ଖଣ୍ଡଗିରି: ସ୍ଥାନୀୟ ଅଞ୍ଚଳର ବହୁ ପ୍ରମୁଖ ରାସ୍ତା ଅବସ୍ଥା ଏବେ ବିପର୍ଯ୍ୟସ୍ତ ଅବସ୍ଥାରେ। ରାଜ୍ୟ ରାଜଧାନୀର ଏହି ରାସ୍ତାଗୁଡ଼ିକ ଅପହଞ୍ଚ ଗ୍ରାମାଞ୍ଚଳର ରାସ୍ତାମାନଙ୍କଠାରୁ କୌଣସି ଦୃଷ୍ଟିରୁ ଭଲ ନୁହେଁ। ଦୀର୍ଘ ଦିନ ଧରି ମରାମତି ହେଉନଥିବାରୁ ରାସ୍ତାଗୁଡ଼ିକରେ ଥିବା ଛୋଟଛୋଟ ଖାଲଖମା କାଳକ୍ରମେ ବଡ଼ବଡ଼ ପୋଖରୀ ସଦୃଶ ହୋଇଗଲାଣି। ବିଶେଷକରି ଗତ ବର୍ଷା ଦିନରେ ଏହି ସବୁ ରାସ୍ତାର ଅବସ୍ଥା ଆହୁରି ଶୋଚନୀୟ ହୋଇପଡ଼ିଛି। ପାତ୍ରପଡ଼ା, ଜାଗମରା, ଆଇଗିଣିଆ ସମେତ ବିଭିନ୍ନ ସ୍ଥାନରେ ରାସ୍ତା ଅବସ୍ଥା ଏମିତି ବିପର୍ଯ୍ୟସ୍ତ ହୋଇ ରହିଛି। ମରାମତି ପାଇଁ ସ୍ଥାନୀୟ ଲୋକେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଆବେଦନ କରୁଛନ୍ତି। କିନ୍ତୁ କେବଳ ପ୍ରତିଶ୍ରୁତି ହିଁ ମିଳୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ତେଣୁ ରାସ୍ତା ମରାମତିକୁ ଚାହିଁଚାହିଁ ଲୋକଙ୍କ ଆଖି ଜଳକା ହୋଇଗଲାଣି ବୋଲି ସେମାନେ କ୍ଷୋଭର ସହ କହୁଛନ୍ତି।
ସବୁଠୁ ଅଧିକ ସମସ୍ୟାରେ ପଡ଼ିଛନ୍ତି, ପାତ୍ରପଡ଼ା-ଭଗବାନପୁର ଅଞ୍ଚଳର ଲୋକେ। ପୂର୍ବରୁ ଏହି ଅଞ୍ଚଳ ପଞ୍ଚାୟତରେ ଥିଲା ଓ ଗତ କିଛି ବର୍ଷ ହେଲା ବିଏମ୍ସିରେ ସାମିଲ୍ ହୋଇଛି। ବିଏମ୍ସିରେ ସାମିଲ୍ ହେବା ପରେ ଲୋକେ ସହରୀ ସୁବିଧା ପାଇବେ ବୋଲି ମନେ କରିଥିଲେ। ଭଲ ରାସ୍ତା, ଷ୍ଟ୍ରିଟ୍ ଲାଇଟ୍ ପାଇବେ ବୋଲି ଭାବିଥିଲେ। ମାତ୍ର ଏ ପର୍ଯ୍ୟନ୍ତ ସେଭଳି କିଛି ଆଖିଦୃଶିଆ ଉନ୍ନତି ହୋଇନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଉଗ୍ରତାରା ବଜାର ଛକରୁ ଭଗବାନପୁର ଓ ପାତ୍ରପଡ଼ାକୁ ଲମ୍ବିଥିବା ରାସ୍ତା ଅବସ୍ଥା ମରଣଯନ୍ତା ପାଲଟିଛି। ଏହି ଛକରୁ ଭୁବନେଶ୍ବର ଏମ୍ସ ଆଡ଼କୁ ଲମ୍ବିଥିବା ରାସ୍ତା ଓ ଶିଳ୍ପାଞ୍ଚଳ ଦେଇ ତମାଣ୍ଡୋ ଆଡ଼କୁ ପଡ଼ିଥିବା ରାସ୍ତା ଆଉ ଯାତାୟାତ ଉପଯୋଗୀ ହୋଇ ରହିନାହିଁ। ତମାଣ୍ଡୋ ଆଡ଼କୁ ଥିବା ରାସ୍ତା ଇଡ୍କୋ ଅଧୀନରେ ଥିବା ବେଳେ କର୍ତ୍ତୃପକ୍ଷ ମରାମତି ନାଁ ଧରୁନାହାନ୍ତି। ସ୍ଥାନୀୟ ଅଧିବାସୀଙ୍କ ଅଭିଯୋଗ ଅନୁସାରେ, ଦୀର୍ଘ ୮ ବର୍ଷ ହେଲା ଏ ସବୁ ରାସ୍ତା ମରାମତି ହୋଇନାହିଁ। ତେଣୁ ଏହି