ସ୍କୁଲ କ୍ୟାମ୍ପସରେ ପିଡିଏସ୍‌ ଗୋଦାମ ପ୍ରସଙ୍ଗ, ସାମଗ୍ରୀ ସ୍ଥାନାନ୍ତର ଲାଗି ନିର୍ଦେଶ

ସ୍କୁଲ ସଫେଇ ଭିଡିଓ ଦାଖଲ କରିବେ କର୍ତୃପକ୍ଷ, ସ୍କୁଲ ଖୋଲିବା ପୂର୍ବରୁ ବିଶୋଧନ ହେବ

ଭୁବନେଶ୍ବର: ସରକାରୀ ବିଦ୍ୟାଳୟ କ୍ୟାମ୍ପସ ସଫା କରିବାକୁ ବିଦ୍ୟାଳୟଗୁଡ଼ିକୁ କୁହାଯାଇଥିଲା। ତେବେ ଇତି ମଧ୍ୟରେ ୨୦ ଦିନ ବିତିଯାଇଥିଲେ ମଧ୍ୟ ରାଜଧାନୀର ଅଧିକାଂଶ ବିଦ୍ୟାଳୟ କ୍ୟାମ୍ପସ ସଫେଇ ହୋଇ ନାହିଁ। କେଉଁଠି କ୍ୟାମ୍ପସ ଅନାବନା ଗଛରେ ପରିପୂର୍ଣ୍ଣ ହୋଇଛି ତ ଆଉ କେଉଁଠି ଶ୍ରେଣୀଗୃହ ପିଡିଏସ୍‌ ଗୋଦାମ ପାଲଟିଛି। ଏନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପରେ ସଫେଇ କାର୍ଯ୍ୟକୁ ତ୍ବରାନ୍ବିତ କରିବା ସହ କ୍ୟାମ୍ପସର ଫଟୋ ଓ ଭିଡିଓ ପଠାଇବାକୁ ଖୋର୍ଧା ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ବନ୍ଦନା ମହାପାତ୍ର ନିର୍ଦେଶ ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ କ୍ୟାମ୍ପସ ସଫେଇ ହୋଇ ନ ଥିବା ଜଣାପଡ଼ିବା ପରେ ବିଭାଗୀୟ ଅଧିକାରୀମାନେ ବ୍ୟାପକ ଆଲୋଚନା କରିଛନ୍ତି। ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ମାନେ ବିଦ୍ୟାଳୟ ପ୍ରଧାନଶିକ୍ଷକ/ ପ୍ରଧାନଶିକ୍ଷୟିତ୍ରୀଙ୍କ ସହ କ୍ୟାମ୍ପସର ସ୍ଥିତି ନେଇ ପଚାରି ବୁଝିଛନ୍ତି। ଅଧିକାଂଶ ସ୍କୁଲ କର୍ତୃପକ୍ଷ ସଫେଇ ଦିଗରେ ପଦକ୍ଷେପ ‌ନେଇଛନ୍ତି। କିଛି ସ୍ଥାନରେ ଅଧା ସଫେଇ ହୋଇଥିବା ଜଣାପଡ଼ିଛି। ଯେଉଁଠି ବାକି ରହିଛି ତାହାକୁ ‌ତୁରନ୍ତ ସଫେଇ କରିବାକୁ କୁହାଯାଇଛି। ସଫେଇ ବେଳର ଭିଡିଓ ସହ ଫଟୋ ଉଠାଇ ସିଆରସିସିମାନଙ୍କ ଜରିଆରେ ପଠାଇବାକୁ କୁହାଯାଇଛି। ଡିଇଓ ଶ୍ରୀମତୀ ମହାପାତ୍ର କହିଛନ୍ତି ଯେ ସ୍କୁଲ ଖୋଲିବା ପୂର୍ବରୁ କ୍ୟାମ୍ପସକୁ ସମ୍ପୂର୍ଣ୍ଣ ସଫେଇ କରାଯିବ। ଏଦିଗରେ ପଦକ୍ଷେପ ନିଆଯାଇଛି। ଯେଉଁ ସ୍କୁଲ କ୍ୟାମ୍ପସରେ କ୍ବାରାଣ୍ଟିନ୍‌ ସେଣ୍ଟର ହୋଇଥିଲା ସେଗୁଡ଼ିକୁ ବିଶୋଧନ କରାଯିବ। ଯେତେଶୀଘ୍ର ସମ୍ଭବ ସ୍ଥାନୀୟ ପ୍ରଶାସନ ସହଯୋଗରେ ଏଦିଗରେ ପଦକ୍ଷେପ ନେବାକୁ ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀଙ୍କୁ କୁହାଯାଇଛି। କେତେକ ସ୍କୁଲ କର୍ତୃପକ୍ଷ ଇତି ମଧ୍ୟରେ ନିଜ ଆଡ଼ୁ କ୍ୟାମ୍ପସ ବିଶୋଧନ କରିଛନ୍ତି। ସେପଟେ କ୍ଲାସରୁମ୍‌ରେ ଜମା‌ ହୋଇଥିବା ପିଡିଏସ୍‌ ସାମଗ୍ରୀ ଅନ୍ୟତ୍ର ସ୍ଥାନାନ୍ତର ଲାଗି ବିଡିଓମାନଙ୍କୁ ନିର୍ଦେଶ ଦିଆଯାଇଛି। କିଛି ଦିନ ତଳେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ‌ବୈଠକରେ ଏନେଇ ଆଲୋଚନା ହୋଇଥିଲା। ଉକ୍ତ ନିଷ୍ପତ୍ତିକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର