ଭୁବନେଶ୍ବର: ୱାଟ୍କୋ, କମିସନରେଟ୍ ଟ୍ରାଫିକ୍ ପୁଲିସ ଓ ବିଡିଏ ମଧ୍ୟରେ ଚାଲିଥିବା ଛକାପଞ୍ଝାରେ ଫସି ରହିଥିବା ମଞ୍ଚେଶ୍ୱର ଆର୍ଓବି ନିର୍ମାଣ କାମ ଆଗେଇବା ନେଇ ବାଟ ଫିଟିଛି। ଏହା ସମ୍ପୂର୍ଣ୍ଣ ହେବା ପାଇଁ ଯେଉଁ ବଡ଼ ପାଇପ୍ ମାଟିତଳୁ ସ୍ଥାନାନ୍ତର ହେବା ଆବଶ୍ୟକତା ରହିଥିଲା ତାହା କରିବା ପାଇଁ ୱାଟ୍କୋ ଟେଣ୍ଡର ଡାକିଛି। ଏଥିରେ ପ୍ରାୟ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏହାକୁ ସେଠାରୁ ହଟାଇ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ମାସେ ସମୟ ଲାଗିବ। ମାସେ ଭିତରେ ଏହାକୁ ସାରିବା ପାଇଁ ୱାଟ୍କୋ ଟେଣ୍ଡରରେ ସର୍ତ୍ତ ରଖିଛି। ଆସନ୍ତାକାଲି ଅର୍ଥାତ୍ ସୋମବାର ଏହାକୁ ଖୋଲାଯିବାକୁ ତାରିଖ ଧାର୍ଯ୍ୟ ହୋଇଥିଲା। କିନ୍ତୁ ସରକାର ରଥଯାତ୍ରା ପାଇଁ ଛୁଟି ଘୋଷଣା କରିବାରୁ ଶେଷ ତାରିଖକୁ ଗୋଟିଏ ଦିନ ଘୁଞ୍ଚାଇ ଦିଆଯାଇଛି। ମାସେ ଭିତରେ ଏହି କାମ ସରିଲେ ଆରଓବି ନିର୍ମାଣ କାମ ଦ୍ରୁତ ଗତିରେ ହେବ ବୋଲି କୁହାଯାଉଛି।
କିନ୍ତୁ ପାଇପ୍ ଲାଇନ୍ ହଟାଇବା ପାଇଁ ଦୁଇଟି ପ୍ରମୁଖ ସମସ୍ୟା ରହିଛି। ଏହି ପାଇପ୍ ଲାଇନ୍ ଭିଏସ୍ଏସ୍ ନଗରର ଦୁର୍ଗାମଣ୍ଡପରୁ ବାଦାମବାଡ଼ି ରାସ୍ତାରେ ରହିଛି। ଏହି ରାସ୍ତାରେ କେତେକ ଜବରଦଖଲ ହଟିଲେ ଯାଇ ଏହି ସ୍ଥାନାନ୍ତର କାମ ସମ୍ଭବ ହେବ। ଏ ନେଇ ଆରଓବି ନିର୍ମାଣ କରୁଥିବା ପୂର୍ତ୍ତ ବିଭାଗ ବିଡିଏକୁ ୭ ମାସ ତଳୁ ଚିଠି ଲେଖିଥିଲେ ମଧ୍ୟ ବିଡିଏ ଜବରଦଖଲ ହଟାଉ ନାହିଁ। ଫଳରେ ଏହି ପାଇପ୍ ଉଠାଇବା କାମ ବାଧାପ୍ରାପ୍ତ ହେବା ଥୟ ହୋଇଛି। କେବଳ ସେତିକି ନୁହେଁ, ଏହି ପାଇପ୍ ଉଠାଇବା ପାଇଁ ରାସ୍ତା କଡ଼ରେ ଖୋଳା ହେବା ସହ କ୍ରେନ୍, ଜେସିବି ଭଳି ବଡ଼ ବଡ଼ ଗାଡ଼ି ଚଳପ୍ରଚଳ କରିବ। ଏଣୁ ସୈନିକ ସ୍କୁଲ ପଟୁ ଭିଏସ୍ଏସ୍ନଗର ଆଡ଼କୁ ଆସୁଥିବା ରାସ୍ତା ବନ୍ଦ ରଖିବା ଆବଶ୍ୟକତା ରହିଛି। ଏଥିପାଇଁ ଗତବର୍ଷ ଡିସେମ୍ବର