ଓଡ଼ିଶାର ଅଧିକାଂଶ ପୁରୁଣା ଗାଁରେ କେଉଁ ଆବହମାନକାଳରୁ ଜଣେ ଜଣେ ଗ୍ରାମଦେବତୀ ବିଜେ କରିଛନ୍ତି। ତାଙ୍କୁ ଗ୍ରାମବାସୀ ନିଜ ପରିବାରର ଲୋକ ଭାବେ ଗ୍ରହଣ କରନ୍ତି, ଅଭିଭାବକ ମାନନ୍ତି। ଲୋକେ ବିଶ୍ବାସ କରନ୍ତି, ଗ୍ରାମଦେବତୀ ଗ୍ରାମବାସୀଙ୍କୁ ରୋଗବୈରାଗ୍ୟଠୁ ଆରମ୍ଭକରି ସବୁ ବିପତ୍ତିଠାରୁ ରକ୍ଷା କରନ୍ତି। ଏବେ ଏକ ଆଧୁନିକ ସହରରେ ପରିଣତ ହୋଇଥିବା ଭୁବନେଶ୍ବର ଏକଦା କିଛି ଗାଁର ସମାହାର ଥିଲା। ଆଜି ବି ମହାନଗରର ବିଭିନ୍ନ ସ୍ଥାନରେ ଗ୍ରାମଦେବତୀମାନଙ୍କ ଆସ୍ଥାନ ରହିଛି। ସେ ଅଞ୍ଚଳର ଲୋକେ ଆଜି ବି ଭଲମନ୍ଦରେ ତାଙ୍କୁ ସୁମରଣା କରି ମୁଣ୍ଡିଆ ମାରନ୍ତି। ରାଜଧାନୀର ଗ୍ରାମଦେବତୀମାନଙ୍କୁ ନେଇ ‘ସମ୍ବାଦ’ର ସ୍ବତନ୍ତ୍ର ଉପସ୍ଥାପନା

Advertisment

ହରପ୍ରିୟା ପୃଷ୍ଟି
ଫଟୋ: ନରସିଂହ ପରିଡ଼ା
ଖଣ୍ଡଗିରି: ପାତ୍ରପଡ଼ା ଗାଁରେ କାହିଁ କେଉଁ କାଳରୁ ଗ୍ରାମଦେବତୀ ରୂପେ ମା’ ନମ୍ରକାନୀ ଦେବୀ ପୂଜା ପାଉଛନ୍ତି। ଦେବୀ କେଉଁଠୁ ଆସି‌ଲେ, ତାଙ୍କୁ କିଏ ଆଣିଥିଲା କେହି ଜାଣନ୍ତି ନାହିଁ। ପୁରୁଣା ଲୋକେ ଏତିକି କହନ୍ତି, ପୂର୍ବେ ମା’ ପୋଖରୀ କୂଳରେ ବିରାଟ ମହାନିମ୍ବ ଗଛମୂଳେ ପୂଜା ପାଉଥିଲେ। ମା’ଙ୍କର କୁନି ପଥର ମୂର୍ତ୍ତିଙ୍କୁ ୨ଟି ପଥର ଭିତର ଛାଉଣୀ କରି ରଖାଯାଇଥିଲା। ସାହାଡ଼ା, ବର, ଓସ୍ତ, ଚାକୁଣ୍ଡା, ଜଙ୍ଗଲି ଫୁଲଗଛ, କଣ୍ଟେଇକୋଳି, ଖିରିକୋଳି ଗଛ ଠାକୁରାଣୀଙ୍କ ଆସ୍ଥାନର ଚାରିପଟେ ଥିଲା। କ୍ରମେ ପାତ୍ରପଡ଼ା ଗ୍ରାମ ଆଡ଼କୁ ସହର ବଢ଼ିଲା। ଲୋକଙ୍କ ଚାଳଘର କୋଠାରେ ପରିଣତ ହେଲା। ତା’ପରେ ଗ୍ରାମର ରକ୍ଷାକାରିଣୀଙ୍କୁ ଆଉ ଗଛମୂଳେ ନରଖିବାକୁ ଗ୍ରାମବାସୀ ନିଷ୍ପତ୍ତି ନେଲେ। ମା’ଙ୍କ ମନ୍ଦିର ଦେବୋତ୍ତର ବିଭାଗ ଅଧୀନରେ ଥିବାରୁ ଗ୍ରାମବାସୀଙ୍କ ଓ ଏହାର କମିଟିର କର୍ମକର୍ତ୍ତାଙ୍କ ପକ୍ଷରୁ ୧୦ ବର୍ଷ ତଳେ ଦେବୀଙ୍କ ମୂର୍ତ୍ତି ଭାଙ୍ଗି ଯାଇଥିବାରୁ ନୂତନ ମୂର୍ତ୍ତି ତିଆରି କରାଯାଇ ସେଥିରେ ପ୍ରାଣ ପ୍ରତିଷ୍ଠା କରାଗଲା। ଏବେ ଗାଁର ମୂଳ ବାସିନ୍ଦାଙ୍କ ସହ ପାଖରେ ଗଢ଼ିଉଠିଥିବା କେ-୯ ଏ, ବି ବିଭିନ୍ନ ଆପାର୍ଟମେଣ୍ଟ ଓ କଲୋନି ଲୋକେ ମଧ୍ୟ ମା’ଙ୍କୁ ଗ୍ରାମଦେବତୀ ରୂପେ ପୂଜା କରୁଛନ୍ତି। ବିବାହ, ବ୍ରତଘର ହେଲେ ପ୍ରଥମ ନିମନ୍ତ୍ରଣ ମା’ଙ୍କୁ ଦିଆଯାଉଛି। ବିବାହ ବେଳେ ଦିଅଁ ମଙ୍ଗୁଳା ପାଇଁ ମା’ଙ୍କ ପୀଠକୁ ଗ୍ରାମବାସୀ ଯାଆନ୍ତି। ଯେକୌଣସି ମାଙ୍ଗଳିକ କାର୍ଯ୍ୟ ହେଲେ, ଆଗେ ମା’ଙ୍କ ପାଖରେ ପୂଜା କରାଯା‌ଏ। ଗ୍ରାମରେ କାହାର କିଛି ଜିନିଷ ହଜିଲେ କିମ୍ବା ଯେ କୌଣସି ବିପଦ ପଡ଼ିଲେ ମା’ଙ୍କ ପାଖରେ ଅଧିଆ ପଡ଼ି ଲୋକେ ମାନସିକ କରନ୍ତି। ଗାଆଁର ପୁରୁଣା ଲୋକ କହନ୍ତି, ଟପିଆ ବାବାମାନେ ବିଭୂତି ନେଇ କାଇମାଟିଆ, ପାତ୍ରପଡ଼ା ଆସୁଥିଲେ। ଗାଁର ଗାଦିଘରେ ରହୁଥିଲେ। ଧାନ ଗ୍ରହଣ କରି ପେଟ ପୋଷନ୍ତି। ଦିନେ ଜଣେ ବାବା ତାଙ୍କ ବ୍ୟବହୃତ ବସ୍ତ୍ର ଆସ୍ଥାନ ପାଖରେ ରଖି ଗାଧୋଇବାକୁ ଯାଇଥିବା‌ରୁ ତ‌ାଙ୍କୁ ମା’ ରୋଷ କରିଥିଲେ। ତେବେ ପରେ ତାଙ୍କ ଅନୁରୋଧ ରକ୍ଷାକରି ମା’ ବାବାଙ୍କ ସହିତ ବେନୁପଡ଼ା ଗାଦିକୁ ଯାଇଥିଲେ। ବର୍ତ୍ତମାନ ମା’ ସେଠାରେ ମଧ୍ୟ ଦକ୍ଷିଣକାଳୀ ରୂପରେ ପୂଜା ପାଉଛନ୍ତି।

