ଭୁବନେଶ୍ବର: ଖାକି ପୋଷାକ ଦେଖିଲେ, ଲୋକଙ୍କୁ ଏକ ଅଜଣା ଭୟ ମାଡ଼ି ବସେ। ବ୍ରିଟିସ୍‌ ଅମଳରୁ ଭାରତୀୟଙ୍କ ଭିତରେ ରହି ଆସିଥିବା ଏହି ଭୟକୁ ଦୂ ର କରିବା ତଥା ଲୋକଙ୍କ ନିକଟତର ହେବା ପାଇଁ କମିସନରେଟ୍‌ ପୁଲିସ୍‌ ସବୁ ପ୍ରକାର ଚେଷ୍ଟା ଚଳାଇଛି। ‘ପୁଲିସ୍‌-ଜନତା ଭାବବିନିମୟ’, ‘ବସ୍ତିକୁ ଚାଲ ଅଭିଯାନ’, ‘ପୁଲିସ୍‌ ମିତ୍ର’ ଭଳି ଯାବତୀୟ ଯୋଜନା କରି ଲୋକଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା ଚଳାଇଛି। କିନ୍ତୁ ବଡ଼ବଡ଼ିଆ ଅଧିକାରୀଙ୍କ ଏହି ସବୁ ଯୋଜନାକୁ ଭଣ୍ଡୁର କରିବାରେ କିଛି ପୁଲିସ୍‌ କର୍ମଚାରୀ ଜୋରସୋର୍‌ରେ ଲାଗିଛନ୍ତି। ଦିନ ଦି’ପହରେ ମଞ୍ଚେଶ୍ବର ଥାନା ଆଗରେ ଆଜି ଘଟିଥିବା ଏକ ଘଟଣାର ଏହାର ସଦ୍ୟତମ ଉଦାହରଣ। ଦିନ ପ୍ରାୟ ସାଢ଼େ ୩ଟା ବେଳେ ୩ଜଣ ଯୁବକ ଏକ ବାଇକ୍‌ରେ ରସୁଲଗଡ଼ ଆଡ଼କୁ ଯାଉଥିବା ବେଳେ ମଞ୍ଚେଶ୍ବର ଥାନା ଆଗରେ ଏକ ପିସିଆର୍‌ ଭ୍ୟାନ୍‌ ସେମାନଙ୍କୁ ଧକ୍କା ଦେଇଥିଲା।

Advertisment

ଏହି ଦୁର୍ଘଟଣାରେ ୩ଜଣ ଯାକ ଯୁବକ ତଳେ ପଡ଼ି ଖଣ୍ଡିଆଖାବରା ହୋଇଥିଲେ। କାହାର ଗୋଡ଼ ମୋଡ଼ି ହୋଇଯାଇଥିଲା ତ କାହାର କାନ୍ଧ ଖଣ୍ଡିଆ ହୋଇଯାଇଥିଲା। କିନ୍ତୁ ଭ୍ୟାନ୍‌ କିମ୍ବା ଥାନାରେ ଥିବା କର୍ମଚାରୀ ସେମାନଙ୍କୁ ଉଠାଇବା ପରିବର୍ତ୍ତେ ଦୁର୍‌...ଦୁର୍‌... ମାର୍‌... ମାର୍‌... ଭଳି ବ୍ୟବହାର କରିଥିଲେ। ଏପରିକି, ସେଠାରୁ ଶୀଘ୍ର ଚାଲିଯିବା ପାଇଁ ବି କିଛି ପୁଲିସ୍ କର୍ମଚାରୀ ସେମାନଙ୍କୁ ନାଲି ଆଖି ଦେଖାଇଥିଲେ। ପରେ ପିସିଆର୍‌ ଭ୍ୟାନ୍‌ଟି ଘଟଣାସ୍ଥଳରୁ ମଧ୍ୟ ଚାଲି ଯାଇଥିଲା। ପାଖରେ ଥିବା ଲୋକମାନେ ସେଠାରେ ପହଞ୍ଚି ଯୁବକମାନଙ୍କୁ ଉଦ୍ଧାର କରିଥିଲେ। ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ସହିଦନଗରସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପୁଲିସ୍‌ର ଏହି ମାନବିକତାହୀନ ବ୍ୟବହାରକୁ ନେଇ ବିଭିନ୍ନ ମହଲ‌‌ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଦୁର୍ଘଟଣା‌ରେ ଆହତ ୩ ଯୁବକ ତୟୁଘୁଟୁ ଓ ଝରଣା (କ) ବସ୍ତି ଅଞ୍ଚଳର। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଜଣାଯାଇଛି। ସେମାନଙ୍କ କହିବା କଥା, ଆଜି ଦିନ ପ୍ରାୟ ସାଢ଼େ ୩ଟାରେ ସେମାନେ ରସୁଲଗଡ଼ ଆଡ଼କୁ ଯାଉଥିବା ବେଳେ ମଞ୍ଚେଶ୍ବର ଥାନାରୁ ବାହାରୁଥିବା ଏକ ପିସିଆର୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଏଥିରେ ସେମାନେ ତଳେ ପଡ଼ି ଖଣ୍ଡିଆଖାବରା ହୋଇଥିଲେ।

କିନ୍ତୁ ହସ୍ପିଟାଲକୁ ନେବା ତ ଦୂରର କଥା, ପିସିଆର୍‌ରେ ଥିବା କର୍ମଚାରୀମାନେ ସେମାନଙ୍କୁ ଦୁର୍ବ୍ୟବହାର କରିବା ସହ ଶୀଘ୍ର ଜାଗା ଛାଡ଼ି ଚାଲିଯିବାକୁ ନାଲି ଆଖି ଦେଖାଇଥିଲେ। ନିଜ ନାମ ଗୋପନ ରଖିବା ସର୍ତ୍ତରେ ଏହି ଦୁର୍ଘଟଣାରେ ଆହତ ଜଣେ ଯୁବକ କହିଛନ୍ତି ଯେ ଦୁର୍ଘଟଣା ଆକସ୍ମିକ। ପୁଲିସ୍‌ ପିସିଆର୍‌ ଆମକୁ ଧକ୍କା ଦେଲା, ସେଥିରେ ଖଣ୍ଡିଆଖାବରା ହୋଇ ଆମକୁ ଯେତିକି ନ ବାଧିଛି, ପୁଲିସ୍‌ର ଦୁର୍ବ୍ୟବହାର ତା’ଠାରୁ ଅଧିକ ଯନ୍ତ୍ରଣାଦାୟକ ଥିଲା।

ଏ ସଂପର୍କରେ ମଞ୍ଚେଶ୍ବର ଥାନା ଅଧିକାରୀ ସୁଧୀର କୁମାର ସାହୁଙ୍କୁ ପଚାରିବାରୁ ସେ କହିଥିଲେ ଯେ ଯୁବକମାନେ ଆସି ଭ୍ୟାନ୍‌କୁ ଧକ୍କା ଦେଇ ତଳେ ପଡ଼ି ଯାଇଥିଲେ। ସେମାନେ ସାମାନ୍ୟ ଆହତ ହୋଇଥିଲେ। ତାଙ୍କୁ ପିସିଆର୍‌ରେ ଡାକ୍ତରଖାନା ନେବା ପାଇଁ ପୁଲିସ କର୍ମଚାରୀ ପଚାରିଥିଲେ। କିନ୍ତୁ ସେମାନେ ଯିବାକୁ ମନା କରି ଦେଇଥିଲେ।