ସାମାଜିକ ସନ୍ତୁଳନ ରକ୍ଷା ପାଇଁ କନ୍ୟାସନ୍ତାନ ହାର ବୃଦ୍ଧି ଅପରିହାର୍ଯ୍ୟ

ପିସିପିଏନ୍‌ଡିଟି ଅନ୍ତର୍ଗତ ରାଜ୍ୟ ସୁପରଭାଇଜରି ବୋର୍ଡ ବୈଠକ

ଭୁବନେଶ୍ୱର: ସାମାଜିକ ସନ୍ତୁଳନ ରକ୍ଷା ପାଇଁ କନ୍ୟା ସନ୍ତାନ ହାର ବୃଦ୍ଧି ଅପରିହାର୍ଯ୍ୟ। ଏଥିପାଇଁ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ ପ୍ରତିଷେଧ ଆଇନକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯିବା ଉଚିତ। ସେହିପରି ଖାଲି ନିୟମ କଡ଼ାକଡ଼ି କରିଦେଲେ ହେବ ନାହିଁ, ଏଥିପାଇଁ ବ୍ୟାପକ ସଚେତନତା ଆବଶ୍ୟକ। ଏଥିପାଇଁ ସରକାରୀସ୍ତରରେ ପଦକ୍ଷେପ ନିଆଯିବା ଉପରେ ଗୁରୁତ୍ୱ ଦିଆଯିବ। ଲିଙ୍ଗ ଚୟନ ପ୍ରତିଷେଧ ଅଧିନିୟମ-୧୯୯୪ (ପିସିପିଏନ୍‌ଡିଟି) ଅନ୍ତର୍ଗତ ରାଜ୍ୟ ସୁପରଭାଇଜରି ବୋର୍ଡ ବୈଠକରେ ଅଧ୍ୟକ୍ଷତା କରି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଏପରି ମତ ରଖିଛନ୍ତି। ଏହି ବୈଠକ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ନିୟମିତ ଭାବେ ତଥ୍ୟ ସଂଗ୍ରହ, ତର୍ଜମା, ବିଭିନ୍ନ ବିଭାଗ ମଧ୍ୟରେ ଯୋଗାଯୋଗ ଓ ସମନ୍ଵୟ ରକ୍ଷା କରି ଏହି ଅଧିନିୟମର କାର୍ଯ୍ୟକାରିତା କରାଯିବା ପାଇଁ ମନ୍ତ୍ରୀ ଶ୍ରୀ ଜେନା ପରାମର୍ଶ ଦେଇଥିଲେ। କନ୍ୟା ସନ୍ତାନର ହାର ବୃଦ୍ଧି କରିବା ପାଇଁ ସଭ୍ୟମାନେ ସୁଚିନ୍ତିତ ପରାମର୍ଶ ଦେବାକୁ ଅନୁରୋଧ କରାଯାଇଛି। ବୈଠକରେ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ, ରାଜଶ୍ରୀ ମଲ୍ଲିକ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କମିସନର୍‌ ତଥା ଶାସନ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦା, ସମାଜସେବୀ ଋତୁପର୍ଣ୍ଣା ମହାନ୍ତିଙ୍କ ସମତେ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର