ଉତ୍କଳ ବିଶ୍ବବିଦ୍ୟାଳୟରେ ପିସି କାରବାର ଅଭିଯୋଗ, କେବେ ବାଜିବ ୫-ଟି ଛାଟ?

କୁଳପତିଙ୍କୁ ଘେରିଲେ ଛାତ୍ରଛାତ୍ରୀ, ରୁସା ସଂଯୋଜକଙ୍କୁ ହଟାଇବାକୁ ଦାବି

ଭୁବନେଶ୍ବର: ବିବାଦରୁ ମୁକୁଳି ପାରୁନି ଉତ୍କଳ ବିଶ୍ବବିଦ୍ୟାଳୟ। ପ୍ଲାଟିନମ୍‌ ଜୁବୁଲି ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗଦେବା ପରେ ବିଶ୍ବବିଦ୍ୟାଳୟର ଗୌରବ ପୁଣିଥରେ ଫେରିବ ବୋଲି ଆଶା ସଞ୍ଚାର ହୋଇଥିଲା। କିନ୍ତୁ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ କାର୍ଯ୍ୟକଳାପକୁ ନେଇ ଆଜି କ୍ୟାମ୍ପସରେ ଛାତ୍ର ଅଶାନ୍ତି ଦେଖାଦେଇଛି। କ୍ୟାମ୍ପସରେ ହେଉଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ପିସି କାରବାର ହେଉଥିବା ‌ନେଇ ଛାତ୍ରଛାତ୍ରୀ ଅଭିଯୋଗ କରି କୁଳପତିଙ୍କୁ ଘେରାଉ କରିଥିଲେ। କୁଳପତିଙ୍କ ବହିଷ୍କାର ଦାବି ସହ ରୁସ‌ା ସଂଯୋଜକ ପଦରେ ଥିବା ରିଡର୍‌ ହିମାଂଶୁ ରାଉତଙ୍କୁ ତୁରନ୍ତ ହଟାଇବା ଲାଗି ସେମାନେ ଅଡ଼ି ବସିଥିଲେ। ଏହାକୁ ‌ନେଇ ପ୍ରାୟ ତିନି ଘଣ୍ଟା ଧରି କ୍ୟାମ୍ପସରେ ଉତ୍ତେଜନା ଲାଗି ରହିଥିଲା। ଛାତ୍ରଛାତ୍ରୀ ଅଭିଯୋଗ କରିଥିଲେ ଯେ ବିଶ୍ବବିଦ୍ୟାଳୟ ରୁସା ସଂଯୋଜକ ଶ୍ରୀ ରାଉତ ଓ କୁଳପତି ପ୍ରଫେସର ପଟ୍ଟନାୟକଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଛି। ଯୋଗ୍ୟତା ନ ଥାଇ ମଧ୍ୟ ଶ୍ରୀ ରାଉତଙ୍କୁ ରୁସା ସଂଯୋଜକ ପଦରେ ନିଯୁକ୍ତି ଦିଆଯାଇଛି। ତାଙ୍କ ନାମରେ ଏକାଧିକ ଅଭିଯୋଗ ମଧ୍ୟ ରହିଛି। ତାଙ୍କର ଚାକିରିର ବୈଧତା ନେଇ ମଧ୍ୟ ସରକାରୀସ୍ତରରେ ପ୍ରଶ୍ନ ଉଠିଛି। କାର୍ଯ୍ୟରୁ ଅବ୍ୟାହତି ଦେବା ପାଇଁ ବି ନିର୍ଦେଶ ରହିଛି। ତା’ ପରେ ବି କୁଳପତି ପ୍ରଫେସର୍‌ ପଟ୍ଟନାୟକ ତାଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି। ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ(ରୁସା)ରୁ ବିଶ୍ବବିଦ୍ୟାଳୟକୁ ମିଳୁଥିବା କୋଟି କୋଟି ଟଙ୍କା ଉଭୟ ମିଳିତ ଭାବେ ହଡ଼ପ କରୁଥିବା ସେମାନେ ଅଭିଯୋଗ କରିଥିଲେ।

