ଭୁବନେଶ୍ୱର: ସ୍ୱାଧୀନତା ଆନ୍ଦୋଳନ ସମୟରେ ମହାନ୍‌ ଦେଶଭକ୍ତମାନଙ୍କ ଦେଶାତ୍ମବୋଧ କବିତା ଓ ସଙ୍ଗୀତ ପ୍ରତ୍ୟେକ ଭାରତୀୟଙ୍କ ମନରେ ଜାତୀୟତାବାଦର ଚେତନା ଜାଗ୍ରତ କରାଇଥିଲା ବୋଲି ଦେଶାତ୍ମବୋଧକ ସଙ୍ଗୀତ ଉତ୍ସବ ‘ଭାରତୀୟମ୍‌’ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସ୍ୱାଧୀନତା ଦିବସ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ତଥା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଆୟୋଜିତ ଏହି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ସ୍ୱାଧୀନତା ଆନ୍ଦୋଳନ ସମୟରେ ସଂଗ୍ରାମୀ କବିମାନଙ୍କର କାଳଜୟୀ ରଚନା, ପରାଧୀନ ଭାରତରେ ଦେଶବାସୀଙ୍କୁ ଜାତୀୟତା ଭାବରେ ଉଦ୍‍ବୁଦ୍ଧ କରିଥିଲା ବୋଲି କହିଥିଲେ। ସେ ନୂତନ ପିଢ଼ିର କଳାକାର ଓ ସଙ୍ଗୀତଜ୍ଞମାନଙ୍କୁ ଅନୁରୋଧ କରି କହିଥିଲେ ଯେ, ଆଜି ସଙ୍ଗୀତ ଓ କଳା କ୍ଷେତ୍ରରେ ଅସୀମିତ ସୁଯୋଗ ଅଛି। ତେଣୁ ସଙ୍ଗୀତକାରମାନେ ଧର୍ମୀୟ ଭାବନା, କୌଣସି ଜାତି ତଥା ସମ୍ପ୍ରଦାୟକୁ ଆଘାତ ଦେଲା ପରି ସୃଜନରୁ ନିବୃତ ରୁହନ୍ତୁ ବୋଲି ପରାମର୍ଶ ଦେଇଥିଲେ।

Advertisment

ଶେଷରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରି କହିଥିଲେ ଯେ ଭାରତୀୟମ୍‌  ଆମ ସଂସ୍କୃତି, ପରମ୍ପରା, ସଙ୍ଗୀତ ପାଇଁ ଗର୍ବ କରିବା ଶିଖାଉଛି ବୋଲି କହିଥିଲେ। ଏଥିସହିତ ସେ  ବିଭାଗ ପକ୍ଷରୁ ଆୟୋଜିତ ଘରେ ଘରେ ତ୍ରିରଙ୍ଗା ଅଭିଯାନର ଫଟୋ ଓ ଚିତ୍ରକଳା ପ୍ରଦର୍ଶନୀକୁ ଉଦ୍‌ଘାଟନ କରିବା ସହିତ ବୁଲି ଦେଖିଥିଲେ। କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଅତିଥି ଭାବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବିଧାୟକ ବାବୁ ସିଂହ, ମୁଖ୍ୟମନ୍ତ୍ରୀଙ୍କ ସହଧର୍ମିଣୀ ଡ. ପ୍ରିୟଙ୍କା ମାର୍ଣ୍ଡି, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ  ବିଜୟ କେତନ ଉପାଧ୍ୟାୟ, ସଙ୍ଗୀତ ନାଟକ ଏକାଡେମୀର ସଚିବ  ଚନ୍ଦ୍ରଶେଖର ହୋତା ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ କୈଳାସ ସାହୁ, ନାଜିଆ ଆଲମ୍‍, ସୁବାଷ ରାମ, ପଙ୍କଜ ଜାଲ୍‍, ସୁଶ୍ରୀ ନେହା ନିହାରିକା, ସର୍ବେଶ୍ୱର ଭୋଇ, ବିଷ୍ଣୁମୋହନ କବି, ଅର୍ଚ୍ଚନା ପାଢ଼ୀ ଓ ରୁକୁ ସୁନା ପ୍ରମୁଖ  ଦେଶାତ୍ମବୋଧ ସଙ୍ଗୀତ ଗାନ କରିଥିଲେ।