ଶ୍ରୀଲିଙ୍ଗରାଜଙ୍କ ସିଂହଦ୍ୱାର ଓ ବିନ୍ଦୁସାଗର କୂଳରେ ପୟା ଶ୍ରାଦ୍ଧ ବନ୍ଦ

ପୁରୁଣା ଭୁବନେଶ୍ୱର : ଆସନ୍ତା ଶନିବାର ପବିତ୍ର ଦୀପାବଳି ଅବସରରେ ପାଳିତ ହେବ ପାରମ୍ପରିକ ପୟା ଶ୍ରାଦ୍ଧ। କିନ୍ତୁ ଏଥର ଶ୍ରୀଲିଙ୍ଗରାଜ ମନ୍ଦିରର ସିଂହଦ୍ବାର ଓ ପବିତ୍ର ବିନ୍ଦୁସାଗର କୂଳରେ ପୟା ଶ୍ରାଦ୍ଧ ପିଣ୍ଡଦାନକୁ ବନ୍ଦ କରାଯାଇଛି। କରୋନା ସଂକ୍ରମଣ ଦୃଷ୍ଟିରୁ ଭିଡ଼କୁ ହ୍ରାସ କରିବା ପାଇଁ ମନ୍ଦିର ପ୍ରଶାସନ ଓ କମିସନରେଟ୍‌ ପୁଲିସ ପକ୍ଷରୁ ଏଭଳି କଟକଣା ଜାରି କରାଯାଇଛି।

ପ୍ରତିବର୍ଷ ପୟା ଶ୍ରାଦ୍ଧ ପାଇଁ ଏକାମ୍ର କ୍ଷେତ୍ର ଚଳଚଞ୍ଚଳ ହୋଇଥାଏ। ହଜାର ହଜାର ସଂଖ୍ୟାରେ ଲୋକେ ଶ୍ରୀଲିଙ୍ଗରାଜ ମନ୍ଦିରର ବାଇଶି ପାହାଚରେ ଓ ବିନ୍ଦୁସାଗର କୂଳରେ ପିଣ୍ଡଦାନ ଶ୍ରାଦ୍ଧ ଦେବା ସହ କାଉଁରିଆ ଜାଳି ବଡ଼ବଡ଼ୁଆ ଡାକିଥାନ୍ତି। ଏକାମ୍ର କ୍ଷେତ୍ରରେ ଶ୍ରୀଲିଙ୍ଗରାଜ ମନ୍ଦିର, ବିନ୍ଦୁସାଗର କୂଳ ବ୍ୟତୀତ ସାମନ୍ତରାପୁର ସୂକ୍ଷ୍ମେଶ୍ୱର ମନ୍ଦିର ନିକଟ ଗୟା କୁଣ୍ଡ ନିକଟରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ। ବିଶ୍ବାସ ରହିଛି ଏଠାରେ ପିଣ୍ଡଦାନ କରିବା ସହ କାଉଁରିଆ ଜାଳି ବଡ଼ବଡ଼ୁଆ ଡାକିଲେ, ଧରାପୃଷ୍ଠକୁ ଆସିଥିବା ପିତୃପୁରୁଷ ପରମ ଶାନ୍ତିରେ ପୁଣି ସ୍ବର୍ଗକୁ ଯାଇଥା‌ଆନ୍ତି। କିନ୍ତୁ ମହାମାରୀ କରୋନା ଚଳିତ ବର୍ଷ ସବୁ ପରମ୍ପରାକୁ ବନ୍ଦ କରି ଦେଇଛି। ତେଣୁ କରୋନା କଟକଣା ଯୋଗୁଁ ଏଥର ମନ୍ଦିରକୁ ସର୍ବସାଧାରଣ ପ୍ରବେଶ ବାରଣ କରାଯାଇଛି ବୋଲି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ ଓ ଶ୍ରୀଲିଙ୍ଗରାଜ ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର କହିଛନ୍ତି। ସେମାନଙ୍କ ସୂଚନାନୁସାରେ ବିନ୍ଦୁସାଗର କୂଳ ଓ ମନ୍ଦିର ନିକଟରେ ଭିଡ଼ ହୋଇପାରିବନାହିଁ। ମନ୍ଦିର ନିକଟରେ କେହି କାଉଁରିଆ ଜଳାଇ ପାରିବେନାହିଁ। କାଉଁରିଆ ଜାଳିବା ଦ୍ବାରା ପ୍ରଦୂଷଣ ବଢ଼ିବା ଆଶଙ୍କା ଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

ସମ୍ବନ୍ଧିତ ଖବର