ଚନ୍ଦ୍ରଶେଖରପୁର: ମାସ ପରେ ମାସ ଗଡ଼ୁଛି। ହେଲେ ରାସ୍ତା ଯନ୍ତ୍ରଣାରୁ ମିଳୁନି ଆଶ୍ବସ୍ତି। କେଉଁଠି ଖଣ୍ଡ ଖଣ୍ଡ ହୋଇ ପିଚୁ ଉଠିଯାଇଛି। ତ ଆଉ କେଉଁଠି ରାସ୍ତା ଧୋଇଗଲାଣି। ସ୍ଥାନେ ସ୍ଥାନେ ଅସରାଏ ବର୍ଷାରେ ପାଣି ଜମି ରହିବା ଦ୍ବାରା ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଢେଉ ଖେଳୁଛି। ଯନ୍ତ୍ରଣାଦାୟକ ଯାତ୍ରାର ଅନ୍ୟନାମ ହେଉଛି ଜୟଦେବ ବିହରରୁ ନନ୍ଦନକାନନ ପର୍ଯ୍ୟନ୍ତ ଯାଇଥିବା ରାସ୍ତା। ଦୁଇ ମାସ ହେଲା ଜନଗହଳିପୂର୍ଣ୍ଣ ଏହି ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଥିଲେ ମଧ୍ୟ ପ୍ରଶାସନ ଏକପ୍ରକାର ଚୁପ୍। ରାସ୍ତା ମରାମତି ଦିଗରେ କୌଣସି ପ୍ରକାର ପଦକ୍ଷେପ ନିଆଯାଉ ନାହିଁ। ଚଳିତ ମାସ ପ୍ରଥମ ସପ୍ତାହରେ ଏନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପରେ ପ୍ରଶାସନ କିଛିଟା ତତ୍ପର ହେବା ସହ ଜୟଦେବବିହାର ନିକଟରେ ହୋଇଥିବା ବଡ଼ ଖାଲରେ ପ୍ୟାଚ୍ ପକାଯାଇଥିଲା। ଏହାର କିଛି ଦିନ ପରେ ଜନତା ମଇଦାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ଥିବାରୁ ତରବରିଆ ଭାବେ ଜୟଦେବ ବିହାରରୁ ଓମ୍ଫେଡ୍ ଛକ ପର୍ଯ୍ୟନ୍ତ ରାସ୍ତାରେ ପ୍ୟାଚ୍ ପକାଇ ଦିଆଯାଇଥିଲା। ଲାଗୁଥିଲା ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଭଲ କାମ କରାଯାଇଥିବ। ଦଶହରା ପର୍ଯ୍ୟନ୍ତ ଏହା ଚାଲିଯିବ। ମାତ୍ର ଦୁଇ ସପ୍ତାହ ବିତିନି ଏବେ ରାସ୍ତା ଅବସ୍ଥା ନ କହିବା ଭଲ। କେଉଁଠି ପିଚୁ ଉଠି ଗୋଡ଼ି ଗଡ଼ିଲାଣି ତ ଆଉ କେଉଁଠି ବିଶାଳ ଖାଲ। ବର୍ଷା ନହେଲେ ଏମିତି ସ୍ଥିତି ଉପୁଜିଛି ଯେ ଧୂଳିଧୂଆଁରେ ନାକ ରୁନ୍ଧି ହୋଇପଡ଼ୁଛି।
ପାର୍ବଣକୁ ନେଇ ବଢ଼ିଲାଣି ସହରବାସୀଙ୍କ ଚିନ୍ତା
ଯନ୍ତ୍ରଣାଦାୟକ ଜୟଦେବବିହର-ନନ୍ଦନକାନନ ରାସ୍ତା
ଦଶହରା ପୂର୍ବରୁ ଜାରି ରହିଥିବା ଝିପିଝିପି ବର୍ଷା ସହରର ଖଣ୍ଡିଆଖାବରା ରାସ୍ତାକୁ ଅଧିକ ଦୟନୀୟ କରି ପକାଇଛି। ପୂର୍ତ୍ତ ବିଭାଗର ବେପରୱା କାରବାର ଓ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟର ଅଭାବ ଯୋଗୁ ଲକ୍ଷାଧିକ ଲୋକ ଦହଗଞ୍ଜ ହେଉଛନ୍ତି। କେବଳ ଯେ ଖଣ୍ଡିଆ ରାସ୍ତା