ଭୁବନେଶ୍ୱର: ବିଏମ୍‌ସିର ବିନା ଅନୁମତିରେ ରାଜଧାନୀର ବିଭିନ୍ନ ସ୍ଥାନରେ ହୋର୍ଡିଂ ଲଗାଇବା ମହଙ୍ଗା ପଡ଼ିଲା। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଅଧୀନସ୍ଥ ସଂସ୍ଥା ପେଟ୍ରୋଲିୟମ କନଜରଭେସନ୍‌ ଆଣ୍ଡ ରିସର୍ଚ୍ଚ ଆସୋସିଏସନ୍‌ (ପିସିଆର୍‌ଏ) ପକ୍ଷରୁ ରାଜଧାନୀର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ୨ହଜାର ହୋର୍ଡିଂ ଲଗାଯାଇଥିବାବେଳେ ବିଏମ୍‌ସି ପକ୍ଷରୁ ଏହାକୁ ଆଜି ଉଚ୍ଛେଦ କରାଯାଇଛି। ବିନା ଅନୁମତିରେ ହୋର୍ଡିଂ ଲଗାଇଥିବାରୁ ସଂସ୍ଥାକୁ ୧କୋଟି ଟଙ୍କା ଜରିମାନା ପାଇଁ ମଧ୍ୟ ନୋଟିସ୍‌ ଜାରି ହୋଇଛି।

Advertisment

ପିସିଆର୍‌ଏ ପକ୍ଷରୁ ରବିବାର ସକ୍ଷମ ସାଇକ୍ଲୋଥନ୍‌ ରାଜଧାନୀରେ ଆୟୋଜନ କରାଯାଇଛି। ଏହାର ପ୍ରଚାର ପ୍ରସାର ପାଇଁ ସଂସ୍ଥା ପକ୍ଷରୁ ରାଜଧାନୀରେ ହୋର୍ଡିଂ ଛାଇ ଯାଇଛି। ଏପରିକି ନୋ ହୋର୍ଡିଂ ଜୋନ୍‌ରେ ବି ମାଳ ମାଳ ହୋର୍ଡିଂ ଲାଗିଛି। ବିଏମ୍‌ସିର ବିଜ୍ଞାପନ ନୀତି ୨୦୦୬ର ପରିଚ୍ଛେଦ ୧୦-ଇ ଅନୁସାରେ ବେଆଇନ ବିଜ୍ଞାପନ ପ୍ରଦର୍ଶନକାରୀଙ୍କଠାରୁ ପ୍ରତି ହୋର୍ଡିଂ ପିଛା ୫ହଜାର ଟଙ୍କା ଜରିମାନା ଆଦାୟ କରିବାକୁ ନିୟମ ରହିଛି। ଏହି ନିୟମ ଅନୁଯାୟୀ ଜରିମାନା ପାଇଁ ନୋଟିସ୍‌ ହୋଇଛି ବୋଲି ବିଏମ୍‌ସିର ଡେପୁଟି କମିସନର ଶ୍ରୀମନ୍ତ ମିଶ୍ର କହିଛନ୍ତି। ବିଏମ୍‌ସି ପକ୍ଷରୁ ପିସିଆର୍‌ଏକୁ ହୋଇଥିବା ନୋଟିସ୍‌ରେ କୁହାଯାଇଛି ଯେ, ଫେବ୍ରୁଆରି ୧ରୁ ୩ତାରିଖ ମଧ୍ୟରେ ରାଜଧାନୀରେ ୨ହଜାର ବେଆଇନ ହୋର୍ଡିଂ ଲଗାଯାଇଛି। ଏଥିପାଇଁ ବିଏମ୍‌ସିରୁ ଅନୁମତି ନିଆଯାଇନି କି ଆବଶ୍ୟକ ଶୁଳ୍କ ପ୍ରଦାନ କରାଯାଇନି। ଏହା ବିଏମ୍‌ସିର ବିଜ୍ଞାପନ ନୀତି, ୨୦୦୬କୁ ଉଲ୍ଲଂଘନ କରୁଛି। ତେଣୁ ବିଏମ୍‌ସିର ବିଜ୍ଞାପନ ନୀତି, ୨୦୦୬ର ପରିଚ୍ଛେଦ ୧୦(ଇ) ଅନୁସାରେ ୧କୋଟି ଟଙ୍କା ଜରିମାନା ଦେବେ। ଆସନ୍ତା ୭ଦିନ ମଧ୍ୟରେ ଏହି ଜରିମାନା ନ ଦେଲେ ଓଡ଼ିଶା ମ୍ୟୁନିସପାଲ କର୍ପୋରେସନ୍‌ ଆକ୍ଟ-୨୦୦୩ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ନିୟମ ଅନୁସାରେ ଜରିମାନା ଖିଲାପକାରୀଙ୍କ ଉପରେ ସାର୍ଟିଫିକେଟ୍‌ କେସ୍‌ ରୁଜୁ କରାଯିବ। ଏହାପରେ ବିଏମ୍‌ସି ପକ୍ଷରୁ ସମ୍ପତ୍ତି ବାଜ୍ୟାପ୍ତି କରାଯିବ। ଅପରପକ୍ଷେ ଆଜି ବିଏମ୍‌ସିର ଏନଫୋର୍ସମେଣ୍ଟ ସ୍କ୍ଵାଡ୍‌ ପକ୍ଷରୁ ହୋର୍ଡିଂ ଗଣତି ସରିବା ପରେ ଉଚ୍ଛେଦ ହୋଇଥିଲା। ବିଏମ୍‌ସିର ପୂର୍ବ ଜୋନ୍‌ ପକ୍ଷରୁ ହୋର୍ଡିଂ ଉଚ୍ଛେଦ ସମୟରେ କେତେକ ଲୋକ ଏହାକୁ ବିରୋଧ କରିଥିଲେ। ସରକାରୀ କାର୍ଯ୍ୟରେ ପ୍ରତିବନ୍ଧକ ସାଜିବାରୁ ବିରୋଧ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ଅଭିଯୋଗ କରାଯାଇଥିଲା। ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ନୂଆବର୍ଷରୁ ବିଏମ୍‌ସିର ବିଜ୍ଞାପନ ନୀତି ୨୦୦୬କୁ କଡ଼ାକଡ଼ି ଲାଗୁ କରାଯାଇଛି। ଗତ ଜାନୁଆରି ୧୦ତାରିଖରେ ୯ଟି ସଂସ୍ଥାର ୪୯୦ଟି ବେଆଇନ୍‌ ହୋର୍ଡିଂ ଉଚ୍ଛେଦ କରିବା ସହ ୨୪ଲକ୍ଷ ୫୦ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଏହି ୯ଟି ସଂସ୍ଥା ହେଲେ ବ୍ଲିସ୍‌ଫୁଲ୍‌ ୟୋଗା ସେଣ୍ଟର୍‌, ଫ୍ୟୁଚର୍‌ ଫ୍ଲେମ୍‌ କମ୍ପ୍ୟୁଟର୍‌ ଏଜୁକେସନ୍‌, ନୃତ୍ୟାର୍ଚ୍ଚନା, ଲେଜର୍‌ ପାଇଲ୍‌ସ ସେଣ୍ଟର୍‌, କ୍ଲାଟ୍‌, ବାଜିରାଓ ଆଇଏଏସ୍‌ ଏକାଡେମି, କେନ୍‌ସପ୍ଟ ଏଜୁକେସନ, ଭେଟା ଓ ଉଡାନ୍‌ ଏକାଡେମି ପ୍ରମୁଖ।