ଖଣ୍ଡଗିରି: ରାଖୀପୂର୍ଣ୍ଣିମା ରାତିରେ ପାତ୍ରପଡ଼ା ନିକଟ ଜାତୀୟ ରାଜପଥରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୮ ବର୍ଷର ଝିଅ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ଆଜି ସକାଳେ ଭରତପୁର ଥାନା ଅଧୀନ ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିବା ମା’ ରେବତୀ ରାଉଳଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଭରତପୁର ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ପ୍ରଥମେ କୁନିଝିଅ ରେଶମା ଓ ଆଜି ରେବତୀଙ୍କ ମୃତ୍ୟୁ ପରେ ରେବତୀଙ୍କ ସ୍ବାମୀ କମିସନରେଟ୍ ପୁଲିସରେ କାର୍ଯ୍ୟରତ ହୋମଗାର୍ଡ ମାନସ ରାଉଳ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଛନ୍ତି। ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇଥିବା ଥାର୍ ଗାଡ଼ି (ଓଡି ୩୩ ଏଏସ୍ ୨୬୨୬)କୁ ଖଣ୍ଡଗିରି ଥାନା ପୁଲିସ ଜଟଣୀ କୁସୁମାଟି ଅଞ୍ଚଳରୁ ଜବତ କରିଥିଲା ବେଳେ ଗାଡ଼ି ମାଲିକ ଏବେ ମଧ୍ୟ ଫେରାର ଥିବା ପୁଲିସ ସୂଚନା ଦେଇଛି।
ସୂଚନାଯୋଗ୍ୟ ଯେ ଗତ ୯ ତାରିଖ ରାତିରେ ଫୁଲେଶ୍ବରୀ ବସ୍ତିରେ ରହୁଥିବା ରେବତୀ ନିଜ ପିଲାଙ୍କ ସହ ପଟିଆସ୍ଥିତ ନିଜ ଭାଇଙ୍କ ଘରକୁ ରାଖୀ ବାନ୍ଧିବାକୁ ଯାଇଥିଲେ। ସନ୍ଧ୍ୟାରେ ସେଠାରୁ ଫେରି ପାତ୍ରପଡ଼ା ଭି-୨ ସମ୍ମୁଖରେ ଏନ୍ଏଚ୍ ପାରିହେଉଥିଲେ। ଏହି ସମୟରେ ଏକ ଥାର୍ ଓ ସ୍କର୍ପିଓ ଗାଡ଼ି ରେସ୍ ଲଗାଇ ଦ୍ରୁତ ଗତିରେ ଆସୁଥିଲେ। ଥାର୍ ଗାଡ଼ିଟି ରେବତୀ ଓ ତାଙ୍କ ଝିଅ ରେଶମାଙ୍କୁ ଧକ୍କା ଦେଇଥିଲା। ରେଶମାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ରେବତୀଙ୍କ ଦୁଇବର୍ଷର ପୁଅ ଅଳ୍ପକେ ବର୍ତ୍ତି ଯାଇଥିଲା। ଏନେଇ ଗତକାଲି ଫୁଲେଶ୍ବରୀ ବସ୍ତିବାସିନ୍ଦା ଟାୟାର୍ ଜାଳି ଜାତୀୟ ରାଜପଥ ଅବରୋଧ କରିଥିଲେ। ଆଜି ରେବତୀଙ୍କ ମୃତ୍ୟୁ ପରେ ବିକ୍ଷୋଭ ଉଗ୍ରରୂପ ଧାରଣ କରିଥିଲା। ଭୁଲ୍ ସ୍ଥାନରେ ଫୁଟ୍ ଓଭର୍ବ୍ରିଜ୍ ନିର୍ମାଣ, ପୀଡ଼ିତ ପରିବାରକୁ କ୍ଷତିପୂରଣ ଦାବିରେ ଲୋକେ ଅଡ଼ି ବସିଥିଲେ। ପୁଲିସ ବୁଝାସୁଝା କରିବା ପରେ ଧାରଣା ହଟିଥିଲା। ଅନ୍ୟପକ୍ଷରେ ସ୍ତ୍ରୀ ଓ ଝିଅଙ୍କୁ ହରାଇ ମାନସ ମ୍ରିୟମାଣ ହୋଇପଡ଼ିଛନ୍ତି। ଦୁଇବର୍ଷର ଶିଶୁପୁତ୍ର ଦୁର୍ଘଟଣା ପରଠାରୁ ମାନସିକ ଆଘାତ ପାଇଥିଲା ବେଳେ କାନ୍ଦିକାନ୍ଦି ମା’କୁ ଖୋଜୁଛି।
ଦୁର୍ଘଟଣା ଘଟାଇଥିବା ଏହି ଧଳା ରଙ୍ଗର ଥାର୍ ଗାଡ଼ିକୁ ଜଟଣୀ କୁସୁମାଟି ଅଞ୍ଚଳରୁ ପୁଲିସ ଜବତ କରିଛି। ଗାଡ଼ିର ମାଲିକ ସୋମନାଥ ବେହେରା ଓ ତାଙ୍କ ଘର ଜଟଣୀ ମଙ୍ଗଳା ମନ୍ଦିର ନିକଟରେ। ତେବେ ବର୍ତ୍ତମାନ ସୁଦ୍ଧା ସୋମନାଥଙ୍କର କୌଣସି ଖୋଜଖବର ନଥିବା ବେଳେ ଦୁର୍ଘଟଣା ସମୟରେ ଗାଡ଼ି କିଏ ଚଳାଉଥିଲା ସେ ନେଇ ପୁଲିସ ତଦନ୍ତ କରୁଛି। ସୋମନାଥଙ୍କୁ ଧରିବା ପରେ ଏହି ହିଟ୍ ଆଣ୍ଡ୍ ରନ୍ ମାମଲାର ସତ୍ୟାସତ୍ୟ ଜଣାପଡ଼ିବ। ଅନ୍ୟପକ୍ଷରେ ଥାର୍ ଗାଡ଼ି ସହିତ ରେସିଂ କରୁଥିବା ସ୍କର୍ପିଓ ଗାଡ଼ି ସମ୍ପର୍କରେ ତଦନ୍ତ ଜାରି ରହିଛି ବୋଲି ପୁଲିସ କହିଛି।
ପାତ୍ରପଡ଼ା ହିଟ୍ ଆଣ୍ଡ ରନ୍ ମାମଲା: ଝିଅ ପରେ ଆଖିବୁଜିଲେ ମା’
ରାଖୀପୂର୍ଣ୍ଣିମା ରାତିରେ ପାତ୍ରପଡ଼ା ନିକଟ ଜାତୀୟ ରାଜପଥରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୮ ବର୍ଷର ଝିଅ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ଆଜି ସକାଳେ ଭରତପୁର ଥାନା ଅଧୀନ ଏକ ଘରୋଇ.........
/sambad/media/media_files/2025/08/12/untitled-7-2025-08-12-06-48-23.jpg)