ମାସରୁ ଟ୍ରାଫିକ୍ କଟକଣା ବା ଟ୍ରାଫିକ୍ ଦିଗ ପରିବର୍ତ୍ତନ ପାଇଁ ପୂର୍ତ୍ତ ବିଭାଗ କମିସନରେଟ୍ ପୁଲିସକୁ ଚିଠି ଲେଖିଛି। କିନ୍ତୁ ଏ ଯାବତ୍ କୌଣସି ଠୋସ୍ ଯୋଜନା ହୋଇ ପାରିନାହିଁ। ଏହି ରାସ୍ତା ବାଣୀବିହାର ଆରଓବି ନିକଟରେ ଜାତୀୟ ରାଜପଥକୁ ଛୁଇଁଥିବା ବେଳେ ଟିଟିଏସ୍ ଓ ଗାଡ଼କଣ ଦେଇ ଜୟଦେବବିହାର-ନନ୍ଦନକାନନ ରାସ୍ତାକୁ ଛୁଇଁଛି। ଭିଏସ୍ଏସ୍ ନଗର ଓ ସୈନିକ ସ୍କୁଲ୍ ଉଭୟ ପଟୁ ରାସ୍ତାକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଲେ ଭିଏସ୍ଏସ୍ ନଗରବାସୀ ସୈନିକ ସ୍କୁଲ୍ ପଛ ଗେଟ୍ ଦେଇ ଓମ୍ଫେଡ୍ ଛକ ଯାଇପାରିବେ ନାହିଁ। ଏଥିପାଇଁ ଏମାନଙ୍କୁ ରାଜପଥରେ ୧୫ କିମି ବୁଲିବାକୁ ପଡ଼ିବ। ମାସେ କିମ୍ବା ତଦୂର୍ଦ୍ଧ ସମୟ ଏଭଳି ବନ୍ଦ ରଖିବା ଯୋଗୁ ଅଚଳାବସ୍ଥା ସୃଷ୍ଟି ହେବ। ଏଣୁ ଏହାକୁ ବନ୍ଦ ନ କରି କିଭଳି କେବଳ ରାତିରେ କାମ ହୋଇ ପାରିବ ସେ ନେଇ ବିଚାର ବିମର୍ଶ କରାଯାଉଥିବା ଜଣାପଡ଼ିଛି।
ଅନ୍ୟପଟେ ଆଗକୁ ପ୍ରବଳ ବର୍ଷା ଥିବାରୁ ଏହି ପାଇପ୍ ଉଠା କାର୍ଯ୍ୟ ବାଧାପ୍ରାପ୍ତ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏବେ ଯେଉଁ କାମ ଚାଲିଛି ସେଠାରେ ଅଳ୍ପ ବର୍ଷାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଉଛି। ପିଚୁ ରାସ୍ତା ଉପରେ କାଦୁଅ ପଚପଚ ହେଉଛି। ଅନେକ ସମୟରେ ଗାଡ଼ି ଫସି ରହୁଥିବା ବେଳେ ଦୁର୍ଘଟଣା ଘଟୁଛି। ଏଭଳି ସ୍ଥିତି ନେଇ ସ୍ଥାନୀୟ ଲୋକେ ଆନ୍ଦୋଳନ କରିଥିଲେ। ୱାଟ୍କୋ, ବିଡିଏ ଓ କମିସନରରେଟ୍ ଟ୍ରାଫିକ୍ ପୁଲିସ ସମନ୍ବୟ ରକ୍ଷା କରି ତୁରନ୍ତ କାମ ଆଗକୁ ବଢ଼ାଇବା ପାଇଁ ପ୍ରତିଶ୍ରୁତି ମିଳିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। କିନ୍ତୁ ଏବେ ଯେଉଁ ସ୍ଥିତି ରହିଛି ତାହାକୁ ତର୍ଜମା କଲେ ଡେଡ୍ଲାଇନ୍ ସୁଦ୍ଧା ଏହି ଆରଓବି ନିର୍ମାଣ ସମ୍ଭବ ହେବା ନେଇ ଆଶଙ୍କା ରହିଛି।