ଖଣ୍ଡଗିରି: ବହୁ ଚର୍ଚ୍ଚିତ ୧୬ନମ୍ବର ଜାତୀୟ ରାଜପଥ ପାତ୍ରପଡ଼ା ହିଟ୍‌ ଆଣ୍ଡ ରନ୍‌ ମାମଲାର ମୁଖ୍ୟ ଅଭିଯୁକ୍ତ ଥାର୍‌ ଗାଡ଼ିର ମାଲିକ ଜଟଣୀ ଛଣଘର ଗ୍ରାମର ସୋମନାଥ ବେହେରା(୨୨) ଦେଢ଼ମାସ ପରେ ପୁରୀରୁ ଗିରଫ ହୋଇଛି। ସୋମନାଥକୁ ଆଶ୍ରୟ ଦେବା ଅଭିଯୋଗରେ ତା’ର ସାଙ୍ଗ କଟକଜିଲ୍ଲା ଖୁଣ୍ଟୁଣି ରାଧାକିଶୋରପୁର ଗ୍ରାମର ସନ୍ଦୀପ କୁମାର ନସ୍କରକୁ ମଧ୍ୟ ଗିରଫ କରାଯାଇଛି। ଦୁଇଦୁଇ ଥର ଆଗୁଆ ଜାମିନ ଆବେଦନ ଖାରଜ ହେବା ପରେ ସୋମନ‌ାଥ ପୁରୀରେ ଲୁଚି ରହିଥିଲା। ସୋମନାଥକୁ ମିଶାଇ ଏହି ମାମଲାରେ ସଂପୃକ୍ତ ୪ଜଣଙ୍କୁ ପୁଲିସ ଗିରଫ କରିଛି। ଏବେ ବି ଜଣେ ଫରାର ରହିଛି। ଆଜି ସୋମନାଥ ଗିରଫଦାରି ଖବର ଜଣାପଡ଼ିବା ପରେ ମୃତ ରେବତୀ ରାଉଳଙ୍କ ସମ୍ପର୍କୀୟମାନେ ଖଣ୍ଡଗିରି ଥାନାରେ ପହଞ୍ଚି କଡ଼ାକାର୍ଯ୍ୟାନୁଷ୍ଠାନ ଦାବି କରି ହୋ-ହଲ୍ଲା କରିଥିଲେ। ଏହି ମାମଲାରେ ପୁଲିସ ଯଥାଶୀଘ୍ର ଚାର୍ଜସିଟ୍‌ ଦାଖଲ କରିବାକୁ ଅଭିଯୋଗକାରୀ ରେବତୀଙ୍କ ସ୍ବାମୀ ମାନସ ରାଉଳ ଦାବି କରିଛନ୍ତି।

Advertisment

ଘଟଣା ପରଠୁ ସୋମନାଥ ମୋବାଇଲ ବ୍ୟବହାର କରୁ ନଥିଲା। ଘର ଲୋକଙ୍କ ସହିତ କଥା ହେବା ପାଇଁ ବନ୍ଧୁ ସନ୍ଦୀପର ମୋବାଇଲ ବ୍ୟବହାର କରୁଥିଲା। ଘଟଣା ପରେ ସେ ପ୍ରଥମେ ବିଶାଖାପାଟଣା ଚାଲିଯାଇଥିଲା। ଏହାପରେ ସେ ଦିଲ୍ଲୀ ଚାଲିଯାଇଥିଲା। ସେଠାରୁ କଟକ ଫେରି ଆସି ମାମୁ ଘରେ କିଛିଦିନ ପାଇଁ ରହିଥିଲା। ପୁଲିସ ତା’କୁ କଟକରେ ଖୋଜୁଥିବା ଜାଣିପାରି ସେ ୧୦ଦିନ ହେଲା ପୁରୀରେ ଆତ୍ମଗୋପନ କରିଥିଲା। ସନ୍ଦୀପ, ସୋମନାଥର ରହଣି ପାଇଁ ବନ୍ଦୋବସ୍ତ କରିଦେଇଥିଲା। ପୂର୍ବରୁ ପୁଲିସ ୪ଜଣଙ୍କୁ ଗିରଫ କରିଥିଲେ ହେଁ ମୁଖ୍ୟ ଅଭିଯୁକ୍ତ ସୋମନାଥକୁ ଠାବ କରିପାରିନଥିଲା। ଘଟଣା ଦିନ ସୋମନାଥର ଥାର୍‌ ଗାଡ଼ି ହିଁ ମା-ଝିଅ(ରେବତୀ ଓ ଜାଗୃତି)ଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଗିରଫଦାରିକୁ ଏଡ଼ାଇବାକୁ ସୋମାନାଥ ଦେଢ଼ ମାସ ହେଲା ଲୁଚକାଳି ଖେଳିଚାଲିଥିଲା। କୋର୍ଟରୁ ଜାମିନ ପାଇଁ ଦୁଇ ଦୁଇ ଥର ଚେଷ୍ଟା କରିଥିଲା। 

ସୂଚନାଯୋଗ୍ୟ ଯେ ଗତମାସ ୯ତାରିଖ (ରାଖୀପୂର୍ଣ୍ଣିମା) ସନ୍ଧ୍ୟାରେ ଏକ ଥାର୍‌(ଓଡି୩୩ଏଏସ୍‌୨୬୨୬) ଓ ସ୍କର୍ପିଓ(ଓଡି୦୨ବିଡବ୍ଲ୍ୟୁ୦୫୦୫) ରେସିଂ ପ୍ରତିଯୋଗିତା କରି ପଟିଆରୁ ଜଟଣୀ ଅଭିମୁଖେ ଯାଉଥିଲେ। ପାତ୍ରପଡ଼ା ଛକ ନିକଟରେ ଜାତୀୟ ରାଜପଥ ପାର୍‌ ହେଉଥିବା ରେବତୀ ରାଉଳ ଓ ତାଙ୍କ ୮ବର୍ଷର ଝିଅ ଜାଗୃତିଙ୍କୁ ଥାର୍‌ ଗାଡ଼ି ଧକ୍କା ଦେବାରୁ ଉଭୟଙ୍କର ମୃତ୍ୟୁ ହୋଇଥିଲା। ରେବତୀଙ୍କ କାଖରେ ଥିବା ଦେଢ଼ବର୍ଷର ପୁଅ ଜଗଦୀପ ଅଳ୍ପକେ ବର୍ତ୍ତିଯାଇଥିଲେ। ଏହି ମାମଲାରେ ପୁଲିସ ପ୍ରଥମେ ଅଙ୍କିତ ସ ଓ କୃଷ୍ଣଚନ୍ଦ୍ର ପ୍ରଧାନଙ୍କୁ ଗିରଫ କରିଥିଲା। ଏହାପରେ ଦିଲ୍ଲୀରୁ ସୋହମରାଜ ତ୍ରିପାଠୀ ଓରଫ ଲିପୁନ ଓ ରୋହନ ରଞ୍ଜନ ରାଉତକୁ ଗିରଫ କରିଥିଲା।