ଭୁବନେଶ୍ବର: ‘ସୁଷମା ସଙ୍ଗୀତ ସଦନ’ ପକ୍ଷରୁ ଦେଶାତ୍ମବୋଧ ସଂଗୀତ ସନ୍ଧ୍ୟା ‘ମେରା ଭାରତ ମହାନ୍’ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ‘ଏ ୱକ୍ତ କି ଆୱାଜ୍ ହେ ମିଲ କେ ଚାଲୋ’ ବୃନ୍ଦଗାନରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଅନୁଷ୍ଠାନ ସମ୍ପାଦକ ତଥା ସଂଗୀତ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ପାଲିତଙ୍କ ସଞ୍ଚାଳନରେ ‘ଦୁର୍ଗମ ଗିରି ଦୁର୍ଗ ପ୍ରାଚିରେ’, ‘ତେରି ମିଟି ମେ’, ‘ମା ତୁଝେ ସଲାମ୍’, ‘ଏ ମେରେ ୱତନ୍ କି ଲୋଗୋ’, ‘ବନ୍ଦେ ମାତରମ୍’, ମେରା ରଙ୍ଗ୍ ଦେ ବସନ୍ତୀ’, ଚକ୍ ଦେ ଇଣ୍ଡିଆ’ ଭଳି ଦେଶାତ୍ମବୋଧ ଲୋକପ୍ରିୟ ଗୀତର ତାଳେ ତାଳେ ଝୁମିଥିଲେ ଦର୍ଶକ। ଏହି ମନୋରମ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ‘ଏମ୍ଜିଏମ୍’ ଗ୍ରୁପ୍ର ଅଧ୍ୟକ୍ଷ ପଙ୍କଜ ଲୋଚନ ମହାନ୍ତି, ବିଶିଷ୍ଟ ଅତିଥି ଭାବେ ଗୋପବନ୍ଧୁ ପ୍ରଶାସନ ଏକାଡେମିର ଯୁଗ୍ମ ଆୟୁକ୍ତ ମମତା ରାଣୀ ନାୟକ, ଭିଜିଲାନ୍ସ ଚିଫ୍ ଇଞ୍ଜିନିୟର୍ ଶିଶିର ପଟ୍ଟନାୟକ, ସୋଆ ବିଶ୍ବବିଦ୍ୟାଳୟର ଡିନ୍ ଜ୍ୟୋତି ରଂଜନ ଦାସ, ରୋଟାରି ୟୁନିକ୍ର ସମ୍ପାଦିକା ସୀମା ଅଗ୍ରୱାଲ୍, ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନର ମହାସଚିବ କରୁଣାକର ପ୍ରଧାନ, ଭାରତୀୟ ବିଦ୍ୟା ଭବନର ମୁଖ୍ୟ ଶୈଳେନ୍ଦ୍ର ତାମୋଟିଆ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଅନୁଷ୍ଠାନର ଉପ ସଭାପତି ଅଶ୍ବିନୀ କୁମାର ମହାନ୍ତି ଓ ଶ୍ରୀ ପାଲିତ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ଗାୟକ ଲକ୍ଷ୍ମୀକାନ୍ତ ପାଲିତ୍, ବନ୍ଦୀଶ ପାଲିତ୍, ପ୍ରଣବଜ୍ୟୋତି ନାଥ, ରଣଦୀପ ପାଲିତ୍, ରଶ୍ମିତା, ଦେବାଶିଷ ମହାପାତ୍ର, ନାଜିଆ ଆଲମ୍, ସିଦ୍ଧାନ୍ତ ଶତପଥୀ, ବର୍ଷା ମହାପାତ୍ର, ଅର୍ଣ୍ଣବ ପଣ୍ଡା, ବିଦ୍ୟୁତ୍ ପ୍ରଭା ପାଲିତ୍ ପ୍ରମୁଖ କଣ୍ଠଦାନ କରିଥିଲେ। ବାଦ୍ୟଯନ୍ତ୍ରରେ ପ୍ରେମ୍ ଶଙ୍କର, ଅଜୟ, ବବୁଲ୍, କୁନୁ, ଟିକୁ, ପ୍ରଶାନ୍ତ ଓ କିରଣ ସହଯୋଗ କରିଥିଲେ। ଶ୍ରୀନିବାସ ଘଟୁଆରୀ ସଂଯୋଜନା କରିଥିଲେ।