ଭୁବନେଶ୍ବର : ଗତ ୭ ବର୍ଷ ଭିତରେ ଖୁବ୍ କମ୍ ସଂଖ୍ୟକ ଚିଟ୍ଫଣ୍ଡ୍ କ୍ଷତିଗ୍ରସ୍ତ ନିଜ ଟଙ୍କା ଫେରି ପାଇଛନ୍ତି। ରାଜ୍ୟ ସରକାର ୩ଶହ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ କରିଥିଲେ ହେଁ ୧୦ କୋଟି ଟଙ୍କା ବି ଦିଆଯାଇ ପାରିନାହିଁ। ଜମାକାରୀଙ୍କ ପ୍ରତି ରାଜ୍ୟ ସରକାରଙ୍କ କେତେ ଦାୟିତ୍ବବୋଧ ଓ ଦରଦ, ତାହା ଏଥିରୁ ପ୍ରମାଣିତ ହେଉଛି। ସରକାର ଜମାକାରୀଙ୍କୁ ଟଙ୍କା ଦିଅନ୍ତୁ ନଚେତ୍ ଇସ୍ତଫା ଦିଅନ୍ତୁ ବୋଲି ରାଜ୍ୟ କଂଗ୍ରେସ ଦାବି କରିଛି।
ଶୁକ୍ରବାର କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପିସିସି ମିଡିଆର ବିଭାଗ ଅଧ୍ୟକ୍ଷ ଗଣେଶ୍ବର ବେହେରା କହିଲେ, ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ସମବାୟ ସଂଶୋଧନ ଆଇନ-୨୦୦୧ ଓ ବିଜେଡି ସରକାରଙ୍କ ଦ୍ବାରା ସ୍ବୟଂସହାୟକ ସମବାୟ ଆଇନ-୨୦୦୨ ଯୋଗୁଁ ବହୁ ସଂଖ୍ୟାରେ ଅସାଧୁ କମ୍ପାନି ଜନ୍ମ ନେଇଥିଲେ। ଏସବୁ ଠକ କମ୍ପାନିମାନଙ୍କୁ ସରକାରୀ ପ୍ରୋତ୍ସାହନ ମିଳିବା ଯୋଗୁଁ ଲୋକଙ୍କ ଭିତରେ ବିଶ୍ବସନୀୟତା ଓ ବ୍ୟବସାୟ ବଢ଼ିଥିଲା। ଫଳରେ କମ୍ପାନିମାନେ ଆନୁଷ୍ଠାନିକ ପ୍ରୋତ୍ସାହନ ପାଇବା ସହ ଲୋକଙ୍କୁ ଠକି ଚାଲିଥିଲେ। ପରବର୍ତ୍ତୀ ସମୟରେ ଏସବୁ ଠକ କମ୍ପାନିମାନଙ୍କ ସଂପତ୍ତି ଜବତ କରାଯାଇଥିଲା। ମାତ୍ର ଜମାକାରୀ ଲାଭ ପାଇଲେ ନାହିଁ। ଓଡ଼ିଶା ଜମାକାରୀ ସ୍ବାର୍ଥ ସୁରକ୍ଷା ଆଇନ-୨୦୧୧ ବଳରେ ସ୍ବତନ୍ତ୍ର ବିଚାରାଳୟ ଫେବ୍ରୁଆରି ୨୬ରେ ସି-ସୋର କମ୍ପାନିର ସଂପତ୍ତି ନିଲାମ କରି ୬୩୫କୋଟି ଟଙ୍କା କ୍ଷତିଗ୍ରସ୍ତ ଜମାକାରୀଙ୍କ ମଧ୍ୟରେ ବାଣ୍ଟିବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଆଜି ପର୍ଯ୍ୟନ୍ତ ଜମାକାରୀଙ୍କୁ ଅର୍ଥ ପ୍ରଦାନ କରାଯାଇନାହିଁ।
ସେହିପରି ରାଜ୍ୟ ସରକାର ଜମାକାରୀଙ୍କୁ ୩ଶହ କୋଟି ଟଙ୍କାର କର୍ପସ ପାଣ୍ଠିର ଘୋଷଣା କରିଥିଲେ। ତେବେ ଏହି ପାଣ୍ଠିରୁ ବର୍ତମାନ ସୁଦ୍ଧା କେତେ ଟଙ୍କା ଓ କେତେଜଣ ଜମାକାରୀ ପାଇଛନ୍ତି, ସେ ସଂପର୍କରେ ତଥ୍ୟ ସଂଗ୍ରହ ଜାରି ରହିଥିବା ବିଧାନସଭାରେ ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି। ଏହା ଜମାକାରୀଙ୍କ ପ୍ରତି ଚରମ ଉଦାସୀନତାକୁ ପ୍ରମାଣିତ କରୁଛି। ତେଣୁ ଚିଟ୍ଫଣ୍ଡ ଠକେଇ ମାମଲାରେ ଠକ କମ୍ପାନିଙ୍କଠାରୁ ସରକାର ବଡ଼ ଅପରାଧୀ ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ମୁଖପାତ୍ର ଜ୍ଞାନଦେବ ବେଉରା, ଅମିୟ ପାଣ୍ଡବ ଓ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/Congress-press-Meet-2-1.jpg)