ବିଏମସିର କରୋନା ପରିଚାଳନାରେ ଅବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପିସିସି ସଭାପତି

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର କରୋନା ପରିଚାଳନାରେ ଅବ୍ୟବସ୍ଥା ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ବିଏମସି ଭୁବନେଶ୍ୱର ବାସିନ୍ଦାଙ୍କ ପ୍ରତି ଉଦାସୀନ ଓ ଦାୟିତ୍ୱହୀନ ଆଚରଣ ଦେଖାଉଛି । ଯାହା ଏଭଳି ମହାମାରୀ ସମୟରେ ଅତ୍ୟନ୍ତ ଦୁଃଖଦାୟକ ଓ ନିନ୍ଦନୀୟ । ସେ ଲେଖିଛନ୍ତି ଯେ ଏହା ରାଜନୀତି କରିବାର ସମୟ ନୁହେଁ ଓ ସେ ରାଜନୈତିକ ଦୃଷ୍ଟିକୋଣରୁ ଏହି ପତ୍ର ଲେଖିନାହାନ୍ତି । କିନ୍ତୁ ଭୁବନେଶ୍ୱରର ନାଗରିକ ହିସାବରେ ସହରବାସୀଙ୍କ ମତ ସେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଉଛନ୍ତି । ଶ୍ରେଣୀ ଓ ବର୍ଗ ନିର୍ବିଶେଷରେ ସମସ୍ତେ ଏଥିପାଇଁ କ୍ଷୁବ୍ଧ ଓ ନବୀନ ବାବୁ ଯାହାକୁ ପଚାରିଲେ ସତ ଜାଣିପାରିବେ । ତେଣୁ ମୁଖ୍ୟମନ୍ତ୍ରୀ ସ୍ଥିତିର ସମୀକ୍ଷାପାଇଁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ।

ପିସିସି ସଭାପତି ଲେଖିଛନ୍ତି ଯେ ସ୍ୱାଭାବିକ ସମୟ ହୋଇଥିଲେ ଲୋକଙ୍କ ରାଗ ଆନ୍ଦୋଳନର ରୂପ ନେଇଥାନ୍ତା । କିନ୍ତୁ ବର୍କ୍ସମାନର ପରିସ୍ଥିତି ଭିନ୍ନ । ତେଣୁ ଲୋକେ ସହି ଯାଉଛନ୍ତି । ସେ ଆଶା କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ପୁରା ସ୍ଥିତିର ବିଚାର କରି ବୀହିତ କାର୍ଯ୍ୟାନୁଷ୍ଠାନ ନେବେ । ପୂର୍ବରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଦାୟିତ୍ୱ ତୁଲାଇଥିବା ବରିଷ୍ଠ କଂଗ୍ରେସ ନେତା ଯେଉଁ ସବୁ ପ୍ରସଙ୍ଗ ଉଠାଇଛନ୍ତି ସେଗୁଡିକ ହେଲା ।
ନିରଞ୍ଜନ ପଟ୍ଟନାୟକଙ୍କ ଚିଠିରେ ଲେଖିଛନ୍ତି-
-ବିଏମସି ଅଧିକାରୀମାନଙ୍କ ପାଖକୁ ଲୋକେ ଦରକାର ବେଳେ ପହଂଚି ପାରୁନାହାନ୍ତି ।
-ବିଏମସି ବହୁ ବିଳମ୍ବରେ ୧୯୨୯ ସହାୟତା ନମ୍ବର ଜାରି କରିଥିଲେ ମଧ୍ୟ ଏହି ନମ୍ବରକୁ ଫୋନ କଲେ ସେଭଳି କିଛି ସହାୟତା ମିଳୁନାହିଁ ।
-ଯିଏ ଅନୁରୋଧ କରିବ କୋଭିଡ୍ ପାଇଁ ତାର ପରୀକ୍ଷା କରାଯାଉ ବୋଲି କେନ୍ଦ୍ର ସରକାର ପରାମର୍ଶ ଦେଇଥିଲା ବେଳେ ଲୋକେ ପରୀକ୍ଷା ପାଇଁ ହଇରାଣ-ହରକତ ହେଉଛନ୍ତି ।
– ମୁଖ୍ୟମନ୍ତ୍ରୀ ରାଜ୍ୟରେ ଦିନକୁ ଲକ୍ଷେ ପରୀକ୍ଷା କଥା କହିଥିଲା ବେଳେ ଏବେ ପଚାଶ ହଜାର ପରୀକ୍ଷା ହେଉଛି, ତାହା ମଧ୍ୟ ଆଂଟିଜେନ ପରୀକ୍ଷା ।
-ପରୀକ୍ଷା ହେଲେ ମଧ୍ୟ ଫଳାଫଳ ଜାଣିବାକୁ ଅନେକ ବିଳମ୍ବ ହେଉଛି ।
-ଯେଉଁମାନଙ୍କୁ ଘରେ ରଖାଯାଉଛି ସେମାନଙ୍କୁ ଅନ୍ୟ ରାଜ୍ୟ ଭଳି ମାଗଣା Pulse Oximeter ଯୋଗାଇ ଦିଆଯାଉ ନାହିଁ । ଘରେ ଥିଲାବେଳେ ରୋଗ ବଢିଲେ ଡାକ୍ତରଖାନାରେ ବେଡ୍ ପାଇବା ପାଇଁ ଦିନ ଦିନ ଲାଗୁଛି, ଯାହା ମଧ୍ୟରେ ରୋଗୀର ଅବସ୍ଥା ଖରାପ ହେଉଛି ।
-ବର୍ତ୍ତମାନ ଚାରିଆଡେ ଡାକ୍ତରଖାନା ବେଡ୍ ପାଇଁ ହାହାକାର । ଲୋକେ ଅସହ୍ୟ ହୋଇ ସମସ୍ତଙ୍କୁ ନେହୁରା ହେଉଛନ୍ତି । ବେଳ ଥାଉ ଥାଉ ଡାକ୍ତରଖାନା ବେଡ୍ ସଂଖ୍ୟା ଆବଶ୍ୟକତା ଅନୁସାରେ କରାଯାଇନାହିଁ । ଗୋଟିଏ ଆଇ.ସି.ୟୁ. ବେଡ୍ ଖାଲିହେଲେ ଭିତରକୁ ଯିବାକୁ ତିନିରୁ ପାଂଚଜଣ ଅପେକ୍ଷାରେ ରହୁଛନ୍ତି ।

ସମ୍ବନ୍ଧିତ ଖବର