ଭୁବନେଶ୍ୱର: ବିଭିନ୍ନ ସମୟରେ ଦୁର୍ନୀତିକୁ ନେଇ ଚର୍ଚ୍ଚାରେ ରହିଥିବା କ୍ୟାପିଟାଲ ହସ୍‌ପିଟାଲ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଗ୍ରିନ କାର୍ଡ ପ୍ରସ୍ତୁତ କରିବାକୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି ପରିସଂଖ୍ୟାନ ସହକାରୀ ଜ୍ଞାନରଞ୍ଜନ ଗୌଡ଼। ସେ ଧରା ପଡ଼ିବା ପରେ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ଛାନିଆ ହୋଇ ପଡ଼ିଛନ୍ତି। ଦୁଇଦିନ ହେବ ଦଲାଲମାନେ ମଧ୍ୟ ହସ୍‌ପିଟାଲଠାରୁ ଦୂରରେ ରହିଛନ୍ତି। ଏହି ଦଲାଲମାନେ ରୋଗୀଙ୍କ ପରିଜନଙ୍କୁ ସହାୟତା ଯୋଗାଇ ଦେବା ପାଇଁ କଥାବାର୍ତ୍ତା କରିବା ସହ ସମ୍ପୃକ୍ତ କର୍ମଚାରୀଙ୍କ ସହ ଯୋଗାଯୋଗ କରି ଟଙ୍କା ଦାବି କରୁଥିଲେ। ଏହା ଛଡ଼ା କେତେକ କର୍ମଚାରୀ ସିଧା ସଳଖ ଟଙ୍କା ନେଉଥିଲେ। ଯିଏ ଟଙ୍କା ଦେବାକୁ ରାଜି ହେଉ ନଥିଲା ତାଙ୍କୁ ଜାଣି ଜାଣି ହଇରାଣ କରାଯାଉଥିଲା। ଏଭଳି ଏକ ପ୍ରକ୍ରିୟା ଦୀର୍ଘ ଦିନ ଧରି ଏଠାରେ ଚାଲିଥିଲା। ଜ୍ଞାନରଞ୍ଜନ ଧରାପଡ଼ିବା ପରେ ଏହି କାରବାର ଦୁଇଦିନ ହେବ ଥମିଛି। ଅନ୍ୟପଟେ ସେ ଗିରଫ ହେବା ପରେ ତାଙ୍କ ନାମରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ସିଡିଏମ୍‌ଓ ସମ୍ମିଳନୀରେ କର୍ତ୍ତୃପକ୍ଷ ବ୍ୟସ୍ତ ଥିବାରୁ ସମ୍ପୃକ୍ତ କର୍ମଚାରୀଙ୍କ ଜାଗାରେ ଆଉ କାହାକୁ ଦାୟିତ୍ବ ଦିଆଯାଇ ନାହିଁ। ଫଳରେ ଦୁଇଦିନ ହେଲା ଅନେକ ଆବେଦନକାରୀ ଫେରି ଯାଉଥିବା ଦେଖାଯାଇଛି।

Advertisment

ସୂଚନା ମୁତାବକ, ଜଗତସିଂହପୁର ଏରସମା ଥାନା ଗୋବିନ୍ଦପୁର ଗ୍ରାମର ଜଟାଧାରୀ ଜେନାଙ୍କର ଦୁଇଟି ସନ୍ତାନ ଏଠାରେ ଜନ୍ମ ଗ୍ରହଣ କରିଥିଲେ। ନିୟମ ମୁତାବକ ସେ ଗ୍ରିନ୍‌ କାର୍ଡ ପାଇଁ କ୍ୟାପିଟାଲ ହସ୍‌ପିଟାଲ କର୍ତ୍ତୃପକ୍ଷଙ୍କୁ ଆବେଦନ କରିଥିଲେ। ଦାୟିତ୍ବରେ ଥିବା ପରିସଂଖ୍ୟାନ ସହକାରୀ ଜ୍ଞାନରଞ୍ଜନ ତାଙ୍କୁ ୨୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ସେ ଭୁବନେଶ୍ବର ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଗତ ମଙ୍ଗଳବାର ସେ ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ପ୍ରସ୍ତୁତ ଭିଜିଲାନ୍ସ ଅଧିକାରୀ ତାଙ୍କୁ ମାଡ଼ି ବସିଥିଲେ। ଆଜି ସଂଧ୍ୟାରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଝାରପଡ଼ା ଜେଲ ପଠାଇ ଦିଆଯାଇଥିବା ଜଣାପଡ଼ିଛି।