ସବୁ ରାସ୍ତାରେ ଜରୁରୀ ସମୟରେ ରୋଗୀ କିମ୍ବା ପ୍ରସୂତିଙ୍କୁ ନେଇ ଆମ୍ବୁଲାନ୍ସଟିଏ ସହଜରେ ଯାଇପାରୁନାହିଁ। ସେହିଭଳି କୌଣସି ରାସ୍ତାରେ ଡ୍ରେନ୍ ବ୍ୟବସ୍ଥା ନଥିବାରୁ ମଧ୍ୟ ବଡ଼ ସମସ୍ୟା ଦେଖାଯାଉଛି। ତେବେ ଗାଁ ରାସ୍ତା ନବୀକରଣ ପାଇଁ ବିଏମ୍ସି ପକ୍ଷରୁ ପ୍ରାୟ ୫୦ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି ଓ ଖୁବ୍ଶୀଘ୍ର ଟେଣ୍ଡର୍ କରାଯିବ ବୋଲି ସୂଚନା ମିଳିଛି।
ସେହିଭଳି ଜାଗମରାରୁ ଗଣ୍ଡମୁଣ୍ଡା ଓ ଏୟାର୍ପୋର୍ଟ ରାସ୍ତା ଅବସ୍ଥା ମଧ୍ୟ ଖରାପ ହୋଇପଡ଼ିଛି। ଜାଗମରା, ଡୁମୁଡୁମା, ପୋଖରୀପୁଟ, ମଲ୍ଲିକ କଂପ୍ଲେକ୍ସ, ଧର୍ମବିହାର ଆଦି ଅଞ୍ଚଳର ଅଧିବାସୀମାନେ ଏହି ରାସ୍ତା ଉପରେ ନିର୍ଭର କରନ୍ତି। ଏଠାରେ ଗୁରୁତ୍ବପୂର୍ଣ୍ଣ ଶିକ୍ଷାନୁଷ୍ଠାନ, କାର୍ଯ୍ୟାଳୟ ଓ ବସଷ୍ଟାଣ୍ଡ ରହିଛି। ତେଣୁ ଏହି ରାସ୍ତା ଉପରେ ନିର୍ଭରଶୀଳତା ଅଧିକ। ସେପ୍ଟେମ୍ବରର ଲଗାଣ ବର୍ଷା ପରେ ଏହି ସବୁ ରାସ୍ତାର ପିଚୁ ଉଠିଯାଇଛି। ତେଣୁ ସୃଷ୍ଟି ହୋଇଥିବା ଖାଲଖମା ଯୋଗୁଁ ଦୁର୍ଘଟଣା ଘଟୁଛି। ଏହାର ମରାମତି ପାଇଁ କିଛି ଦିନ ପୂର୍ବରୁ ମଲ୍ଲିକ କଂପ୍ଲେକ୍ସ ଅଧିବାସୀ ପୂର୍ତ୍ତ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ବଡ଼ ସମସ୍ୟା ହେଉଛି, ଏମ୍ସ ଅଣ୍ଡରପାସ୍ ରାସ୍ତା ଅବସ୍ଥା। ଏଠାରେ ବର୍ଷତମାମ ପାଣି ଜମା ହୋଇରହୁଛି। ଯାତାୟାତ ପାଇଁ ଏହା ପୂରା ଅଯୋଗ୍ୟ ହୋଇପଡ଼ିଛି। ଏବେ ଏହି ରାସ୍ତାରେ ପୁଲିସ ବ୍ୟାରିକେଡ୍ କରାଯାଇଛି। ଫଳରେ ଲୋକଙ୍କୁ ସେମାନଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ବୁଲିବୁଲି ଅଧିକ ରାସ୍ତା ଅତିକ୍ରମ କରିବାକୁ ପଡ଼ୁଛି। ପେଟ୍ରୋଲ ଦର ଯେଉଁଭଳି ବଢ଼ିଛି, ସେଥିରେ ବୁଲିବୁଲି ଯିବା ଯୋଗୁଁ ଯାତ୍ରୀଙ୍କ ଅବସ୍ଥା ଖରାପ ହୋଇଯାଉଛି। ଏଣେ ୧୬ନମ୍ବର ଜାତୀୟ ରାଜପଥର ସର୍ଭିସ୍ ରୋଡ୍ ଅବସ୍ଥା ଭୟଙ୍କର ହୋଇପଡ଼ିଛି। ନିର୍ମାଣାଧୀନ ଦୁଇ ଦୁଇଟି ଅଣ୍ଡରପାସ୍ କେବେ ସରିବ ଓ ଲୋକେ ଆଶ୍ବସ୍ତ ହେବେ ବୋଲି ଚାତକ ଭଳି ଅପେକ୍ଷା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/654d65g465agdgdadadadadadadadadadadada.jpg)