ସେମାନେ ଆହୁରି କହିଛନ୍ତି ଯେ କେବଳ ରୁସା ସଂଯୋଜକ ପଦ ନୁହେଁ, ଆହୁରି ଅନେକ ପଦରେ ନିଜ ଲୋକଙ୍କୁ ବସାଇ କୁଳପତି ବିଶ୍ବବିଦ୍ୟାଳୟ ଟଙ୍କାକୁ ହଡ଼ପ କରୁଛନ୍ତି। ପାଖାପାଖି ୮ ମାସ ହେଲା ବିଶ୍ବବିଦ୍ୟାଳୟର ସିଡିସି ନାହାନ୍ତି। ପିଜି କାଉନସିଲ୍‌ ଅଧ୍ୟକ୍ଷ ପ୍ରଫେସର୍‌ ସବିତା ଆଚାର୍ଯ୍ୟଙ୍କୁ ଭାରପ୍ରାପ୍ତ ଦାୟିତ୍ବରେ ରଖାଯାଇଛି। ଯେଉଁଥିପାଇଁ କଲେଜଗୁଡ଼ିକର ଭିତ୍ତିଭୂମି ଯାଞ୍ଚ କରାଯାଇ ପାରୁନି। ବିଶ୍ବବିଦ୍ୟାଳୟରେ ଅନେକ ଅଭିଜ୍ଞ ପ୍ରଫେସର୍‌ ରହିଥିଲେ ମଧ୍ୟ ଜଣେ ପ୍ରଫେସର୍‌ଙ୍କ କାନ୍ଧରେ ଦୁଇଟି ପ୍ରମୁଖ ଦାୟିତ୍ବ ଦେବା ପଛର କାରଣ କ’ଣ ବୋଲି କୁଳପତିଙ୍କୁ ଛାତ୍ରଛାତ୍ରୀ ପ୍ରଶ୍ନ କରିଥିଲେ। ପିଏଚ୍‌ଡି ପ୍ରବେଶିକା ପରୀକ୍ଷାର ୬ ମାସ ପରେ ଫଳ ପ୍ରକାଶ କରାଯାଉଛି। ରାଜ୍ୟ ସରକାର ‘୫-ଟି’ ଉପରେ ଗୁରୁତ୍ବ ଦେଉଥିବା ବେଳେ ଉତ୍କଳ ବିଶ୍ବବିଦ୍ୟାଳୟରେ ଏହା କେବେ ଲାଗୁ ହେବ ବୋଲି ମଧ୍ୟ ସେମାନେ ପ୍ରଶ୍ନ ଉଠାଇଛନ୍ତି। ତିନି ଘଣ୍ଟା ଧରି ଘେରାଉ ପରେ କୁଳପତି ପ୍ରଫେସର ପଟ୍ଟନାୟକ କହିଥିଲେ ଯେ ସନ୍ଧ୍ୟା ସୁଦ୍ଧା ରୁସ‌ା ସଂଯୋଜକଙ୍କୁ ହଟାଯିବା ନେଇ ବିଜ୍ଞପ୍ତି ପ୍ରକାଶ କରାଯିବ। ତେବେ ସନ୍ଧ୍ୟା ସୁଦ୍ଧା କୌଣସି ପ୍ରକାର ବିଜ୍ଞପ୍ତି ପ୍ରକାଶ କରା ନ ଯିବାରୁ ଛାତ୍ରଛାତ୍ରୀ ପୁଣିଥରେ କୁଳପତିଙ୍କୁ ଘେରାଉ କରିଥିଲେ। ମେଡିକାଲରେ ଚିକିତ୍ସାଧୀନ ଥିବା କୁଳସଚିବ ଫେରିଲେ ଏନେଇ ପଦକ୍ଷେପ ନିଆଯିବ ବୋଲି କୁଳପତି ପ୍ରଫେସର ପଟ୍ଟନାୟକ ପୁଣିଥରେ ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧିତ ଖବର