ଆଗରୁ ଦଶହରାରେ ଏଠାରେ ବଳି ପଢ଼ୁଥିଲା। ଏବେ ବଳି ବନ୍ଦ ହୋଇ ଯାଇଛି, ମାନସିକ ପୂରଣ ହେଲେ ଛେଦ ବଦଳରେ ମନ୍ଦିରକୁ ଲୋକେ ଟଙ୍କା ଦାନ କରୁଛନ୍ତି। ସବୁ ପୂର୍ଣ୍ଣିମା ଓ ଅମାବାସ୍ୟାରେ ଏଠାରେ ବିଶେଷ ପୂଜା ହୋଇଥାଏ। ଠାକୁରାଣୀଙ୍କ ଝାମୁଯାତ୍ରା, ଯଜ୍ଞ ଓ ଦଶହରା ପୂଜା ମଧ୍ୟ ଜାକଜମକରେ ହୁଏ। ବିଶ୍ବାସ ଅଛି ଯେ ମା’ଙ୍କ ପୂଜାବେ‌ଳେ ବରଗଛରୁ କାଳିସୀଙ୍କ ପାଇଁ ଦୟଣା ଖସେ, କାଳିସୀ ପାଖ ପୋଖରୀର ପାଣି ଉପରେ ଚାଲିଚାଲି ଯାଇ ପାରନ୍ତି! ଠାକୁରାଣୀଙ୍କ ନାମ‌ରେ ୭ ଏକର ଜମି ଥିବାରୁ ପୂର୍ବେ ସେଥିରୁ ମା’ଙ୍କ ପୂଜା ପାଇଁ ଧାନ ଆସି ପ୍ରସା‌ଦ ତିଆରି ହେଉଥିଲା। ହେଲେ ଏବେ କେହି ଚାଷ କରୁ ନଥିବାରୁ ଦେ ବୋତ୍ତର ବିଭାଗ ପକ୍ଷରୁ ୩୦ ହଜାର ଟଙ୍କା ମିଳୁଛି। ଏବେ କିଛି ବର୍ଷ ହେଲା ଶିବ ମନ୍ଦିର ପୂଜକ ଜଟାଧାରୀ ମହାପାତ୍ର ମା’ଙ୍କର ପୂଜା କରୁଛନ୍ତି। ଲୋକଙ୍କ ବିଶ୍ବାସ, ଠାକୁରାଣୀଙ୍କ ମନ୍ଦିର ହେବା ପରେ ଆଉ ଗାଁରେ କିଛି କାମ ଅଟକିନି। ସବୁ ଶାନ୍ତିରେ ହେଉଛି, କେଉଁଥିରେ ବି ବାଧା ଆସିନି।