ଯନ୍ତ୍ରଣା ଦେଉଛି ତାହା ନୁହେଁ; ପରନ୍ତୁ ଏହି ରାସ୍ତାରେ ସୃଷ୍ଟି ହେଉଥିବା ଟ୍ରାଫିକ୍ ସମସ୍ୟା ବର୍ତ୍ତମାନ ଘୋର ଚିନ୍ତାର ବିଷୟ ହୋଇଛି। ପ୍ରତିଦିନ ସକାଳ ୯ଟାରୁ ୧୧ଟା ଓ ସନ୍ଧ୍ୟା ୫ଟାରୁ ୮ଟା ପର୍ଯ୍ୟନ୍ତ ୧୨ କିମିର ଏହି ରାସ୍ତା ପାର୍ ହେବାକୁ ଏକ ଘଣ୍ଟାରୁ ଅଧିକ ସମୟ ଲାଗିଯାଉଛି। ଟ୍ରାଫିକ୍ କଟକଣା ସାଙ୍ଗକୁ ରାସ୍ତା ଅବସ୍ଥା ଯୋଗୁଁ ଲୋକେ ତ୍ରାହି ତ୍ରାହି ଡାକିଲେଣି। ଜୟଦେବବିହାର ଛକ ସମେତ ଜାଭିୟର ଛକ, ନାଳ୍କୋ ଛକ, ଡମଣା ଛକ, ପଟିଆ ଓ ମାଗନାଇଟ୍ ଛକରେ ସାଂଘାତିକ ଅବସ୍ଥା ସୃଷ୍ଟି ହେଉଛି। ସନ୍ଧ୍ୟା ସମୟରେ ଗାଡ଼ିଗୁଡ଼ିକ ପାଖାପାଖି ଗୋଟିଏ କିଲୋମିଟର ପର୍ଯ୍ୟନ୍ତ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ରହୁଛନ୍ତି। କେହି କେହି ରଙ୍ଗ୍ରୁଟ୍ରେ ଯିବା ସମୟରେ ଦୁର୍ଘଟଣାର ଶିକାର ହେଉଥିବା ଦେଖିବାକୁ ମିଳୁଛି। ୧୨ କିମିର ଏହି ରାସ୍ତାରେ ୧୨୦୦ରୁ ଅଧିକ ଖାଲ ସୃଷ୍ଟି ହୋଇଥିବାରୁ ଦୁର୍ଘଟଣା ବଢ଼ିଚାଲିଛି। ଶନିବାର ସନ୍ଧ୍ୟା ସମୟରେ ଏହି ରାସ୍ତାରେ ହୋଇଥିବା ଖାଲରେ ପଡ଼ି ୪ ଜଣ ବାଇକ୍ ଚାଳକ ଆହତ ହୋଇଛନ୍ତି। କେବଳ ଏହି ରାସ୍ତା ନୁହେଁ। ସହରର ଏହି ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତା ଅବସ୍ଥା ମଧ୍ୟ ତଦ୍ରୁପ। ପଟିଆ-ଇନ୍ଫୋସିଟି ରାସ୍ତା, ପ୍ରଶାନ୍ତିବିହାର, କିଟ୍ ରାସ୍ତା, ପଟିଆ ଓ ଡମଣା ଗାଁ ରାସ୍ତା, ଡମଣା-ଶୈଳଶ୍ରୀବିହାର ରାସ୍ତା, କିସ୍-ପଥରଗାଡ଼ିଆ ୨୦୦ ଫୁଟିଆ ରାସ୍ତାରେ ମଧ୍ୟ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି।
ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ କହିଛନ୍ତି ଯେ ରାସ୍ତା ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇଛି। ଅକ୍ଟୋବର ୫ ସୁଦ୍ଧା ରାସ୍ତା ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ମିଳିଛି। ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ପୂରଣ କରି ରାସ୍ତା ସମସ୍ୟାର ସମାଧାନ କରିବେ ବୋଲି ଆଶା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/wytsBl1uTk7WXpvUdclt.jpg)