ଭୁବନେଶ୍ବର : କୋଭିଡ୍ କଟକଣା ନ ମାନି ଦୋକାନ ଖୋଲିବାରୁ ନାବାଳକକୁ ଗୋଇଠା ମାରିବା ଘଟଣା କମିସନରେଟ୍ ପୁଲିସକୁ ମହଙ୍ଗା ପଡ଼ିଛି। କେଉଁ ପରିସ୍ଥିତିରେ ନାବାଳକକୁ ପିସିଆର ଡ୍ରାଇଭର ଗୋଇଠା ମାରିଲେ? ଦାୟିତ୍ବରେ ଥିବା ଅଧିକାରୀ କ’ଣ କରୁଥିଲେ? ଅଭିଯୁକ୍ତଙ୍କ ସହ ଏହାକୁ ସମର୍ଥନ କରିଥିବା ଅଧିକାରୀ ବା କର୍ମଚାରୀଙ୍କ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନେଇଛ, ସେନେଇ ଡିସିପିଙ୍କୁ ରିପୋର୍ଟ ତଲବ କରିଛନ୍ତି ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ। ରିପୋର୍ଟ ପ୍ରଦାନ କରିବାକୁ ୭ଦିନସମୟ ଦିଆଯାଇଛି।
ଗତ ୧ ତାରିଖରେ ସହିଦନଗର ଥାନା ଅଞ୍ଚଳ କେଶୁରାରେ ଏହି ଅଘଟଣ ଘଟିଥିଲା। ଅପରାହ୍ଣ ସାଢ଼େ ୩ଟା ବେଳେ କଟକଣା ନ ମାନି ଦୋକାନ ଖୋଲିଥିବା ଖବର ପାଇ ୨୯ ନମ୍ବର ପିସିଆର ଭ୍ୟାନ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଦାୟିତ୍ବରେ ହାବିଲଦାର ଥିଲେ ମଧ୍ୟ ଚାଳକ ଅଜୟ ବିଶ୍ବାଳ ନାବାଳକକୁ ଗୋଇଠା ମାରିଥିଲେ। ଅନ୍ୟ ଦୁଇଜଣ କର୍ମଚାରୀ ଏକ ବ୍ୟାଗ୍ରେ ବିସ୍କୁଟ ଓ କ୍ଷୀର ନେଇ ଆସିଥିଲେ।