଥିଲା। ୨୦୧୮ରେ ବିଦ୍ୟାଳୟ ନିକଟରେ ଥିବା ୟୁପି ସ୍କୁଲକୁ ଏହା ସହ ମିଶାଯାଇ ଭିତ୍ତିଭୂମି ବୃଦ୍ଧି କରାଗଲା ନାହିଁ। ଯେଉଁଥିପାଇଁ ପିଲାମାନେ ଏବେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କୁକୁଡ଼ା ଭାଡ଼ିରେ ବସିଲା ପରି ଜଣଙ୍କ ଉପରେ ଆଉ ଜଣେ ପିଲା ଶ୍ରେଣୀଗୃହରେ ବସି ଶିକ୍ଷା ଗ୍ରହଣ କରୁଛନ୍ତି। ବିଦ୍ୟାଳୟକୁ ଆସୁଥିବା ବିଭିନ୍ନ ସାମଗ୍ରୀ ରଖିବାକୁ ଷ୍ଟୋର ରୁମ୍‌ ସୁବିଧା ଉପଲବ୍ଧ ହୋଇପାରି ନାହିଁ। କିଛି ବର୍ଷ ହେଲା ଏଭଳି ସମସ୍ୟା ଲାଗି ରହିଥିଲେ ମଧ୍ୟ ଗଣଶିକ୍ଷା ବିଭାଗ ଅଧିକାରୀଙ୍କ ଏଥିପ୍ରତି ଦୃଷ୍ଟି ପଡ଼ୁନଥିବା ଅଭିଯୋଗ ହୋଇଛି।

ଏବେ ଷଷ୍ଠ ଶ୍ରେଣୀରେ ୧୪୦ଜଣ ପିଲା ପଢ଼ୁଥିବା ବେଳେ ୭ମ ଶ୍ରେଣୀରେ ୧୪୦, ୮ମ ଶ୍ରେଣୀରେ ୧୬୦, ୯ମ ଶ୍ରେଣୀରେ ୧୭୨ ଓ ଦଶମ ଶ୍ରେଣୀରେ ୧୭୦ ପିଲା ଅଛନ୍ତି। ତେଣୁ ପ୍ରତି ଶ୍ରେଣୀରେ ୨ରୁ ଅଧିକ ସେକ୍ସନ କରି ପଢ଼ାଯିବା କଥା। ମାତ୍ର କମ୍‌ ଶ୍ରେଣୀଗୃହ ଥିବାରୁ ଗୋଟିଏ ଗୃହରେ ଶତାଧିକ ଛାତ୍ରଛାତ୍ରୀ ବସି ପଢ଼ୁଛନ୍ତି। ଶ୍ରେଣୀ ଗୃହଗୁଡ଼ିକ ମଧ୍ୟ ବହୁତ ଛୋଟ ହୋଇଥିବାରୁ ଗୋଟିଏ ବେଞ୍ଚରେ ୫ରୁ ଅଧିକ ପିଲା ବସି ପାଠ ପଢ଼ୁଛନ୍ତି। ଅନେକ ସମୟରେ ଛାତ୍ରଛାତ୍ରୀ ଶ୍ରେଣୀଗୃହ ବାହାରେ ବସି ଶିକ୍ଷାଗ୍ରହଣ କରୁଛନ୍ତି। ପରୀକ୍ଷା ସମୟରେ ମଧ୍ୟ ଏମାନଙ୍କୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ଲିପିକା ଦାସଙ୍କ କହିବାନୁଯାୟୀ ନୂତନ କୋଠା ନିର୍ମାଣ କରିବାକୁ ୯ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା। ଛାତ ପଡ଼ି ସାରିଛି। ତଥାପି ଜାଗା ଅଭାବ ରହିବ। ପାଣି ସମସ୍ୟା ସମାଧାନ କରିବାକୁ ବାରମ୍ବାର ବିଭାଗକୁ ଅବଗତ କରାଯାଇଛି।